ଭୁବନେଶ୍ବର: ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ନିଆଁ ଭଳି ବ୍ୟାପୁଥିବା ବେଳେ ରାଜ୍ୟ ସରକାର ଓ ଆରଏମଆରସିର ମିଳିତ ସହଯୋଗରେ ଚାଲିଛି ସେରୋଲୋଜିକାଲ ଟେଷ୍ଟ ବା ସେରୋ ସର୍ଭେ । ପ୍ରଥମ ପର୍ଯ୍ୟାୟରେ 5ଟି ସ୍ଥାନରେ ଏହି ସର୍ଭେ କରାଯାଉଛି । ପୁରୀ ସହରରେ ଏହା ଶେଷ ହୋଇଥିବା ବେଳେ ଏହାର ରିପୋର୍ଟ ସରକାରଙ୍କୁ ଦାଖଲ ହୋଇସାରିଛି ।
ବର୍ତ୍ତମାନ ଭୁବନେଶ୍ବରେ ଏହା ଆରମ୍ଭ ହୋଇଛି । ଏଠାରେ 2ଟି ପର୍ଯ୍ୟାୟରେ ସର୍ଭେ ହେବ । ପ୍ରଥମ ପର୍ଯ୍ୟାୟରେ କମ୍ୟୁନିଟି ସେରୋ ସର୍ଭେଲାନ୍ସ ହୋଇଥିବା ବେଳେ ଏଥିରେ 9 ଶହ ସାମ୍ପଲ ସଂଗ୍ରହ କରାଯାଇଛି । ସେହିପରି ଦ୍ବିତୀୟ ପର୍ଯ୍ୟାୟରେ ହାଇରିକ୍ସ କମ୍ୟୁନିଟି କରାଯାଉଛି । ଯାହା ଖୁବ ଶୀଘ୍ର ଶେଷ ହେବ । ଏହାର ମିଳିତ ବିବରଣୀ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରାଯିବ । ଏହା ପରେ ଗଞ୍ଜାମ, ଗଜପତି, ବଡମ୍ବା, ନରସିଂହପୁର ଏହି ସର୍ଭେ କରାଯିବ ।
ଆରଏମଆରସିର ନିର୍ଦ୍ଦେଶକ ଡାକ୍ତର ସଂଘମିତ୍ରା ପତି କହିଛନ୍ତି ଯେ, ବର୍ତ୍ତମାନ ଯେଉଁ ସେରୋଲୋଜିକାଲ ସର୍ଭେ ହେଉଛି ତାହା 4 ସପ୍ତାହ ପୂର୍ବର ସଂକ୍ରମଣ ବିଷୟରେ ତଥ୍ୟ ପ୍ରଦାନ କରିଥାଏ । ଭୂତାଣୁ ଶରୀରରେ ପ୍ରବେଶ କରିବାର 4 ସପ୍ତାହ ପରେ ଶରୀରର ପ୍ରତିରୋଧକ ଶକ୍ତି ଜଣାପଡ଼ିଥାଏ । ସେଥିପାଇଁ ଆମେ ସିରିଏଲ ସେରୋ ସର୍ଭେ ନିର୍ଦ୍ଦିଷ୍ଟ ସମୟରେ କରିବା ପାଇଁ ଲକ୍ଷ୍ୟ ରଖିଛୁ । ଯଦି ଏବେ ଆମେ ଭୁବନେଶ୍ବରରେ କଲୁ ପୁଣି 4 ସପ୍ତାହ ପରେ ଏଠାରେ କରାଯିବ। । ଯଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କେଉଁ ଦିଗକୁ ଯାଉଛି ତାହା ସହଜରେ ଜାଣିପାରିବ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ