ଭୁବନେଶ୍ବର: ରେଳ ଷ୍ଟେସନରେ ଫୁଟିଲା ବୋମା । ଆତଙ୍କିତ ହୋଇଉଠିଲେ ରେଳଯାତ୍ରୀ । ମୁକାବିଲା ପାଇଁ ବାହାରିଲେ ଆରପିଏଫ ଓ ଜିଆରପି ପୋଲିସ । ବୋମା ସନ୍ଧାନ ମିଳିବା କ୍ଷଣି କଟକ ରେଲୱେ ବମ ସ୍କ୍ବାର୍ଡ ଓ ଆରପିଏଫ ଡଗସ୍କ୍ବାର୍ଡ ବାହାରିଲେ ଅପରେସନରେ । ମେଟାଲ ଡିଟେକ୍ଟର ଆଲାରମିଂ ସିଷ୍ଟମ ସମସ୍ତ ବ୍ୟବସ୍ଥା ନେଇ ବୋମା ନିଷ୍କ୍ରିୟ ପାଇଁ ହେଲା ପ୍ରସ୍ତୁତି । ଶେଷରେ ସଫଳ ହେଲା ଜିଆରପି ଓ ଆରପିଏଫ ଟିମ । ଏଭଳି ନାଟକୀୟ ଢଙ୍ଗରେ ଭୁବନେଶ୍ବର ରେଳଷ୍ଟେସନରେ ହୋଇଛି ମକ ଡ୍ରିଲ । ଆତଙ୍କୀ ଆକ୍ରମଣ କିମ୍ବା କୌଣସି ବିସ୍ଫୋରଣର ସୁରାକ ମିଳିଲେ କିଭଳି ଏହାର ମୁକାବିଲା କରାଯିବ ସେନେଇ ପ୍ରୟାସ ଆରମ୍ଭ କରିଥିଲେ ସମସ୍ତ ରେଳ ଅଧିକାରୀ ।
କୌଣସି ଅପ୍ରିତିକର ପରିସ୍ଥିତିରେ କିପରି ସଠିକ ଭାବେ ସଠିକ ପ୍ଲାନିଂରେ ମୁକାବିଲା କରିହେବ ସେନେଇ ମକଡ୍ରିଲ କରିଥିଲେ । ସେପଟେ, ଏହାକୁ ନେଇ କିଛି ସମୟ ପାଇଁ ଷ୍ଟେସନରେ ଥିବା ଲୋକେ ଭୟଭୀତ ହୋଇପଡିଥିଲେ । ହେଲେ ସତ ଜଣାପଡିବା ପରେ ସମସ୍ତେ ଜିଆରପି, ଆରପିଏଫସ ରେଲୱେ ଷ୍ଟାପ, ଡଗସ୍କ୍ବାର୍ଡ ଓ ବୋମା ସ୍କ୍ବାର୍ଡକୁ ଶୁଭେଚ୍ଛା ଜଣାଇଥିଲେ ।
ଅନେକ ସମୟରେ ଦେଶର ବିଭିନ୍ନ ବଡବଡ ସହରରେ ଆତଙ୍କୀମାନେ ରେଳ ଷ୍ଟେସନକୁ ଟାର୍ଗେଟ କରି ଆସୁଛନ୍ତି । କିଛି ଦିନ ପୂର୍ବେ ଏନଆଇଏର ଏକ ରିପୋର୍ଟ ପରେ ଆଲର୍ଟ ରହିବାକୁ ରେଲୱେ ସହ ବୈଠକ କରିଥିଲେ ପୋଲିସ ଡିଜି । ରେଳ ଷ୍ଟେସନ ଓ ଏହାର ଆଖପାଖ ବସ୍ତି ସହ କଲୋନିରେ ନଜର ରଖିବାକୁ କଡା ନିର୍ଦ୍ଦେଶ ରହିଛି । ଏଥିସହ ସୁରକ୍ଷା ଦୃଷ୍ଟିରୁ ଆରପିଏଫ ମୁତୟନ ହୋଇଛି । ଜିଆରପି ଆଲର୍ଟ ଓ ସିସିଟିଭ ସହ ଷ୍ଟେସନ ଭିତରକୁ ପ୍ରବେଶ ପ୍ରସ୍ଥାନ ଉପରେ କଡା ଚେକିଂ ମଧ୍ୟ ଜୋରଦାର କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସୁରକ୍ଷା ବଳ ଓ ପୋଲିସ କର୍ମଚାରୀଙ୍କ ଏପରି ମକ ଡ୍ରିଲ ସମସ୍ତଙ୍କ ଭିତରେ ଏକ ବିଶ୍ବାସ ଯୋଗାଇଛି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ