ଭୁବନେଶ୍ବର: ବଦଳୁଛୁ ପ୍ରଦେଶ କଂଗ୍ରେସର ପାଣିପାଗ । ନୂତନ ପ୍ରଭାରୀ ନିଯୁକ୍ତ ପରେ ଓଡିଶା କଂଗ୍ରେସରେ ନୂତନ ହାୱା ବହିବା ନେଇ ଚର୍ଚ୍ଚା ଜୋର ଧରିଲାଣି । ପ୍ରଦେଶ କଂଗ୍ରେସର ନୂଆ ପ୍ରଭାରୀ ଭାବେ ଚେଲ୍ଲା କୁମାରଙ୍କୁ ଦିଆଯାଇଛି ଦାୟିତ୍ବ । ଆଉ ଏହି ନୂଆ ଦାୟିତ୍ବ ପରେ ଓଡିଶା କଂଗ୍ରେସ ମୁଖିଆ ପରିବର୍ତ୍ତନ ନେଇ ଆଭାସ ଦେଲେଣି କଂଗ୍ରେସର ଛାମୁଆ ନେତାଗଣ । ସେପଟେ ଏଆଇସିସିରେ ବ୍ୟାପକ ପରିବର୍ତ୍ତନ ହେଉଥିବାରୁ ରାଜ୍ୟର କଂଗ୍ରେସ ନେତୃତ୍ଵରେ ପରିବର୍ତ୍ତନ ନେଇ ଚର୍ଚ୍ଚା ହେଉଛି ।
ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ସାସଂଦ ଭକ୍ତ ଦାସଙ୍କୁ ଏଆଇସିସି ପକ୍ଷରୁ ଦିଆଯାଇଛି ନୂଆ ଦାୟିତ୍ବ । ମିଜୋରାମ୍ ଓ ମଣିପୁରର ନୂଆ ପିସିସି ପ୍ରଭାରୀ ନିଯୁକ୍ତି ହୋଇଛନ୍ତି ଭକ୍ତ । ତେବେ ନୂତନ ଓଡିଶା ପ୍ରଭାରୀଙ୍କୁ ନେଇ ଭକ୍ତ ଦାସ କହିଛନ୍ତି ଯେ, ’’ଚେଲ୍ଲା କୁମାର ଜଣେ ଦକ୍ଷ ନେତା । ସମସ୍ତ ସଂଘଠନକୁ ମଜଭୁତ କରିବାର କ୍ଷମତା ତାଙ୍କ ନିକଟରେ ରହିଛି । ସେ ଭଲ ସଙ୍ଗଠକ । ସେ ଓଡ଼ିଶାର କଂଗ୍ରେସ ବିଷୟରେ ଅବଗତ ଅଛନ୍ତି ।’’
ସେପଟେ ଓଡ଼ିଶାରେ ପିସିସି ପରିବର୍ତ୍ତନ ପ୍ରସଙ୍ଗରେ ଭକ୍ତ ଦାସ କହିଛନ୍ତି, ସମସ୍ତଙ୍କ ପାଖରେ ଅନୁଭବ ରହିଛି । ଇଛାଶକ୍ତି ଓ ସମୟ ଦେବା ଦରକାର । ଯାହାକୁ ବି ଦାୟିତ୍ଵ ଦିଆଯିବ ଏକ ଟିମ ଗଠନ କରି ଦୃଢମନ ନେଇ କାର୍ଯ୍ୟ କରିବା ଉଚିତ ।’’
ସେପଟେ ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ କହିଛନ୍ତି, ନୂତନ ପ୍ରଭାରୀ ନିଯୁକ୍ତି ପରେ ରାଜ୍ୟରେ ବିରାଟ ପରିବର୍ତ୍ତନ ନେଇ ଆଭାସ ମିଳୁଛି । ପ୍ରଦେଶ କଂଗ୍ରେସରେ ଗୋଟିଏ ଇଞ୍ଜିନ ଦରକାର ଥିଲା । ଯାହା ଚାଲ୍ଲା କୁମାରଙ୍କ ନିଯୁକ୍ତିରେ ପୂରଣ ହୋଇଛି । ତାଙ୍କ ନେତୃତ୍ବରେ ଯୁବ କଂଗ୍ରେସ କର୍ମୀ ଉତ୍ସାହିତ ଅଛନ୍ତି । ଯିଏ ବି ପିପିସି ସଭାପତି ହେବ ତାଙ୍କୁ ଆମେ ଗ୍ରହଣ କରିବୁ ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ