ଭୁବନେଶ୍ବର: ଆମ ଦଳ ଲୋକଙ୍କ ସାଥୀରେ ଅଛି । ଲୋକଙ୍କ ପାଇଁ କାମ କରୁଛି । ତେଣୁ ଆମ ସରକାରର ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର ବାର୍ତ୍ତା କିପରି ଲୋକଙ୍କ ପାଖରେ ପହଞ୍ଚିପାରିବ, ତାହା ଉପରେ ଧ୍ୟାନ ଦିଅ । କର୍ଣ୍ଣାଟକ ବେଙ୍ଗାଲୁରରୁ ଏମିତି ବାର୍ତ୍ତା ଦେଇଛନ୍ତି ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗାନ୍ଧୀ ଜୟନ୍ତୀରୁ ସାରା ରାଜ୍ୟରେ ଆରମ୍ଭ ହେଉଥିବା ବିଜୁ ଜନତା ଦଳର ଏକ ମାସ ବ୍ୟାପି ଜନସମ୍ପର୍କ ପଦଯାତ୍ରାକୁ ସଫଳ କରିବାକୁ ନବୀନ ବେଙ୍ଗାଲୁରରୁ ଆହ୍ଵାନ ଦେଇଛନ୍ତି ।
ଦେଶର ସ୍ଵାଧୀନତା ସଂଗ୍ରାମରେ ଓଡ଼ିଶାର ସଂଗ୍ରାମୀମାନଙ୍କ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି । ସେହି ବରପୁତ୍ରମାନଙ୍କ ଅବଦାନ ସଂପର୍କରେ ମଧ୍ୟ ଲୋକଙ୍କୁ ସ୍ମରଣ କରାଇବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ବରମୁଣ୍ଡା ପଡ଼ିଆରେ ଆରମ୍ଭ ହୋଇଥିବା ପଦଯାତ୍ରା ପ୍ରସ୍ତୁତି ବୈଠକର ପ୍ରଥମ ଦିନରେ ସାରା ଓଡ଼ିଶାରୁ ଦଳର ଯୁବ, ଛାତ୍ର ଓ ମହିଳା ସଂଗଠନର କର୍ମକର୍ତ୍ତା, ଦଳର ସମସ୍ତ ମନ୍ତ୍ରୀ, ବିଧାୟକ, ସାଂସଦ ଏବଂ ରାଜ୍ୟ କର୍ମକର୍ତ୍ତାମାନେ ଯୋଗ ଦେଇଛନ୍ତି । ଏହି ସମାବେଶର ଅଧ୍ୟକ୍ଷତା କରିଛନ୍ତି ବିଜେଡିର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।
ଏହାବି ପଢନ୍ତୁ- ଭାରତରେ ଲଞ୍ଚ୍ ହେଲା Amazon Fire TV Cube 3G
ପ୍ରଣବ କହିଛନ୍ତି, "୧୯୯୭ ଏପ୍ରିଲ ୧୭ ତାରିଖରେ ବିଜୁ ବାବୁଙ୍କ ଦେହାନ୍ତ ପରେ କିଏ ଓଡ଼ିଶାର ନେତୃତ୍ଵ ନେବ, ଏହାକୁ ନେଇ ଓଡ଼ିଶାବାସୀଙ୍କ ମଧ୍ୟରେ ଘୋର ନିରାଶାର ଅନ୍ଧକାର ସୃଷ୍ଟି ହୋଇଥିଲା । ଏହି ଅନ୍ଧକାର ଭିତରେ ତାଙ୍କ ସୁପୁତ୍ର ନବୀନ ପଟ୍ଟନାୟକ ଓଡ଼ିଶାକାରୀଙ୍କ ଉତ୍କଣ୍ଠା ଓ ଆକାଂକ୍ଷାର ଅନ୍ତ ଘଟାଇ ଆଶାର ଆଲୋକ ହୋଇ ଉଭା ହୋଇଥିଲେ । ବିଜୁବାବୁଙ୍କ ସ୍ଵପ୍ନକୁ ପୂରଣ କରିବା ପାଇଁ ସେଦିନ ସେ ସଂକଳ୍ପ ନେଇଥିଲେ । ସେବେଠୁ ମୁଖ୍ୟମନ୍ତ୍ରୀ ଓଡ଼ିଶାର ସାମଗ୍ରିକ ବିକାଶ ପାଇଁ ଉତ୍ସର୍ଗୀକୃତ ଭାବେ କାମ କରିଚାଲିଛନ୍ତି ।"
ଆଜି ନବୀନ ଓଡ଼ିଶାର ବିଶ୍ଵକର୍ମା ଏବଂ ସାଢ଼େ ଚାରି କୋଟି ଓଡ଼ିଆଙ୍କ ଆଶା ଓ ଉପସାର ପ୍ରତୀକ ସାଜିଛନ୍ତି । ୨୫ ବର୍ଷ ତଳେ ନବୀନ ବାବୁ ବିଜେଡିର ଯେଉଁ ଚାରାଟିଏ ପୋତିଥିଲେ, ତାହା ଆଜି ମହାଦ୍ରୁମରେ ପରିଣତ ହୋଇଛି । ଓଡ଼ିଶାରେ ସ୍ଵାର୍ଥ ରକ୍ଷା ପାଇଁ ବିଜୁ ଜନତା ଦଳ ଏକ ସାମୂହିକ ଆନ୍ଦୋଳନର ରୂପ ନେଇଛି । ଏତେ ବର୍ଷ ପରେ ବି ଦଳ ଏହାର ପ୍ରତିବଦ୍ଧତାରୁ ବିଚ୍ୟୁତ ହୋଇନାହିଁ । ତେଣୁ ଏହି ପ୍ରତିବଦ୍ଧତାକୁ ଆଗକୁ ନେବା ଲାଗି ଆମର ଉତ୍ତରଦାୟିତ୍ଵ ରହିଛି । ପଦଯାତ୍ରାକୁ ସଫଳ କରିବା ପାଇଁ ପ୍ରଣବ ଆହ୍ୱାନ ଦେଇଛନ୍ତି ।
ଏହାବି ପଢନ୍ତୁ- World Heart Day: ହୃଦୟର ଭାଷା ବୁଝନ୍ତୁ, ସୁସ୍ଥ ରୁହନ୍ତୁ
କାର୍ଯ୍ୟକ୍ରମରେ ବିଜୁ ଜନତା ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ମନ୍ତ୍ରୀ ଅତନୁ ସବ୍ୟସାଚୀ, ଡ. ଅରୁଣ ସାହୁ, ଅଶୋକ ପଣ୍ଡା, ମନ୍ତ୍ରୀ ପ୍ରମିଳା ମଲ୍ଲିକ, ବିଜୁ ମହିଳା ଜନତା ଦଳର ସଭାପତି ସ୍ନେହାଙ୍ଗିନୀ ଛୁରିଆ, ସାଧାରଣ ସମ୍ପାଦକ ଯୁବ ବ୍ୟାପାର ପ୍ରଣବ ବଳବନ୍ତରାୟ, ସାଂସଦ ସସ୍ମିତ ପାତ୍ର, ବିଧାୟକ ଚନ୍ଦ୍ର ସାରଥୀ ବେହେରା, ବିଜୁ ଯୁବ ଜନତା ଦଳର ସଭାପତି ବ୍ୟୋମକେଶ ରାୟ, ବିଜୁ ଛାତ୍ର ଜନତା ଦଳର ସଭାପତି ଦେବୀରଂଜନ ତ୍ରିପାଠୀ ପ୍ରମୁଖ ବିଭିନ୍ନ ବିଷୟରେ ବକ୍ତବ୍ୟ ରଖି ପଦଯାତ୍ରାକୁ ସଫଳ କରିବାକୁ ଆହ୍ଵାନ ଦେଇଛନ୍ତି ।
ପ୍ରାରମ୍ଭରେ ଦଳର ବରିଷ୍ଠ ଉପସଭାପତି ଦେବୀପ୍ରସାଦ ମିଶ୍ର, ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ପ୍ରଦୀପ ଅମାତ, ଟୁକୁନି ସାହୁ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ପ୍ରମୁଖ ପ୍ରଦୀପ ପ୍ରଜ୍ଜ୍ଵଳନ କରି ସମାବେଶକୁ ଉଦଘାଟନ କରିଛନ୍ତି । ବନ୍ଦେ ଉତ୍କଳ ଜନନୀ ଗାନ ହେଲା ପରେ ବୈଠକ ଆରମ୍ଭ ହୋଇଛି । ଅନ୍ୟମାନଙ୍କ ମଧ୍ୟରେ ଦଳର ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟସାଣୀ, ମଙ୍ଗଳା କିଷାନ, ପଦ୍ମନାଭ ବେହେରା, ସଞ୍ଜୟ ଦାସବର୍ମା, ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଅଶ୍ଵିନୀ ପାତ୍ର, ରଘୁନନ୍ଦନ ଦାସ, ରୋହିତ ପୂଜାରୀ, ତୁଷାରକାନ୍ତି ବେହେରା, ବାସନ୍ତୀ ହେମ୍ରମ, ଅରୂପ ପଟ୍ଟନାୟକ, ସାଂସଦ ମାନସ ମଙ୍ଗରାଜ, ସୁଲତା ଦେଓ, କଟକ ମେୟର ସୁବାସ ସିଂ, ଭୁବନେଶ୍ଵର ମେୟର ସୁଲୋଚନା ଦାସ, ଦଳର ସବୁ ବିଧାୟକ ଓ ସାଂସଦମାନେ ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଭୁବନେଶ୍ବର