ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । 3 ନିର୍ବାଚନ ଓ ଗୋଟେ ଉପ-ନିର୍ବାଚନ ନେଇ ଅଙ୍କ କଷା ଆରମ୍ଭ ହୋଇଛି । 4 ପଦ ଲାଗି ଆଶାୟୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ପୂର୍ବରୁ ପ୍ରତିଶ୍ରୁତି ପାଇଥିବା ନେତା ସୁପ୍ରିମୋଙ୍କ ଗ୍ରୀନ ସିଗନାଲ ଅପେକ୍ଷାରେ ଅଛନ୍ତି । ବିଜେଡିର ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ସେମାନଙ୍କ ମଧ୍ୟରୁ ଜଣେ । 2019 ସାଧାରଣ ନିର୍ବାଚନରେ ବିଧାନସଭା ଟିକେଟ କଟିବା ପରେ ତାଙ୍କୁ ରାଜ୍ୟସଭା ପାଇଁ ପ୍ରତିଶ୍ରୁତି ଦେଇଥିଲେ ସୁପ୍ରିମୋ ।
ବିଜ୍ଞପ୍ତି ପ୍ରକାଶ ପାଇଥିବା ପ୍ରତିକ୍ରିୟା ରଖିଛନ୍ତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ । କହିଛନ୍ତି ଯେ, ଏପର୍ଯ୍ୟନ୍ତ ସୁପ୍ରିମୋଙ୍କ ପାଖରୁ କିଛି ଖବର ଆସିନାହିଁ । ରାଜ୍ୟସଭା ପଠାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ତାଙ୍କର ନିଷ୍ପତ୍ତି ଉପରେ ସବୁ କିଛି ନିର୍ଭର କରୁଛି । ବର୍ତ୍ତମାନ ତିନୋଟି ଆସନ ଖାଲି ହୋଇଛି । ଜିଲ୍ଲା ସଭାପତି ଓ ନିର୍ମାଣ ଶ୍ରମିକ ବୋର୍ଡର ଦାୟିତ୍ବ ଦେଇଛନ୍ତି । ତାକୁ ମୁଁ ସ୍ୱଚାରୁ ରୂପେ ପରିଚାଳନା କରିବା ପାଇଁ ଚେଷ୍ଟା କରିଛି । ଯେତେବେଳେ ଯାହା ବି ଦାୟିତ୍ବ ଦେବେ ମୁଁ ତାହା ମାଧ୍ୟମରେ ଲୋକଙ୍କ ସେବା କରିବି ।
ଦଳରେ ମୁଁ ବିଜୁ ପଟ୍ଟନାୟକଙ୍କ ସମୟରୁ ବିଧାୟକ ହୋଇଛି । ମୋଟ 5 ଥର ବିଧାୟକ ହୋଇଛି । ଥରେ ବିଜୁ ଆଉ 4 ଥର ନବୀନ ଟିକେଟ ଦେଇଛନ୍ତି । କେବେ ବି ମୁଁ ଲବି କରିନି । ବିଧାୟକ ହେଉ ବା ଯେକୌଣସି ପଦ ହେଉ ତାହା ମାଧମରେ ଲୋକଙ୍କ ସେବା କରିବା ମୋ ଚିନ୍ତାଧାରା । ତେଣୁ ମୁଁ ଅପେକ୍ଷା କରିଛି ଯେତେବେଳେ ସେ ଯାହା ଦାୟିତ୍ବ ଦେବେ ମୁଁ ତାକୁ ପାଳନ କରିବି । ଯଦି ନବୀନ ପଟ୍ଟନାୟକ ଭାବିବେ ଯେ ମୁଁ ରାଜ୍ୟସଭା ଯାଇ କିଛି କାର୍ଯ୍ୟ କରିବି । ରାଜ୍ୟର ଦାବି ଉପସ୍ଥାପନ କରିପାରିବି । ତାହେଲେ ମୋତେ ଦେବେ ଆଉ ମୁଁ ତାକୁ ପାଳନ କରିବି ।
ରାଜ୍ୟସଭା ପାଇଁ ଆଶା ତ ନିଶ୍ଚୟ ରହିବ । ଆଶା ରହିଲେ ବି ମୁଖ୍ୟମନ୍ତ୍ରୀ ଯେବେ ଯାହା ବିଚାର କରନ୍ତି ତାହା କରନ୍ତି । ତେଣୁ ଯଦି ଏଥର ଚାହିଁବେ ତ କରିବେ । ବୟସ ଅଧିକ ହେଲେ ବି ମୁଁ ସବୁକିଛି କରି ପାରୁଛି ଓ କରି ପାରିବି । ସେ ମନୋବଳ ମୋର ଅଛି । ସେ ହିସାବରେ ମୁଁ ଯଦି ରାଜ୍ୟସଭା ଯାଏ ରାଜ୍ୟର ଯାହା ସ୍ବାର୍ଥ ଅଛି ତାକୁ ଉପସ୍ଥାପନ କରି ପାରିବି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ