ଭୁବନେଶ୍ବର: ସାଇକେଲ ଘୂରୁଛି । ଜଳୁଛି ଲାଇଟ । ଆଉ ଚାଲିଛି ପଙ୍ଖା । ପୁସ୍ତକ ବିଦ୍ୟାକୁ ସତରେ କରି ଦେଖାଇଲେ ଛାତ୍ରୀ । ପଢିଥିବା ପାଠକୁ ଦେଲେ ସଫଳ ରୂପ । ଲେଖାରେ ସୀମିତ ରହେନି ବହି ବିଦ୍ୟା । ଉପଯୁକ୍ତ ପ୍ରୟୋଗ ବଳରେ ପ୍ରକୃତ ଜୀବନରେ କାମରେ ଆସିଥାଏ । ଏହାକୁ ପ୍ରମାଣ କରି ଦେଖାଇଲେ ସ୍ମାର୍ଟସିଟିର ବସ୍ତି ବାଳିକା ପୂଜାରାଣୀ ବେହେରା । ବାତ୍ୟା ଫନି ବେଳେ ଦେଖିଥିଲେ ବସ୍ତି ବାସିନ୍ଦାଙ୍କ ଦୁଃଖ । ବିନା ଆଲୁଅରେ ଜୀବନ ଜିଇଁବା କେତେ କଷ୍ଟକର, ନିଜେ କରିଥିଲେ ହୃଦୟଙ୍ଗମ। ଆଉ ଏହା ତାଙ୍କୁ ନୂଆ ଉଦ୍ଭାବନ ଲାଗି ଯୋଗାଇଥିଲା ପ୍ରେରଣା ।
ରାଜଧାନୀରେ ଚାଲିଛି ବସ୍ତି ପିଲାଙ୍କ ଶିଶୁ ବିଜ୍ଞାନ ମେଳା । ଆଉ ସବୁ ପ୍ରକଳ୍ପ ଭିତରେ ବାରି ହୋଇପଡୁଛି ପୂଜାଙ୍କ ଉଦ୍ଭାବନ । ଲୋକଙ୍କ ପକ୍ଷରୁ ମଧ୍ୟ ମିଳୁଛି ଖୁବ ପ୍ରଶଂସା । ବହିରେ ପଢିଥିଲେ ଶାରୀରିକ ଶକ୍ତିରୁ ଯାନ୍ତ୍ରିକ ଶକ୍ତି ଓ ଯାନ୍ତ୍ରିକ ଶକ୍ତିରୁ ବିଦ୍ୟୁତ ଶକ୍ତି ବିଷୟବସ୍ତୁ । ଶେଷରେ ତାହାକୁ ବ୍ୟବହାର କରି ତିଆରି କରିଥିଲେ ନୂଆ ପ୍ରକଳ୍ପ । ଲୋକଙ୍କ ଅର୍ଥାଭାବ ଯୋଗୁଁ ନିଜେ ଅଣ୍ଟା ଭିଡିଥିଲେ ପୂଜା । ସଫଳ ହେବା ପରେ ଏବେ ଅପେକ୍ଷା ଉଚିତ ପ୍ରୋତ୍ସାହନକୁ । ଲୋକଙ୍କ ସମସ୍ୟା ଦୂର କରିବାରେ ନିଜ ଉଦ୍ଭାବନ ସହାୟକ ହେବ ବୋଲି ରଖିଛନ୍ତି ଆଶା ।
ପାଣି ଓ କୋଇଲାରୁ ବିଦ୍ୟୁତ ବାହାରିବା ଏକ ସାଧାରଣ କଥା । ଆଶ୍ଚର୍ଯ୍ୟଜନକ ଘଟଣା ଭାବେ ଆଳୁରୁ ବଲ ଜଳିବା ଦେଖିଛୁ । କିନ୍ତୁ ସାଇକେଲରୁ ବିଦ୍ୟୁତ ଉତ୍ପାଦନ ନିଶ୍ଚିତ ଏକ ଅବିଶ୍ବସନୀୟ ପଦକ୍ଷେପ ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ