ଭୁବନେଶ୍ବର: ଉପକଣ୍ଠ ମେଣ୍ଡାଶାଲ ଗୁରୁକୁଲ ରିସର୍ଟରେ ବୁଧବାର ଠାରୁ ଆରମ୍ଭ ହୋଇଛି ମେଜର ସନ୍ଦୀପ ମହାପାତ୍ର ମେମୋରିଆଲ୍ ଟେନିସ୍ ଚାମ୍ପିଅନସିପ୍ । 3 ମାର୍ଚ୍ଚରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ଆସନ୍ତା 07 ମାର୍ଚ୍ଚ 2021 ପର୍ଯ୍ୟନ୍ତ ଚାଲିବ ।
ଜେ ମହାପାତ୍ର (ମେଜର ସନ୍ଦୀପ ମହାପାତ୍ରଙ୍କ ପିତା) ଓ ଖୋର୍ଦ୍ଧା ଜିଲ୍ଲା ଟେନିସ୍ ଆସୋସିଏସନ ସମ୍ପାଦକ ଅସିତ ପ୍ରଧାନଙ୍କ ଦ୍ଵାରା ଏହି ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ପାଞ୍ଚଟି ବର୍ଗ ଯଥା ପୁରୁଷ ଏକକ, ମହିଳା ଏକକ, ୧୬ ବର୍ଷରୁ କମ୍ ବାଳକ, ୧୬ ବର୍ଷରୁ କମ୍ ବାଳିକା ଏବଂ ପୁରୁଷ ଯୁଗଳରେ ଖେଳାଯାଉଛି। ଓଡ଼ିଶା ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଛତିଶଗଡ଼ ଆଦି ରାଜ୍ୟର 100ରୁ ଅଧିକ ଖେଳାଳି ଅଂଶଗ୍ରହଣ କରିଛନ୍ତି। ୧,୭୦,୦୦୦ ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ। ଏଥର ପୁରୁଷ ଏକକ ବର୍ଗରେ ରାଜ୍ୟରେ ସର୍ବାଧିକ ୩୦,୦୦୦ ଟଙ୍କାର ପୁରସ୍କାର ଦିଆଯିବ।
ସେହିଭଳି ଉପବିଜେତାଙ୍କୁ ୧୫,୦୦୦ ଟଙ୍କା ମିଳିବ। ପୁରୁଷ ଯୁଗଳ ବିଜେତାଙ୍କୁ ୨୦,୦୦୦ ଏବଂ ବାଳକ ଓ ବାଳିକା ବର୍ଗ ବିଜେତାଙ୍କୁ ୬,୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯିବ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ