ଭୁବନେଶ୍ବର/ନିଆଳି: ଐତିହ୍ୟ ସୁରକ୍ଷା ନେଇ ଉଠିଛି ପ୍ରଶ୍ନ । ବାଲିଅନ୍ତା ଥାନା ରଙ୍ଗବଜାର ଟଙ୍କପାଣି ମନ୍ଦିରରୁ ଦୁର୍ଲଭ ୫ ଶହ ବର୍ଷର ଅଷ୍ଟଧାତୁ ମୁର୍ତ୍ତି ଚୋରି ହୋଇଛି । ରାତି ଅଧରେ ଗ୍ରିଲ କାଟି ମନ୍ଦିର ବେଢାରୁ ଏହି ଅଷ୍ଟଧାତୁ ମୂର୍ତ୍ତି ଚୋରି କରିନେଇଛନ୍ତି ଦୁର୍ବୃତ୍ତ । ରଙ୍ଗବଜାର ଟଙ୍କପାଣି ମନ୍ଦିରର ଚନ୍ଦ୍ରଶେଖର, ଦୁର୍ଗା, ଲକ୍ଷ୍ମୀ, ମା ପାର୍ବତୀ, ଆଣ୍ଠୁଆ ଗୋପାଳ ଓ ରାଧାକୃଷ୍ଣଙ୍କ ପରି ବହୁ ପୁରାତନ ମୂର୍ତ୍ତି ଚୋରି । ଏପରିକି ମନ୍ଦିର ଭିତରେ ଠାକୁରଙ୍କ ଆସନ ଶୂନ୍ୟ କରିଦେଇଛନ୍ତି ଚୋର । ଯାହାକୁ ନେଇ ସ୍ଥାନୀୟ ମନ୍ଦିର ପୂଜକ ଏବଂ ଲୋକଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି । ଏନେଇ ସ୍ଥାନୀୟ ପୂଜକ କହିଛନ୍ତି, ‘‘ସକାଳୁ ଆସି ଦେଖିବାକୁ ପାଇଥିଲେ ମନ୍ଦିର ପଛପଟ ଗେଟ କଟାଯାଇଛି । ପରେ ବେଢା ଭିତରେ ମନ୍ଦିରର ତାଲା ଓ ଗ୍ରିଲ କାଟି ଏକ କ୍ବିଣ୍ଟାଲ ଓଜନର ଅଷ୍ଟଧାତୁ ମୂର୍ତ୍ତି ଚୋରି ହୋଇଛି ।
କେବଳ ଏଇ ଘଟଣା ନୁହେଁ ନିକଟରେ ଚଉଶଠି ଯୋଗିନୀ ନିକଟ ବାଲୁଙ୍କେଶ୍ୱର ମନ୍ଦିରରୁ ୨ଟି ଦୁର୍ଲଭ ମୂର୍ତ୍ତି ଚୋରି ହୋଇଥିଲା । ସିସିଟିଭିରେ କଏଦ ହୋଇଥିଲା ଚୋରି ସମୟର ଦୃଶ୍ୟ । ପ୍ରତାପଶାସନ ରାଜାଙ୍କ ସମୟର ଦୁର୍ଲଭ ମୂର୍ତ୍ତି ନେଇଯାଇଥିଲେ ଚୋର । ସେହିପରି ଆଖଣ୍ଡଳେଶ୍ବର, ଭିଙ୍ଗାରପୁର, ହିରାପୁର, ପ୍ରତାପରୁଦ୍ରପୁର ଅଞ୍ଚଳରୁ ଗତ ୫ ମାସରେ ୧୫ରୁ ଊର୍ଦ୍ଧ୍ବ ଅଷ୍ଟଧାତୁ ମୂର୍ତ୍ତି ଚୋରି ହେଲାଣି । ଏହା ପଛରେ ଆନ୍ତର୍ଜାତୀୟ ମୂର୍ତ୍ତି ଚୋର ରାକେଟର ସମ୍ପୃକ୍ତି ଥାଇପାରେ ବୋଲି କିଛି ଲୋକ ସନ୍ଦେହ କରୁଛନ୍ତି । ପୋଲିସର ଢିଲା ତଦନ୍ତ ଓ ପାଟ୍ରୋଲିଂ ପାଇଁ ଏପରି ପରିସ୍ଥିତି ଉପୁଜିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।
ଭୁବନେଶ୍ବରରୁ ତାପସ ପରିଡା ଓ ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ