ଭୁବନେଶ୍ବର: ଠିକ ପଞ୍ଚାୟତ ନିର୍ବାଚନ ପୂର୍ବରୁ ସଂଗଠନ ସଜାଡିଲା ଶାସକ ବିଜୁ ଜନତା ଦଳ ( ବିଜେଡି) । ଆସନ୍ତା ମାସରେ ହେବାକୁ ଥିବା ନିର୍ବାଚନରେ ପୁରା ଶକ୍ତି ପ୍ରଦର୍ଶନ ପାଇଁ ସାଂଗଠନିକ ଶକ୍ତିକୁ ବୃଦ୍ଧି କରିଛି ଦଳ (Several leaders from other parties, who recently joined BJD, get organizational posts) ।
![ନିର୍ବାଚନ ପୂର୍ବରୁ ଦଳୀୟ ସଂଗଠନକୁ BJDର Booster Dose](https://etvbharatimages.akamaized.net/etvbharat/prod-images/14170059_a.jpg)
ବରିଷ୍ଠ ସାଧାରଣ ସମ୍ପାଦକ...
ଏନେଇ ଆଜି ଦଳ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି ହୋଇଛି । ବିଜେଡି ପକ୍ଷରୁ ପ୍ରକାଶ ପାଇଥିବା ନିର୍ଦ୍ଦେଶନାମା ଅନୁସାରେ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କୁ ବରିଷ୍ଠ ସାଧାରଣ ସମ୍ପାଦକ ଦାୟିତ୍ବ ଦେଇଛି ଦଳ । ନବରଙ୍ଗପୁର ଜିଲ୍ଲାରୁ ପ୍ରତିନିଧିତ୍ବ କରୁଥିବା ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କୁ ମଧ୍ୟ ବରିଷ୍ଠ ସାଧାରଣ ସମ୍ପାଦକ କରିଛି ଦଳ। ସୁନ୍ଦରଗଡ ଜିଲ୍ଲାର ବରିଷ୍ଠ ନେତା ପ୍ରଫୁଲ୍ଲ ମାଝୀ ମଧ୍ୟ ବରିଷ୍ଠ ସାଧାରଣ ସମ୍ପାଦକ ହୋଇଛନ୍ତି ।
ସାଧାରଣ ସମ୍ପାଦକ...
ସେହିପରି କଟକ ଜିଲ୍ଲାରୁ ପ୍ରତିନିଧିତ୍ବ କରୁଥିବା ତଥା ଅଭିନେତାରୁ ରାଜନେତା ପାଲଟି ଥିବା ଅରିନ୍ଦମ ଦାସ ହେଲେ ସାଧାରଣ ସମ୍ପାଦକ । ଏହାସହ ବିଜେପିରୁ ଆମଦାନୀ ହୋଇଥିବା ତଥା କେନ୍ଦୁଝର ଜିଲ୍ଲାରୁ ପ୍ରତିନିଧିତ୍ବ କରୁଥିବା ଧନୁର୍ଜୟ ସିଦ୍ଧୁ ଓ କୋରାପୁଟ ଜିଲ୍ଲାର ବରିଷ୍ଠ ନେତା କୈଳାଶ କୁଲେଶିକାଙ୍କୁ ମଧ୍ୟ ଦଳ ସାଧାରଣ ସମ୍ପାଦକ ଦାୟିତ୍ବ ଦେଇଛି ।
ସମ୍ପାଦକ ହେଲେ 7 ଜଣ...
ସେହିଭଳି ଯାଜପୁର ଜିଲ୍ଲାର ଅନ୍ୟତମ ଲୋକପ୍ରିୟ ନେତା ବିଶ୍ବରଞ୍ଜନ ମଲ୍ଲିକ ଓ ରମେଶ ପରିଡାଙ୍କୁ ଦଳ ସମ୍ପାଦକ ଦାୟିତ୍ବ ଦେଇଛି । ଏହାବାଦ କଂଗ୍ରେସରୁ ଆମଦାନୀ ହୋଇିଥିବା ବେଗୁନିଆ ବୋଲଗଡରୁ ପ୍ରତିନିଧିତ୍ବ କରୁଥିବା ପ୍ରଦୀପ ସାହୁଙ୍କୁ ମଧ୍ୟ ଦଳ ସମ୍ପାଦକ ଭାବେ ନିଯୁକ୍ତି ଦେଇଛି । ଏହା ବ୍ଯତୀତ ଗୁରୁତ୍ବପୂର୍ଣ୍ଣ ମୟୁରଭଞ୍ଜ ଜିଲ୍ଲାର 3 ଜଣ ନେତା ଦିଲ୍ଲୀପ ସାହୁ, ସୁନୀଲ ଦାସ ଓ ମହେଶ ହେମ୍ବ୍ରମଙ୍କୁ ମଧ୍ୟ ଦଳ ସମ୍ପାଦକ ଭାବେ ନୂଆ ନିଯୁକ୍ତି ଦେଇଛି । ପୁରୀ ଜିଲ୍ଲାରୁ ପ୍ରତିନିଧିତ୍ବ କରୁଥିବା ପ୍ରିୟବ୍ରତ ସାମନ୍ତରାୟଙ୍କୁ ମଧ୍ୟ ବିଜେଡି ସମ୍ପାଦକ ଭାବେ ନିଯୁକ୍ତି ଦେଇଛି । ଏହି ସମସ୍ତଙ୍କ ଦଳୀୟ ସଂଗଠନରେ ନିଯୁକ୍ତିକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଦଳ ଘୋଷଣା କରିଛି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ