ଭୁବନେଶ୍ବର: ରେଳଷ୍ଟେସନରେ ରୋଡ ରୋମିଓଙ୍କ ଉନ୍ମତ୍ତ କାଣ୍ଡ । ଯୁବତୀଙ୍କୁ କମେଣ୍ଟ ମାରିଲେ । ଅଶାଳୀନ ଭାଷାରେ ଗାଳି ଗୁଲଜ କଲେ । ପାଟି କରିବାରୁ ଯୁବତୀଙ୍କୁ ମାଡ ମାରିବାକୁ ମଧ୍ୟ ଉଦ୍ୟମ କଲେ । ଆଉ ପ୍ରତିରକ୍ଷା ପାଇଁ ରୋଡ ରୋମିଓକୁ ଉଚିତ୍ ଜବାବ ଦେଇଛନ୍ତି ଯୁବତୀ । କିଛି ସମୟ ପାଇଁ ରେଳଷ୍ଟେସନରେ ଦେଖିବାକୁ ମିଳିଥିବା ଏଭଳି ଘଟଣା । ଆଉ ଆଶ୍ଚର୍ଯ୍ୟକର ଘଟଣା ହେଉଛି ଖବର ପାଇ ଜିଆରପି ପୋଲିସ ପହଞ୍ଚି ଥିଲେ, ହେଲେ ଏହାକୁ ନିତିଦିନିଆ ଘଟଣା କହି ଚାଲିଯାଇଥିଲା ।
ପୁରା ଘଟଣା ଏମିତି, ସମୟ ପାଖାପାଖି ଦିନ ୧୨ଟା ୩୦ । ଷ୍ଟେସନର ମୁଖ୍ୟ ପ୍ରବେଶ ପଥର ବାମ ପାର୍ଶରେ ଥିବା ଏଟିଏମ ସାମ୍ନାରେ ଜଣେ ଯୁବତୀ ଅପେକ୍ଷା କରିଥିଲେ । ଏହି ସମୟରେ ହଠାତ୍ ଜଣେ ୨୦ ବର୍ଷିୟ ଯୁବକ ତାଙ୍କୁ ଦୁର୍ବ୍ୟବହାର କରିଥିଲେ । ଏପରିକି ଯୁବତୀ ଜଣକ ଚିତ୍କାର କରିବାରୁ ଯୁବକ ଜଣକ ତାଙ୍କୁ ମାଡ ମାରିବାକୁ ଉଦ୍ୟମ କରିଥିଲେ ।
ତେବେ ନିଜକୁ ବଞ୍ଚାଇବା ପାଇଁ ଯୁବତୀ ନିଜ ପାଖରେ ଥିବା ଏକ ସେଫଟି ପିନ୍ରେ ଯୁବକଙ୍କୁ ଆକ୍ରମଣ କରିଥିଲେ । ପରେ ଷ୍ଟେସନ ଭିତରକୁ ଦୌଡି ପଳାଇଥିଲେ । ଏତିକିରେ ବି ଯୁବକଙ୍କ ମନ ଶାନ୍ତ ହୋଇ ନଥିଲା । ପାଖରେ ପଡିଥିବା ଏକ ବାଉଁଶକୁ ଧରି ଯୁବତୀଙ୍କୁ ଆକ୍ରମଣ ପାଇଁ ଗୋଡାଇଥିଲେ । ଆଖି ସାମ୍ନାରେ ଏମିତି ଘଟଣା ଘଟୁଥିଲେ ବି ଲୋକେ ସାଜିଥିଲେ ଦେଖଣାହାରୀ ।
ସେଠାରେ ସିସିଟିଭି କିମ୍ବା ଆରପିଏଫ କେହି ନଥିବାରୁ ଯୁବକ ଜଣକ ବେଶ କିଛି ସମୟ ଧରି ଅଶାଳୀନ ଭାଷାରେ ଗାଳି ଗୁଲଜ କରିଥିଲେ । ଖବର ପାଇ ଘଟଣା ସ୍ଥଳରେ ରେଲଓ୍ବେ ପୋଲିସ ପହଞ୍ଚିଥିଲା ହେଲେ ନିତିଦିନିଆ ଘଟଣା କହି ସେଠାରୁ ଚାଲିଯାଇଥିଲା । ଏଠି ପ୍ରଶ୍ନ ଉଠୁଛି, ରାଜ୍ୟର ପ୍ରମୁଖ ସ୍ଥାନରେ ଯଦି ମହିଳା ଅସୁରକ୍ଷିତ ଅନ୍ୟ ସ୍ଥାନରେ କେତେ ସୁରକ୍ଷିତ ? ଏନେଇ ରେଳବାଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ