ଭୁବନେଶ୍ୱର: ସାମୁଦ୍ରିକ ଝଡ 'ଫନି' ଦ୍ବାରା ବ୍ୟାଙ୍କ ସେବା ଅନେକାଂଶରେ ପ୍ରଭାବିତ ହୋଇଛି । ବାତ୍ୟା ପରବର୍ତ୍ତୀ ସ୍ଥିତିର ମୁକାବିଲ ପାଇଁ କିପରି ବ୍ୟାଙ୍କମାନେ ସେମାନଙ୍କ ଯୋଗଦାନ ଦେଇ ପାରିବେ ତାହାର ସମୀକ୍ଷା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଗୁରୁବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଷ୍ଟେଟ ବ୍ୟାଙ୍କର ଆଞ୍ଚଳିକ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଆରବିଆଇ ସମେତ 25ଟି ବ୍ୟାଙ୍କର ଅଧିକାରୀ ଯୋଗ ଦେଇଥିଲେ । ଏହି ଅବସରରେ ଶ୍ରୀ ପ୍ରଧାନ ପୁରୀରେ ସମ୍ପୂର୍ଣ୍ଣ ରୂପେ କ୍ଷତିଗ୍ରସ୍ତ ହୋଇଥିବା ହୋଟେଲ ଇଣ୍ଡଷ୍ଟ୍ରିର ପୁନରୁଦ୍ଧାର କରିବା ପାଇଁ ବ୍ୟାଙ୍କ ଆଗେଇ ଆସିବାକୁ ପ୍ରସ୍ତାବ ଦେଇଥିଲେ ।
ବାତ୍ୟା ପରେ ଲୋକେ ଭୋଗୁଥିବା ଅସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟରେ ଅଧିକ ମୋବାଇଲ ଏଟିଏମ ଚାଲୁ କରିବାକୁ ବ୍ୟବସ୍ଥା କରାଯାଉଥିବା ନେଇ ଶ୍ରୀ ପ୍ରଧାନ କହିଥିଲେ । ଅନେକ ସ୍ଥାନରେ ବିଜୁଳି ଓ ନେଟୱର୍କର ଅସୁବିଧା ହେତୁ ଲୋକଙ୍କୁ ତତ୍କାଳ ସେବା ପ୍ରଦାନ କରିବା ପାଇଁ ବିଭିନ୍ନ ବ୍ୟାଙ୍କ ପକ୍ଷରୁ ପିଓଏସ ପଏଣ୍ଟ ଏବଂ ବ୍ୟାଙ୍କିଙ୍ଗ କରେସ ପାଣ୍ଡେଣ୍ଟ୍ସ କାର୍ଯ୍ୟକାରୀ କରାଯାଉଛି । ଷ୍ଟେଟବ୍ୟାଙ୍କ ପକ୍ଷରୁ ବ୍ୟାଙ୍କ ଖାତା ଦେଖାଇ ନଗଦ 2000ହଜାର ଟଙ୍କା ହିତାଧିକାରୀଙ୍କୁ ଦେବାକୁ ବ୍ୟବସ୍ଥା କରାଯାଇଛି । ଯାହାକୁ ଅନ୍ୟ ବ୍ୟାଙ୍କ ମଧ୍ୟ ଆପଣାଇବାକୁ ଶ୍ରୀ ପ୍ରଧାନ ଏହି ସମୀକ୍ଷା ବୈଠକରେ କହିଥିଲେ ।
ଏପଟେ 'ଫନି' ବାତ୍ୟା ଦ୍ବାରା ପୁରୀ ଜିଲ୍ଲାର ବ୍ୟାଙ୍କିଙ୍ଗ ସେବା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି । ତେଣୁ ଜିଲ୍ଲାରେ ଥିବା 273 ଏଟିଏମ ଭିତରୁ 20ଟି କାର୍ଯ୍ୟକ୍ଷମ ହେଉଛି । ସେହିଭଳି ଖୋର୍ଦ୍ଧା, ଜଗତସିଂହପୁର ଓ କଟକ ଜିଲ୍ଲାର 1162 ଏଟିଏମ ମଧ୍ୟରୁ 200ଟି ଏଟିଏମ୍ କାର୍ଯ୍ୟକ୍ଷମ ହେଉଛି । ଏଗୁଡିକୁ ଯେତେ ଶୀଘ୍ର ସମ୍ଭବ କାର୍ଯ୍ୟକାରୀ କରିବା ପାଇଁ ଉଦ୍ୟମ ଚାଲିଛି ବୋଲି କହିଛନ୍ତି ଷ୍ଟେଟ ବ୍ୟାଙ୍କର ସିଜିଏମ ପ୍ରବୀଣା କାଲା । ଆଗାମୀ ଦିନରେ ଏହି କାର୍ଯ୍ୟକୁ ତଦାରଖ କରିବା ପାଇଁ ଏକ କଣ୍ଟ୍ରୋଲ ରୁମ ଆରବିଆଇ କାର୍ଯ୍ୟାଳୟରେ ଖୋଲାଯିବ ବୋଲି ସୂଚନା ଦିଆଯାଇଛି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ