ଭୁବନେଶ୍ବର: ଆଜିର ଦିନର ସାହିତ୍ୟିକମାନେ ଯେଉଁକଥା ଲୋକମାନଙ୍କ ଦ୍ବାରା ସହଜରେ ବୁଝା ନହେବ ତାହାକୁ ଉନ୍ନତ ସାହିତ୍ୟ ଭାବେ ଆଖ୍ୟା ଦେଉଛନ୍ତି । ଯାହା ଫଳରେ ସାଧାରଣ ମଣିଷ ମାନଙ୍କର ଏହା ବୋଧଗମ୍ୟ ହେଉନଥିବାରୁ ଏହାଠାରୁ ଯୁବପୀଢି ମାନେ ଦୂରେଇ ଯାଉଥିବା ଦେଖିବାକୁ ମିଳିଛି। ତେଣୁ ସମସାମୟିକ ସାହିତ୍ୟ ସହିତ ଆମର ପୁରୁଣା ସାହିତ୍ୟକୁ ଅଧିକ ମାତ୍ରାରେ ଯୁବପୀଢିମାନଙ୍କ ନିକଟରେ ପହଞ୍ଚାଇ ପାରିଲେ ଏହା ଆମ ସାହିତ୍ୟକୁ ଆହୁରି ଆଗକୁ ନେବ ବୋଲି 'ସୋଆ' ସାହିତ୍ୟ ଉତ୍ସବରେ ଯୋଗ ଦେଇଥିବା ସାହିତ୍ୟିକ ମାନେ ମତବ୍ୟକ୍ତ କରିଛନ୍ତି।
ଫେବୃଆରୀ 1 ଶନିବାର ଠାରୁ ଆରମ୍ଭ ହୋଇଥିବା ପ୍ରଥମ 'ସୋଆ' ସାହିତ୍ୟ ଉତ୍ସବର ଉଦଯାପନୀ ସନ୍ଧ୍ୟାରେ ବିଶିଷ୍ଟ କବି ରମାକାନ୍ତ ରଥ, ସୀତାକାନ୍ତ ମହାପାତ୍ର ଓ କଥାକାର ବିଭୂତି ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଏହା କହିଛନ୍ତି। ବହୁ ବର୍ଷ ପୂର୍ବରୁ ରଚିତ ରାମାୟଣ, ମହାଭାରତ ଓ ଭାଗବତ ଆଦି ଗ୍ରନ୍ଥ ଆଜି ବି ଲୋକମାନଙ୍କ ନିକଟରେ ସହଜରେ ଆଦର ଲାଭ କରିପାରୁଛି। କିନ୍ତୁ ସେଭଳି ବୋଧଗମ୍ୟ ଲେଖା ବର୍ତ୍ତମାନ ସମୟରେ ସାହିତ୍ୟିକମାନେ ଲେଖିବାକୁ ସକ୍ଷମ ହୋଇ ପାରୁନାହାଁନ୍ତି । ସେମାନେ ତାଙ୍କର ଲେଖାରେ ଏଭଳି କ୍ଳିଷ୍ଟତା ଭରିବାକୁ ଚାହୁଁଛନ୍ତି ଯାହାକି ଅନ୍ୟମାନଙ୍କ ଦ୍ବାରା ବୁଝିବାକୁ କଷ୍ଟ ହେବ ଏବଂ ତାହା ତାଙ୍କର କୃତିତ୍ବ ବୋଲି ସେମାନେ ଧରି ନେଉଛନ୍ତି । ତେଣୁ ସାହିତ୍ୟକୁ ଯୁଗୋପଯୋଗୀ କରିବା ପାଇଁ ସରଳ ଭାଷାର ବ୍ୟବହାର ହେବା ଉଚିତ ବୋଲି ସେମାନେ କହିଛନ୍ତି।
ତେବେ ଆଜିର ଯୁବପୀଢିମାନଙ୍କୁ ଦେଶର ସାହିତ୍ୟ ଓ ସାହିତ୍ୟିକଙ୍କ ସହିତ ପରିଚିତ କରାଇବା ଏବଂ ସେମାନଙ୍କ ସଂସ୍ପର୍ଶରେ ଆସି ସେମାନେ ସାହିତ୍ୟ ପ୍ରତି ଆକର୍ଷିତ ହେବେ ଏହି ସାହିତ୍ୟ ମହୋତ୍ସବର ଉଦ୍ଦେଶ୍ୟ ବୋଲି ଉତ୍ସବର ସଭାପତି ଶ୍ରୀମତୀ ଗାୟତ୍ରୀବାଳା ପଣ୍ଡା ପ୍ରକାଶ କରିଛନ୍ତି। ଏହି ଉତ୍ସବରେ ଦେଶର ବିଭିନ୍ନ ପ୍ରାନ୍ତରୁ ସାହିତ୍ୟର ବିଭିନ୍ନ କ୍ଷେତ୍ରରେ ଲବ୍ଧ ପ୍ରତିଷ୍ଠିତ 100ରୁ ଉର୍ଦ୍ଧ୍ବ ପ୍ରତିଭାମାନେ ଯୋଗଦେଇ ଥିଲେ। ସେମାନେ କବିତା, ଗଳ୍ପ, ଉପନ୍ୟାସ, ରମ୍ୟ ରଚନା, ଜୀବନୀ ସହିତ ସଙ୍ଗୀତ ଓ ଚିତ୍ରକଳା ଆଦି ବିଷୟରେ 26ଟି ସେସନରେ ବିସ୍ତୃତଭାବେ ଆଲୋଚନା କରିଥିଲେ। ଯେଉଁଥିରେ ରାଜ୍ୟର ବରିଷ୍ଠ ସାହିତ୍ୟିକମାନଙ୍କ ସମେତ ଶତାଧିକ ଛାତ୍ରଛାତ୍ରୀ ଭାଗ ନେଇଥିଲେ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ