ଭୁବନେଶ୍ବର: ଆଜି ପିପିଲି ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ଆସନ୍ତା ସେପ୍ଟେମ୍ବର ୩୦ ତାରିଖରେ ନିର୍ବାଚନ ପାଇଁ ଭୋଟ ଗ୍ରହଣ କରାଯିବ । ତେବେ ଏହି ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆସିଛି ବିଭିନ୍ନ ଦଳର ପ୍ରତିକ୍ରିୟା । ପ୍ରତି ଦଳ ନିର୍ବାଚନରେ ବିଜୟଲାଭ କରିବେ ବୋଲି କହିଥିବା ଦେଖିବାକୁ ମିଳିଛି ।
ପିପିଲିରେ ଯେତେବେଳେ ନିର୍ବାଚନ ହେବ ବିଜେଡି ଜିତିବ । ୪୦ ହଜାର ଭୋଟରୁ ଅଧିକ ବ୍ୟବଧାନରେ ଜିତିବ। ସରକାରଙ୍କ ଉନ୍ନତିମୂଳକ କାର୍ଯ୍ୟ ଓ ମୁଖ୍ୟମନ୍ତ୍ରୀଙ୍କ ଚିନ୍ତାଧାରାକୁ ନେଇ ଦଳ ନିର୍ବାଚନ ଲଢ଼ିବ। ବିଜେପି ଯାହା ପ୍ରସଙ୍ଗ କଲେ ବି କିଛି ପ୍ରଭାବ ପଡିବ ନାହିଁ ବୋଲି କହିଛନ୍ତି ବିଜେଡ଼ି ବିଧାୟିକା ପ୍ରମିଳା ମଲ୍ଲିକ ।
ସେପଟେ ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତ ରାୟଙ୍କ ମଧ୍ୟ ପ୍ରତିକ୍ରିୟା ଆସିଛି । କଂଗ୍ରେସର ଯୁବପ୍ରାର୍ଥୀ । ଏଣୁ କଂଗ୍ରେସ ନିଶ୍ଚିତ ଜିତିବ ବୋଲି କହିଛନ୍ତି ସୁର । ଲୋକ ଆମ ଉପରେ ଭରସା କରିବେ । ବିଭିନ୍ନ ପ୍ରସଙ୍ଗ ନେଇ ଆମେ ଲୋକଙ୍କ ପାଖକୁ ଯିବୁ ବୋଲି କହିଛନ୍ତି ବିଧାୟକ ସୁର ।
ସେପଟେ ବିଜେପି ବିଧାୟକ ଲଳିତେନ୍ଦୁ ମହାପାତ୍ର ଜିତିବା ନେଇ ଆଶା ବ୍ୟକ୍ତ କରିଛନ୍ତି । ଲୋକେ ସରକାରଙ୍କ ବିରୋଧରେ ଯିବେ। ଫନି କ୍ଷତିଗ୍ରସ୍ତଙ୍କୁ ସହାୟତା ଦେବାରେ ସରକାର ବିଫଳ ହୋଇଛନ୍ତି । ତେଣୁ ଲୋକେ ବିଜେପିକୁ ଭରସା କରିବେ, ଆମ ପ୍ରାର୍ଥୀ ଜିତିବ ବୋଲି ସେ କହିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ