ଭୁବନେଶ୍ବର: ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା, କ୍ରୀଡ଼ା ଓ ଯୁବସେବା ବିଭାଗର ସଚିବଙ୍କୁ ନେଇ ପୃଥକ ପୃଥକ ସମୀକ୍ଷା ବୈଠକ କରିଛନ୍ତି ବିଭାଗୀୟ ମନ୍ତ୍ରୀ ତୁଷାରକାନ୍ତି ବେହେରା । ଲୋକସେବା ଭବନ ସ୍ଥିତ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଛି ଏହି ବୈଠକ । ତେବେ ଏଥିରେ ମନ୍ତ୍ରୀ ୫T ଆଧାରରେ ବିଭାଗର ବିଭିନ୍ନ କାର୍ଯ୍ୟର ତଦାରଖ କରିବା ସହିତ ପ୍ରତିମାସରେ କାର୍ଯ୍ୟର ଅଗ୍ରଗତି ନେଇ ଏକ ରିପୋର୍ଟ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ତେବେ ଏହି ସମୀକ୍ଷା ବୈଠକରେ ବିଭିନ୍ନ କ୍ଷେତ୍ରକୁ ନେଇ ଆଲୋଚନା କରାଯାଇଛି । ନୂଆ କ୍ରୀଡ଼ାନୀତି, ଅନ୍ଲାଇନ୍ ସେବା, ପିଇଟିଙ୍କୁ ତାଲିମ ଏବଂ ଶାରୀରିକ ଶିକ୍ଷାକୁ ବିଦ୍ୟାଳୟ ପାଠ୍ୟକ୍ରମରେ ବାଧ୍ୟତାମୂଳକ ବିଷୟ ଭାବେ ସାମିଲ କରିବା ଉପରେ ଆଲୋଚନା ହୋଇଥିଲା । ଏଥି ସହିତ ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟର ଶିକ୍ଷାଦାନ ପାଇଁ ନୂଆ ବିଲ୍ଡିଂରେ ଆରମ୍ଭ ହୋଇଛି । ସେପଟେ ଭୁବନେଶ୍ବର, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର ଏବଂ ଜୟପୁରରେ କ୍ରୀଡ଼ା ବିଦ୍ୟାଳୟ ହେବାକୁ ଥିବାବେଳେ ଏଥି ମଧ୍ୟରୁ ସମ୍ବଲପୁର, ବ୍ରହ୍ମପୁର ଏବଂ ଜୟପୁରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ସାରିଛି। ସେପଟେ ରାଉରକେଲାରେ ସ୍ଥାନ ଚିହ୍ନଟ ପ୍ରକ୍ରିୟା ଦ୍ରୁତଗତିରେ ଆଗେଇ ଚାଲିଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଅନ୍ୟପଟେ କଳିଙ୍ଗ ଇଣ୍ଟରନ୍ୟାସନାଲ୍ର ସ୍ପୋର୍ଟସ୍ ସିଟି ନିର୍ମାଣ, କଳିଙ୍ଗ ସ୍ପୋର୍ଟସ୍ ହବ୍, ଆଞ୍ଚଳିକ ଏବଂ ଜିଲ୍ଲା ସ୍ପୋର୍ଟସ୍ କମ୍ପ୍ଲେକ୍ସ ନିର୍ମାଣ ଏବଂ ସୁନ୍ଦରଗଡ଼ରେ ଆଷ୍ଟ୍ରୋ ଟର୍ଫ କାର୍ଯ୍ୟରେ ଦ୍ରୁତ ଅଗ୍ରଗତି ନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ୱେବ୍ ପୋର୍ଟାଲ୍ ଗୁଡ଼ିକୁ ସୁରକ୍ଷା ଏବଂ ସମାନତା ଦୃଷ୍ଟିକୋଣରୁ ଏହାର ଆଧୁନିକୀକରଣ, ମୋ ସରକାର ଯୋଗାଯୋଗ ସେଣ୍ଟର, ବିଜୁ ଯୁବ ସଶକ୍ତିକରଣ ଯୋଜନାର ଯୁକ୍ତ ୨ରୁ ଉତ୍ତୀର୍ଣ୍ଣ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ୧୫ ହଜାର ଲାପଟପ୍ କ୍ରୟ ଉପରେ ମନ୍ତ୍ରୀ ସମୀକ୍ଷା କରିଥିଲେ।
ଏଥି ସହିତ ଓକାକ୍ଠାରେ ନୂଆ ଡାଟା ସେଣ୍ଟର, ଆଇଟି କମ୍ପାନୀଗୁଡ଼ିକୁ ଆକୃଷ୍ଟ କରିବା ଏବଂ ନୂଆ ନିଯୁକ୍ତି ସୁଯୋଗ ପାଇଁ ଆଇଟିସି ପଲିସିରେ ପରିବର୍ତ୍ତନ ଆଦି ୧୮ ଗୋଟି ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ବୈଠକରେ ଆଲୋଚନା ହୋଇଥିଲା ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ