ଭୁବନେଶ୍ବର: ଏମ୍ସ ଭୁବନେଶ୍ୱରରେ ଏକ ବିରଳ ଅସ୍ତ୍ରୋପଚାର କରାଯାଇଛି । ଏହି ଅସ୍ତ୍ରୋପଚାର ସଫଳ ହୋଇଥିବା ଏମ୍ସ ପକ୍ଷରୁ କୁହାଯାଇଛି । କିଡନୀ କ୍ୟାନ୍ସରରେ ପୀଡିତ ଥିବା ଜଣେ ରୋଗୀ ଅସ୍ତ୍ରୋପଚାର ପରେ ନୂଆ ଜୀବନ ପାଇଛନ୍ତି । ଏହି ବିରଳ ଅସ୍ତ୍ରୋପଚାର ଓଡ଼ିଶାରେ ପ୍ରଥମ ଥର ହୋଇଥିବା ଜଣାପଡିଛି । ସଫଳ ଅସ୍ତ୍ରୋପଚାର ଲାଗି ଏମ୍ସର ୟୁରୋଲୋଜି ଡାକ୍ତରୀ ଟିମକୁ ବିଭିନ୍ନ ଆଡୁ ଶୁଭେଚ୍ଛା ବାର୍ତ୍ତା ମିଳିବାରେ ଲାଗିଛି ।
ଏମ୍ସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ପୁରୀ ଜିଲ୍ଲାର ଜଣେ 42 ବର୍ଷୀୟ ବ୍ୟକ୍ତିଙ୍କର ପ୍ରାଥମିକ ଭାବେ ପେଟ ଫୁଲିବା, ରକ୍ତ ପରିସ୍ରା ହେବା ସହ ଯନ୍ତ୍ରଣା ହୋଇଥିଲା । ଟେଷ୍ଟ ପରେ ଉକ୍ତ ବ୍ୟକ୍ତି କିଡନୀ କ୍ୟାନ୍ସରରେ ପୀଡିତ ଥିବା ଜଣାପଡିଥିଲା । ପରିବାର ଲୋକ ତାଙ୍କୁ ବିଭିନ୍ନ ସରକାରୀ ଓ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଇଥିଲେ । କୋଭିଡ଼ ସମସ୍ୟା ଓ ବ୍ୟୟ ବହୁଳ ଚିକିତ୍ସା ଲାଗି ରାଜ୍ୟ ବାହାରକୁ ଯିବାକୁ ବିଫଳ ହେବାରୁ ତାଙ୍କୁ ଏମ୍ସ ଭୁବନେଶ୍ୱରରେ ଭର୍ତ୍ତି କରାଯାଇଥିଲା । ସାଧାରଣତଃ କିଡନୀ କ୍ୟାନ୍ସରରେ ଟ୍ୟୁମର ମହା ଶିରା(ଭେନା କାଭା) ଦେଇ ଶରୀରର ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଅଙ୍ଗକୁ ପ୍ରସାରିତ ହୋଇଯାଏ । ଏହି କ୍ଷେତ୍ରରେ ଅସ୍ତ୍ରୋପଚାର ହିଁ ଏକମାତ୍ର ବିକଳ୍ପ । ଯଦି ଠିକ ସମୟରେ ଅସ୍ତ୍ରୋପଚାର ନହୁଏ, ତେବେ ଜୀବନ ରକ୍ଷା କରିବା କଷ୍ଟକର ହୋଇପଡେ । ଏହି ବିରଳ ଅସ୍ତ୍ରୋପଚାର ସୁବିଧା ବ୍ୟବସ୍ଥା ଏମ୍ସ ଦିଲ୍ଲୀ ସମେତ ଦେଶର ସ୍ବଳ୍ପ ସ୍ଥାନରେ ରହିଛି ।
ରାଜ୍ୟ ବାହାରର ଅନ୍ୟ ବଡ଼ ଘରୋଇ ହସ୍ପିଟାଲରେ ଚିକିତ୍ସା ଉପଲବ୍ଧ ଥିଲେ ମଧ୍ୟ ଏହା ବ୍ୟୟ ବହୁଳ । ଏହି ରୋଗୀଙ୍କ କ୍ଷେତ୍ରରେ ଟ୍ୟୁମର ଲିଭରରେ ପ୍ରବେଶ କରିବା ସହ ହାର୍ଟ ଆଡ଼କୁ ଅଗ୍ରସର ହେଉଥିଲା । ତେଣୁ ଏହି କ୍ଷେତ୍ରରେ ଅପରେସନ ଅବସମ୍ଭାବି ହୋଇପଡିଥିଲା । ପୂର୍ବରୁ ଓଡ଼ିଶାରେ ଏଭିଳି ଅସ୍ତ୍ରୋପଚାର ହୋଇନଥିବାରୁ ଏମ୍ସ ଭୁବନେଶ୍ୱର ଡାକ୍ତରଙ୍କ ଲାଗି ବଡ଼ ଚ୍ୟାଲେଞ୍ଜ ଥିଲା । ଏହି ଅପରେସନକୁ ଚ୍ୟାଲେଞ୍ଜର ସହ ନେଇ ସଫଳ କରିଛନ୍ତି ଏମ୍ସ ଭୁବନେଶ୍ୱରର ୟୁରୋଲୋଜି ଡାକ୍ତରୀ ଟିମ । ୟୁରୋଲୋଜି ବିଭାଗର ଏଚଓଡି ଡାକ୍ତର ପ୍ରଶାନ୍ତ ନାୟକଙ୍କ ନେତୃତ୍ୱରେ ୟୁରୋଲୋଜି ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ମନୋଜ ଦାସ, ଗ୍ୟାଷ୍ଟ୍ରୋସର୍ଜରୀ ବିଭାଗର ବ୍ରହ୍ମଦତ୍ତ ପଟ୍ଟନାୟକ ଏହି ବିରଳ ଅସ୍ତ୍ରୋପଚାର କରିଛନ୍ତି ।
ହୃଦ-ନିଶ୍ଚେତକ ବିଭାଗର ଡାକ୍ତର ସତ୍ୟଜିତ ମିଶ୍ରଙ୍କ ଲାଗି ମଧ୍ୟ ଏହି ବିରଳ ଅସ୍ତ୍ରୋପଚାର ଚ୍ୟାଲେଞ୍ଜ ଥିଲା ।CTVS ବିଭାଗର ଡାକ୍ତର ସତ୍ୟପ୍ରିୟ ମହାନ୍ତି ବୈଷୟିକ ସହଯୋଗ ପ୍ରଦାନ କରିଥିଲେ । ଏହି ବିରଳ ଅସ୍ତ୍ରୋପଚାରରେ ୟୁରୋଲୋଜି ବିଭାଗର MCH ଟ୍ରେନି ଡାକ୍ତର, ନର୍ସ, ଟେକ୍ନିସିଆନମାନେ ସହଯୋଗ କରିଛନ୍ତି । ଏହି ଅପରେସନରରେ ରୋଗୀର 20 ରୁ 30 ପ୍ରତିଶତ ମୃତ୍ୟୁ ହେବାର ସମ୍ଭାବନା ରହିଥାଏ । ତେଣୁ ପରିବାର ଲୋକଙ୍କ ସମ୍ମତିରେ ଅସ୍ତ୍ରୋପଚାର କରାଯାଇଥିଲା । ତେବେ ବର୍ତ୍ତମାନ ଉକ୍ତ ରୋଗୀ ସୁସ୍ଥ ହେବାରେ ଲାଗିଛନ୍ତି । ଏହି ବିରଳ ଅସ୍ତ୍ରୋପଚାରର ସଫଳତା ଲାଗି ଏମ୍ସ ନିର୍ଦ୍ଦେଶିକା ଡ. ବି ଗୀତାଞ୍ଜଳି ବତମନାବନେ ଟିମକୁ ସାଧୁବାଦ ଜଣାଇଛନ୍ତି ।
ଏଭଳି ବିରଳ ଅସ୍ତ୍ରୋପଚାର ଲାଗି ସମର୍ଥନ ଓ ପ୍ରେରଣା ଯୋଗାଇବା ସହ ଅନୁଷ୍ଠାନରେ ଅତ୍ୟାଧୁନିକ ଯନ୍ତ୍ରପାତି ଓ ବୈଷୟିକ ବ୍ୟବସ୍ଥା ଉପଲବ୍ଧ କରାଇଥିବାରୁ ନିର୍ଦ୍ଦେଶିକାଙ୍କୁ ଧନ୍ୟବାଦ ଜଣାଇଛନ୍ତି ଡାକ୍ତରୀ ଟିମ । ଏଭଳି ସଫଳ ଅସ୍ତ୍ରୋପଚାର ଲାଗି ଓଡିଶା ତଥା ପଡୋଶୀ ରାଜ୍ୟର ରୋଗୀଙ୍କର ଏମ୍ସ ଭୁବନେଶ୍ୱର ପ୍ରତି ଆସ୍ଥା ବଢ଼ିବାରେ ଲାଗିଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ