ଭୁବନେଶ୍ୱର: ଶ୍ରାବଣରେ ଶିବପୂଜା । ପ୍ରଥମ ସୋମବାର ପାଇଁ ଚଳଚଞ୍ଚଳ ଶିବାଳୟ । ରାଜ୍ୟର ପ୍ରମୁଖ ଶୈବପୀଠରେ ଭକ୍ତିମୟ ପରିବେଶ । ଦେବାଧୀ ଦେବ ମହାଦେବଙ୍କୁ ଜଳଲାଗି କଲେ କାଉଡିଆଙ୍କ । ଶିବ ପଞ୍ଚାକ୍ଷର ମନ୍ତ୍ରରେ ଝଙ୍କୃତ ସମଗ୍ର ପରିବେଶ ।
ଶ୍ରାବଣ ଆସିଲେ ଜଳପ୍ରିୟ ଜଟାଧାରୀଙ୍କୁ ଜଳାଭିଷକ କରିବା ପାଇଁ ଶ୍ରାବଣ ବ୍ରତ କରନ୍ତି ଭକ୍ତ । ବୋଲବମ୍ ହରହର ବମ୍, ଭୋଲା ବାବା ପାର କରେଗା.. ଡାକରେ ପ୍ରକମ୍ପିତ ହୁଏ ଗଗନପବନ । କାଉଡିଆ ସାଜି କାନ୍ଧରେ ପାଣି ଭାର ନେଇ ଭଗବାନଙ୍କ ପାଖେ ହାଜର ହୁଏ ଭକ୍ତ । ଏନେଇ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର, ପୁରୀ ଲୋକନାଥ ମନ୍ଦିର, କୋରାପୁଟର ବାବା ଗୁପ୍ତେଶ୍ୱର, କଟକ ଆଠଗଡ଼ର ଧବଳେଶ୍ୱର, ଢେଙ୍କାନାଳ କପିଳାସ ସ୍ଥିତ ବାବା ଚନ୍ଦ୍ରଶେଖରଙ୍କ ପୀଠ ସମେତ ରାଜ୍ୟର ପ୍ରମୁଖ ଶିବ ମନ୍ଦିରଗୁଡ଼ିକରେ କାଉଡିଆଙ୍କ ଭିଡ ପରିଲକ୍ଷିତ ହୋଇଛି ।
ଶ୍ରାବଣ ସୋମବାରରେ ଜଳ ଲାଗି କଲେ ସକଳ ମନସ୍କାମନା ପୂରଣ ହୋଇଥାଏ । ଶ୍ରାବଣରେ କାଉଡିଆଙ୍କ ଭିଡ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ପ୍ରମୁଖ ଶିବ ମନ୍ଦିରଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ