ଭୁବନେଶ୍ବର : ପିଚୁ ରାସ୍ତା ଦବି ଯିବାରୁ ଅଧା ରାସ୍ତାରେ ଅଟକିଛି ରୁକୁଣା ରଥ। ଫଳରେ ଦୁଇ ଦିନ ହେଲା ରଥରେ ବସିଛନ୍ତି ମହାପ୍ରଭୁ ଲିଙ୍ଗରାଜ। ଏହା ପ୍ରଶାସନ ଦ୍ଵାରା ଏକ ସାଂଘାତିକ ଅପରାଧ ବୋଲି ଅଭିଯୋଗ କରିଛି ବିଜେପି । ଏନେଇ ବିଜେପି ନେତା ବାବୁ ସିଂ ଘଟଣାସ୍ଥଳ ବୁଲିବା ପରେ ସିଧାସଳଖ ବିଏମସିକୁ କରିଛନ୍ତି ଟାର୍ଗେଟ ।
ଶ୍ରୀ ସିଂ କହିଛନ୍ତି ଲୋକଙ୍କ କଥା ଛାଡ଼ନ୍ତୁ ଖୋଦ୍ ମହାପ୍ରଭୁ ଲିଙ୍ଗରାଜଙ୍କ ସହ ବି ଖେଳ ଖେଳୁଛି ବିଏମସି । ବିଏମସିର ଅବହେଳା ଏବଂ ନିମ୍ନମାନର କାମ ଯୋଗୁଁ ରାସ୍ତା ଦବିଛି । ଯାହାପାଇଁ ମହାପ୍ରଭୁ ଦୁଇ ଦିନ ଅଟକି ରହିଛନ୍ତି। ଏଥିରୁ ସ୍ପଷ୍ଟ ଜଣାପଡୁଛି ଠିକାଦାରଙ୍କ ସହ ମଧୁଚନ୍ଦ୍ରିକାରେ କାମ ହୋଇଛି ।
ରୁକୁଣା ରଥ ପାଇଁ ପ୍ରଶାସନ ବହୁ ପୂର୍ବରୁ ସମସ୍ତ ପ୍ରସ୍ତୁତି ସରିଥିଲେ ବି ଏମିତି ତ୍ରୁଟି କେମିତି ହେଲା ବୋଲି ପ୍ରଶ୍ନ କରିଛନ୍ତି ବାବୁ ସିଂ । ଅନ୍ୟପକ୍ଷରେ ଉକ୍ତ ଘଟଣା ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ଅବଗତ ଥିଲେ ମଧ୍ୟ ଘଟଣାସ୍ଥଳକୁ ଆସୁ ନାହାନ୍ତି କି ସ୍ଥିତି ଦେଖୁ ନାହାନ୍ତି । ତେଣୁ ଘଟଣାର ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି ।
ଭୁବନେଶ୍ବରରୁ ମନୋରଞ୍ଜନ ଖଙ୍ଖୁଆ, ଇଟିଭି ଭାରତ