ଭୁବନେଶ୍ବର: ଚାଲିଛି ପାର୍ବଣ ଋତୁ । ପାର୍ବଣର ପରସରେ ପୁଲକିତ ପରିବେଶ । ପୀଠରେ ମଣ୍ଡପରେ ରୀତିନୀତିରେ ଚାଲିଛି ମା’ଙ୍କ ପୂଜାର୍ଚ୍ଚନା । ସାରା ଦେଶରେ ଉତ୍ସବର ମାହୋଲ । ଦଳମତ ନିର୍ବିଶେଷରେ ସବୁଠି ଜଗତ ଜନନୀଙ୍କ ପୂଜାପାଇଁ ସମସ୍ତେ ଏକାକାର । ଆସନ୍ତାକାଲି ମହାମାୟାଙ୍କ ମହାଦଶମୀ ପରେ ଅନୁଷ୍ଠିତ ହେବ ରାବଣ ପୋଡି । ଠିକ ରାବଣ ପୋଡି ଉତ୍ସବ ପୂର୍ବରୁ ରାଜ୍ୟ ରାଜନୀତିକୁ ଫେରିଛି ରାମ-ରାବଣ ଉପାଖ୍ୟାନ । ଯାହାକୁ ନେଇ ରାଜନୀତି ସରଗରମ ।
ସୋମବାର ପ୍ରଥମେ ଏହି ପ୍ରସଙ୍ଗକୁ ଉଠାଇଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ସୁର ରାଉତରାୟ । ସୁର କହିଛନ୍ତି ରାଜନୀତିରେ ରାମ, ସୀତା ଓ ରାବଣ ସମସ୍ତ ଚରିତ୍ର ଅଛନ୍ତି । ବର୍ତ୍ତମାନ ଓଡିଶା ରାଜନୀତିରେ ୨ରୁ ୩ ଜଣ ରାବଣ ଅଛନ୍ତି । ଏହା ସବୁ ଦଳରେ ଅଛନ୍ତି । ବିଜେଡି ଦଳରେ ଏକ ମାତ୍ର ରାବଣ ହେଉଛନ୍ତି ନବୀନ ପଟ୍ଟନାୟକ । ସେ କର୍ମଚାରୀଙ୍କୁ ଧରି ଶାସନ କରୁଛନ୍ତି । ପୂର୍ବରୁ ରାମ ଥିଲେ । ମଝିରେ ରାବଣ ହୋଇଗଲେ । ଏବେ ପୁଣି ଅଧା ରାମ ଅଧା ରାବଣ ।
ସେହିଭଳି ବିଜେପିରେ ମଧ୍ୟ ଧର୍ମେନ୍ଦ୍ର ରାମ ଥିଲେ କିନ୍ତୁ ମଝିରେ ରାବଣ ହୋଇଯାଇଥିଲେ ଏବେ ପୁଣି ଅଧା ରାମ ଅଧା ରାବଣ ହୋଇଛନ୍ତି । ଅନ୍ୟପଟେ ନିଜ ଦଳ ନେଇ ସୁର କହିଛନ୍ତି ନିରଞ୍ଜନ ପଟ୍ଟନାୟକ ସୁନ୍ଦର ରାମ । ସେ ମଦ ପିଅନ୍ତି ନାହିଁ, ନାରୀଙ୍କୁ ଦେଖନ୍ତି ନାହିଁ । ଜ୍ଞାନୀ ଲୋକ । ଜ୍ଞାନର ଭଣ୍ଡାର , ଧନୀ ଲୋକ ଧନର ଭଣ୍ଡାର ସରଳ ଭଦ୍ର ଲୋକ ବୋଲି ପ୍ରଶଂସାରେ ପୋତିଛନ୍ତି ସୁର । ନିଜ ଚରିତ୍ରକୁ ମଧ୍ୟ ଦର୍ଶାଇବାକୁ ଯାଇ ସୁର କହିଛନ୍ତି ସେ ଜନତାଙ୍କ ଯାହା ଆବଶ୍ୟକତା ସେହି ଅନୁଯାୟୀ ଭୂମିକା ନିର୍ବାହ କରନ୍ତି ।
ଅନ୍ୟପଟେ ସୁରଙ୍କ ରାମ ରାବଣ ଉବାଚ ପରେ ସିଧା ରାଜନୀତି ରାମାୟଣକୁ ଲମ୍ଫ ମାରିଛନ୍ତି ପ୍ରସନ୍ନ ପାଟ୍ଟଶାଣୀ । ପ୍ରସନ୍ନ କହିଛନ୍ତି ଓଡିଶା ରାଜନୀତିରେ କେହି ରାବଣ ନାହାଁନ୍ତି । ‘ନବୀନ, ଧର୍ମେନ୍ଦ୍ରଓ ନିରଞ୍ଜନ ରାମ କ୍ୟାଟାଗୋରି’ରେ ଅଛନ୍ତି । ରାଜନୀତିରେ ରାବଣ ଥିଲେ ଗଣତନ୍ତ୍ର ନଥାନ୍ତା । ଏହସହ ସେ କହିଛନ୍ତି ରାଜ୍ୟରେ ନବୀନ ପଟ୍ଟନାୟକ ଏକମାତ୍ର ରାମ । ମୁଁ ଦଳରେ ହନୁମାନ । ହନୁମାନ ହୋଇ ମୁଁ ନବୀନଙ୍କୁ ସବୁ କ୍ଷେତ୍ରରେ ସାହାଯ୍ୟ କରୁଛି । କଂଗ୍ରେସରେ ଥିଲା ବେଳେ ଜାନକୀଙ୍କୁ କରୁଥିଲି । ବିଜୁ ଆସିଲା ପରେ ତାଙ୍କୁ ମଧ୍ୟ କରୁଥିଲି । ଏବେ ନବୀନଙ୍କ ପାଇଁ ଲାଗିପଡିଛି ବୋଲି ପ୍ରସନ୍ନ କହିଛନ୍ତି ।
ଖାଲି ଏତିକି ନୁହେଁ ଉଭୟ ବିଜେଡି କଂଗ୍ରେସ ନେତାଙ୍କ ରାମ ରାବଣ ପ୍ରସଙ୍ଗରେ ସାମିଲ ହୋଇଛନ୍ତି ବରିଷ୍ଠ ବିଜେପି ନେତା ଦାମୋଦର ରାଉତ । ଦାମ କହିଛନ୍ତି ବିଜୁବାବୁ ଜଣେ ଉଚ୍ଚକୋଟୀର ରାଜନୈତିକ ବ୍ୟକ୍ତି ଥିଲେ । ତାଙ୍କର ରାଷ୍ଟ୍ରୀୟ ଭାବନା ଥିଲା । ରାଜ୍ୟର ଏତେ ପ୍ରାକୃତିକ ସମ୍ପଦ ଅଛି ଯାହାକୁ ନେଇ ସେ ରାଜ୍ୟପାଇଁ ଅନେକ ସ୍ବପ୍ନ ଦେଖିଥିଲେ । ତାଙ୍କୁ ରାମ-ରାବଣ ସହିତ ତୁଳନା କରାଯାଇପାରିବ ନାହିଁ । ଦାମଙ୍କ ଭାଷାରେ ଯେଉଁମାନେ ରାଜନୀତିକୁ ଆସି ଜନତାଙ୍କୁ ଶୋଷଣ କରୁଛନ୍ତି , ଯେଉଁମାନେ ରାଜନୀତି ନାରେ ଧନ ଉପାର୍ଜନ କରୁଛନ୍ତି ସେମାନେ ରାବଣ । ତେବେ ବିଜୟା ଦଶମୀ ପୂର୍ବରୁ ରାଜ୍ୟ ରାଜନୀତିରେ ଏହି ରାମ-ରାବଣ ପ୍ରସଙ୍ଗ ରାଜ୍ୟ ରାଜନୀତିକୁ ବେଶ ଚର୍ଚ୍ଚା ଯୋଗାଇଛି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ