ଭୁବନେଶ୍ବର: ଆଜି ହେଉଛି ସୂଚନା ଅଧିକାର ଦିବସ(Right to Information Day) । ପ୍ରତିବର୍ଷ ଅକ୍ଟୋବର ୧୨ ତାରିଖକୁ ସୂଚନା ଅଧିକାର ଦିବସ ଭାବେ ପାଳନ କରାଯାଏ । ୨୦୦୫ ଅକ୍ଟୋବର ୧୨ ତାରିଖରେ ଆମ ଦେଶରେ ସୂଚନା ଅଧିକାର ଆଇନ କାର୍ଯ୍ୟକାରୀ ହୋଇଥିଲା । ଏହି ନିୟମ ଜାମ୍ମୁ କାଶ୍ମୀର ବ୍ୟତୀତ ସମଗ୍ର ଭାରତର ସବୁ ରାଜ୍ୟର ଜନ ସାଧାରଣ ବ୍ୟବହାର କରି ପାରିବେ। ୨୦୦୫ ଜୁନ ୧୫ ତାରିଖରେ ସଂସଦରେ ସୂଚନା ଅଧିକାର ଆଇନ ବା ଆରଟିଆଇ ବିଲ ପାରିତ ହେବା ପରେ ଅକ୍ଟୋବର ୧୨ ତାରିଖ ୨୦୦୫ ଠାରୁ ଏହା କାର୍ଯ୍ୟକାରୀ ହେଉଛି ।
ଭାରତର ନାଗରିକ ହିସାବରେ ପଞ୍ଚାୟତ ଠାରୁ ଆରମ୍ଭ କରି ସଚିବାଳୟ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟାଳୟରୁ ଆପଣଙ୍କ ସୂଚନା ପାଇବାର ଅଧିକାର ରହିଛି ଏହା ଆପଣଙ୍କ ଆଇନଗତ ଅଧିକାର। ତେଣୁ ଏହି ଆଇନ ମାଧ୍ୟମରେ ଆପଣ ସମସ୍ତ ତଥ୍ୟ ପାଇପାରିବେ । ଏହାକୁ ନେଇ କେନ୍ଦ୍ରସରକାର ଅବା ରାଜ୍ୟ ସରକାର ଅଥବା ସ୍ଥାନୀୟ ପ୍ରଶାସନର ଯେ କୋଣସି କାର୍ଯ୍ୟାଳୟ ବା ବ୍ୟକ୍ତି ବିଶେଷ ସୂଚନା ଦେବା ପାଇଁ ଲୋକ ସୂଚନା ଅଧିକାରୀ ଅଛନ୍ତି । ଏହାଙ୍କ ଠାରୁ ଆପଣ ସମସ୍ତ ସୂଚନ ପାଇବା ସହ ନିୟୋଜିତ ଲୋକସୂଚନା ଅଧିକାରୀ ଆପଣଙ୍କ ଆବେଦନର ତଦାରଖ କରି ଆପଣଙ୍କୁ ସୂଚନା ଦେବା ତାଙ୍କର ପ୍ରଥମ କର୍ତ୍ତବ୍ୟ ହୋଇଥାଏ । ତେଣୁ ଏହି ଆଇନ ଭାରତୀୟ ସମ୍ବିଧାନ ପରି ଏକ ବରିଷ୍ଠ ଆଇନ ନାଗରିକଙ୍କ ସୁରକ୍ଷା ଓ ସୂଚନା ସମ୍ପର୍କିତ । ଏହି ଆଇନ ମାଧ୍ୟମରେ ଆମେ ଏକ ଦୁର୍ନୀତି ଉପରୁ ପରଦା ଉଠାଇପାରିବ ବା ପ୍ରତିଟି ଘଟଣାର ସ୍ୱଚ୍ଛତା ବିଷୟରେ ଜାଣିପାରିବା । ତେଣୁ ପ୍ରତିଟି ନାଗରିକ ଏହି ଆଇନ ବିଷୟରେ ଜାଣିବା ସହ ଏହାର ଉପଯୋଗ କରିବା ପାଇଁ ବୁଦ୍ଧ ମନ୍ଦିରରେ ସୂଚନା ଅଧିକାର ଦିବସ ପାଳନ ଅବସରେ ଉପସ୍ଥିତ କର୍ମୀ ମାନେ କହିଛନ୍ତି ।
ଅନ୍ୟପଟେ ଆରଟିଆଇ ଦୁର୍ନୀତି ମୁକ୍ତ ଶାସନ ବ୍ୟବସ୍ଥା ଗଠନ କରିବାରେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। କୌଣସି ସରକାରୀ ଅଧିକାରୀ ହୁଅନ୍ତୁ ବା ଜନପ୍ରତିନିଧି, ଦୁର୍ନୀତିରେ ସମ୍ପୃକ୍ତ ଥିଲେ ଆରଟିଆଇ ମାଧ୍ୟମରେ ଏହା ଖୁଲାସା ହୋଇପାରୁଛି। ତେଣୁ ଆରଟିଆଇ ତଥ୍ୟ ମାଧ୍ୟମରେ ଦୁର୍ନୀତି ଖୁଲାସା କରୁଥିବା ଯୋଗୁଁ ଅଧିକାଂଶ ସମୟରେ ସୂଚନା ଅଧିକାର କର୍ମୀମାନେ ରାଜନେତା ଆଉ ଅଫିସର ମାନଙ୍କ ରୋଷର ଶିକାର ହେଉଛନ୍ତି। ହେଲେ ଏସବୁ ଘଟଣାରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବା ବେଳେ ଆରଟିଆଇ କର୍ମୀ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହାକୁ ରୋକିବା ଦିଗରେ ଜନସଚେତନତାର ଆବଶ୍ୟକ ରହିଛି ବୋଲି କହିଛନ୍ତି ସମାଜସେବୀ ଜଗଦାନନ୍ଦ ।
ଏନେଇ ସୂଚନା ଅଧିକାର କର୍ମୀ ମନୋରଞ୍ଜନ ପଣ୍ଡା କହିଛନ୍ତି ଯେ, "ଆମେ ଆଜି ସୂଚନା ଅଧିକା ଦିବସକୁ ପାଳନ କରୁଛୁ । ଭାରତବର୍ଷର ସମସ୍ତ ଶିକ୍ଷାନୁଷ୍ଠାନ ଏହି ଦିବସକୁ ପାଳନ କରୁଛନ୍ତି । ସାଧାରଣ ଲୋକଙ୍କର ଯେଉଁ ମୌଳିକ ସମସ୍ୟା ରହିଛି ତାହା କେମିତି ସୂଚନାଅଧିକାର ବଳରେ ସମାଧାନ କରିପାରିବେ । ଏହାର ପ୍ରଚାର ପ୍ରସାର ପାଇଁ ଆମେ ଯୁବଗୋଷ୍ଠୀକୁ ସାମିଲ କରୁଛୁ ।"
ଇଟିଭି ଭାରତ, ଭୁବନେଶ୍ବର