ହାଇଦ୍ରାବାଦ: ତାଙ୍କ କଣ୍ଠରେ ଥିଲା କେବଳ ଭକ୍ତି ଆଉ ଭାବ, ମନରେ ଜଗନ୍ନାଥଙ୍କ ପ୍ରତି ସମର୍ପଣ ଭାବନା । କେତେବେଳେ ତାଙ୍କ ‘ହାତରେ ମୁଠା ମୁଠା ସରଧା ବାଲି ତ’ ଆଉ କେତେବେଳେ ସେ ‘ବଡ ଦେଉଳର ପାରା’ । ପୁଣି କେତେବେଳେ ମହାପ୍ରଭୁଙ୍କ ନିକଟରେ ‘କେଉଁ ଅପରାଧେ କଲ ଦାଣ୍ଡର ଭିକାରୀ’ ତ ଆଉ କେତେବେଳେ ତୋ ବଡ ଦାଣ୍ଡେ ଯୋଗୀଟିଏ କରିଦେ ର ଅଭିଳାଷା । ଏହିପରି ମହାପ୍ରଭୁଙ୍କ ନିକଟରେ ଭାବ ଆଉ ଭକ୍ତିର ଗାନ କରୁ କରୁ ଭିକାରୀ ବଳରୁ ସାଜିଲେ 'ଭଜନ ସମ୍ରାଟ' । ଆଜି ଏହି 'ଭଜନ ସମ୍ରାଟ' ଭିକାରୀ ବଳଙ୍କ ୧୧ତମ ଶ୍ରାଦ୍ଧ ବାର୍ଷିକୀ ।
1929 ମେ' 25 ତାରିଖରେ କେନ୍ଦ୍ରପଡା ସ୍ଥିତ ସୋବଳାରେ ଭୂମିଷ୍ଠ ହୁଅନ୍ତି ଭଜନ ସମ୍ରାଟ । ପିତା ରାମଚନ୍ଦ୍ର ବଳ ଏବଂ ମାତା ଗେହ୍ଲାରାଣୀ ବଳ । ତାଙ୍କ ବାପା-ମାଆଙ୍କ ସବୁ ସନ୍ତାନ ଜନ୍ମ ପରେ ମରିଯାଉଥିଲେ, କେବଳ ଭିକାରୀ ହିଁ ଜୀବିତ ରହିବାରୁ ତାଙ୍କ ନାମ 'ଭିକାରୀ' ରଖିଥିଲେ । ପିଲାଟି ବେଳୁ ତାଙ୍କ ବାପା-ମାଆ ଆରପାରିକୁ ଚାଲି ଯାଇଥିଲେ । କିନ୍ତୁ ଦାରିଦ୍ର୍ୟ ତାଙ୍କୁ ସଙ୍ଗୀତରୁ ଦୂରେଇ ପାରିନଥିଲା । ନବମ ଶ୍ରେଣୀରୁ କଲମ ଛାଡି ସେ ଧରିଥିଲେ ହାରମୋନିୟମ । ସେବେଠାରୁ ଆଉ ପଛକୁ ଫେରି ଚାହିଁ ନାହାନ୍ତି ।
ତାଙ୍କ ପାଇଁ ଜୀବନ ଥିଲା ସଙ୍ଗୀତ । କଟକ କଳାବିକାଶ କେନ୍ଦ୍ରରୁ ଓଡିଶୀ ସଙ୍ଗୀତ ଶିକ୍ଷାଲାଭ କରିଥିଲେ । କୋଠ ଭୋଗ ଖିଆ ଗୀତ ପରଠୁ ଘରେ ଘରେ ପରିଚିତ ହୋଇଥିଲେ ଭିକାରୀ । ଏହି ଗୀତ ୭୦ ଦଶକରେ ଭକ୍ତି ଭାବର ଏକ ଅନନ୍ୟ ଧାରା ସୃଷ୍ଟି କରିଥିଲା । ସେ ପାରମ୍ପରିକ ଓଡ଼ିଶୀ ସଙ୍ଗୀତର ବିଭିନ୍ନ ବିଭାଗ, ଯଥା ଚଉପଦୀ, ଛାନ୍ଦ, ଚମ୍ପୂ, ଚଉତିଶା, ଭଜନ, ଜଣାଣ, ଇତ୍ୟାଦି ସଙ୍ଗେ ସଙ୍ଗେ ପଲ୍ଲୀଗୀତ, ଆଧୁନିକ ଗୀତ ରେକର୍ଡ଼ କରିଛନ୍ତି । ଓଡିଆ ଚଳଚ୍ଚିତ୍ରରେ ମଧ୍ୟ କଣ୍ଠଦାନ କରିଛନ୍ତି । ତାଙ୍କ କଣ୍ଠର ପ୍ରତିଟି ସଙ୍ଗୀତ ଭକ୍ତିରସର ଭାବଧାରା ପ୍ଳାବିତ କରେ ଅଗଣିତ ଜଗନ୍ନାଥପ୍ରେମୀଙ୍କ ହୃଦୟକୁ ।
ଏହିପରି ଜଗନ୍ନାଥ ଜଗନ୍ନାଥ ହେ, କିଛି ମାଗୁନାହିଁ ତୋତେ... ତୋର ସାଆନ୍ତପଣକୁ କିଏ ସରିକି... କୋଠ ଭୋଗଖିଆ... ଭଜୁ କି ରାମ ନାମ... ମୁଁ ତୋ ବଡ ଦେଉଳର ପାରା, ତୋ ଦାଣ୍ଡ ଧୂଳି ମୁଁ ନହେଲେ ନାହିଁ, ଷାଠିଏ ପଉଟି ଭୋଗରୁ ତୁମର... ଇତ୍ୟାଦି ସଙ୍ଗୀତ ତାଙ୍କୁ ଘରେ ଘରେ ପରିଚିତ କରାଇପାରିଥିଲା । ତାଙ୍କର ଶେଷ ଆଲବମ୍ ଭଜନ ଥିଲା ୨୦୦୫ ରେ 'ଚଗଲା ମନ' ।
ଏହିପରି ଓଡିଶା ଭଜନ ଜଗତକୁ ଗୋଟିଏ ପରେ ଗୋଟିଏ ସଫଳତା ଦେଇ ପୁରୀର ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ କର କମଳରୁ 'ଭଜନ ସମ୍ରାଟ' ଉପାଧୀ ପାଆନ୍ତି । ଏପରିକି ତାଙ୍କୁ ଶ୍ରୀମନ୍ଦିର ସେବା ପାଇଁ ଅନୁମତି ଦିଆ ଯାଇଥିଲା । ସେ ଜଗନ୍ନାଥଙ୍କ ଚାମର ସେବା ପାଇଁ ମଧ୍ୟ ସୁଯୋଗ ପାଇଥିଲେ । ପାର୍କିନସନ୍ ରୋଗରେ ପୀଡିତ ହୋଇ ୨୦୧୦ ମସିହା ଆଜିର ଦିନରେ ଇହଲୀଳା ତ୍ୟାଗ କରିଥିଲେ ଭଜନ ସମ୍ରାଟ । ହେଲେ ଓଡିଶା ସଙ୍ଗୀତ ଜଗତ ଥିବା ପର୍ଯ୍ୟନ୍ତ ତାଙ୍କ ଅବଦାନ ସ୍ମରଣୀୟ ରହିବ । ଭଜନ କଥା ମନେ ପଡିଲେ ଭିକାରୀ ମନେ ପଡିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ