ଭୁବନେଶ୍ବର: ସଂକ୍ରମଣ ରୋକିବାକୁ ପୂର୍ବ ବର୍ଷର ରଣକୌଶଳ ଅପଣେଇଲା ବିଏମସି । ଆଜିଠାରୁ ପୁଣି ହାଟ ଓ ବଜାରର ବିକେନ୍ଦ୍ରୀକରଣ କଟକଣା ଜାହିର କରିଛି ବିଏମସି । ସାମାଜିକ ଦୂରତା ଓ ମାସ୍କ ନଥିଲେ ଦୋକାନ ସିଲ ହେବାନେଇ ଚେତାବନୀ ଦେଇଛି ବିଏମସି । ଭୁବନେଶ୍ୱର ଡୁମୁଡୁମା, ପଟିଆ, ଡମଣା, ୟୁନିଟ-୪, ୟୁନିଟ -୧, ୟୁନିଟ-୨ ସମେତ ବିଭିନ୍ନ ସ୍ଥାନରେ ଥିବା ମାର୍କେଟରେ କଟକଣା କଡାକଡି ଅନୁପାଳନ କରିବା ପାଇଁ ଗତକାଲି ମାର୍କେଟ ସଂଘ ପ୍ରତିନିଧିଙ୍କ ସହ ଆଲୋଚନା ହୋଇଥିଲା । ଏନେଇ ସମସ୍ତ ଜୋନାଲ ଡେପୁଟି କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ।
ଅନ୍ୟପଟେ ସ୍ବାସ୍ଥ୍ୟ ଭିତ୍ତିଭୂମିରେ ମଧ୍ୟ ଜୋର ଦିଆଯାଉଛି । ନୀଳାଚଳ ଓ ହାଇଟେକ କୋଭିଡ ହସ୍ପିଟାଲ ଆଜିଠାରୁ କାର୍ଯ୍ୟକ୍ଷମ ହୋଇଛି । ହାଇଟେକ ହସ୍ପିଟାଲରେ ୨୦୦ ଶଯ୍ୟା ଓ ନୀଳାଚଳରେ ୧୦୦ ଶଯ୍ୟାର ବ୍ୟବସ୍ଥା କରାଯାଇଛି । ସେହିପରି ଆସନ୍ତାକାଲି ବ୍ଲୁ ହ୍ବିଲ କୋଭିଡ ହସ୍ପିଟାଲ ମଧ୍ୟ କାର୍ଯ୍ୟକାରୀ ହେବାକୁ ଯାଉଛି । ଅନ୍ୟପଟେ ସ୍ପର୍ଶ ଓ କିମ୍ସ କୋଭିଡ ହସ୍ପିଟାଲ ମଧ୍ୟ ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି । କିମ୍ସ କୋଭିଡ ହସ୍ପିଟାଲରେ ୫ଶହ ଶଯ୍ୟା ବ୍ୟବସ୍ଥା କରାଯିବା ନେଇ କାର୍ଯ୍ୟ ଜାରିରହିଛି ।
ଅନ୍ୟପଟେ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଥିବାଯୋଗୁ ତାକୁ ନେଇ ମଧ୍ୟ ସ୍ବତନ୍ତ୍ର ନିର୍ଦ୍ଦେଶାନାମା ଜାରି କିରଛି ଭୁବନେଶ୍ବର ମହାନଗର ନିଗମ କର୍ତ୍ତୃପକ୍ଷ । ରୁକୁଣା ରଥଯାତ୍ରା ପାଇଁ ଚୂଡାନ୍ତ ପ୍ରକ୍ରିୟା ସରିଛି । ସେବାୟତ ଓ ପୋଲିସଙ୍କ କୋଭିଡ ଟେଷ୍ଟ ମଧ୍ୟ ହୋଇଛି । ଯେଉଁମାନଙ୍କ ରିପୋର୍ଟ କୋଭିଡ ନେଗେଟିଭ ଆସିଛି କେବଳ ସେମାନଙ୍କୁ ନେଇ ରଥଯାତ୍ରା ଅନୁଷ୍ଠିତ ହେବ ।
ଅନ୍ୟପଟେ ୟୁନିଟ ୧ ମାର୍କେଟର କଞ୍ଚା ପରିବା ବ୍ୟବସାୟୀ ସଙ୍ଘର ସଭାପତି କବିରାଜ ସ୍ୱାଇଁ ବିଏମସିର ବିକେନ୍ଦ୍ରୀ କରଣ ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି । ହାଟ ସ୍ଥାନାନ୍ତରିତ ହେବା ସହ ଆବଶ୍ୟକୀୟ ଆଲୋକ, ପାଣି,ବ୍ୟବସ୍ଥା ମଧ୍ୟ ମହାନଗର କର୍ତ୍ତୁପକ୍ଷ କରନ୍ତୁ ବୋଲି କହିଛି ବ୍ୟବସାୟୀ ସଂଘ ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ