ଭୁବନେଶ୍ବର: ଆଜି ପହିଲି ରଜ । ଏନେଇ ଚଳଚଞ୍ଚଳ ଗାଁ ଠାରୁ ସହର । ପ୍ରତିଟି ଘରେ ଜମିଛି ପିଠାମିଠା ଓ ଆନନ୍ଦର ଆସର । ପୋଡ ପିଠା ଓ ଖିଲି ପାନ ଖାଇ ଝିଅମାନେ ପାଳୁଛନ୍ତି ଗଣପର୍ବ ରଜ। ନୂଆ ପୋଷାକ ସହ ଅଳତା କୁଙ୍କୁମରେ ଚମକୁଛନ୍ତି ଝିଅ ବୋହୂ ।
ଗାଁରେ ବାଉଁଶ ଦୋଳି ଓ ପିଢା ଦୋଳି ସାଙ୍ଗକୁ ଲୁଡୁ ଖେଳ । କେବଳ ଝିଅ ନୁହେଁ ପୁଅମାନେ ବି ସାମିଲ ହୁଅନ୍ତି ଏହି ପର୍ବରେ । ତାସ ପାଲି ସାଙ୍ଗକୁ କବାଡି ଖେଳ ଏହି ପର୍ବକୁ ଆହୁରି ଜୀବନ୍ତ କରିଥାଏ । ଘରେ ଘରେ ଆନନ୍ଦ ଉତ୍ସାହରେ ପାଳିଥାନ୍ତି ଏହି ପର୍ବ । ଓଡିଆ ଘରର ପ୍ରତି ଝିଅ ଚାତକ ଭଳି ଅପେକ୍ଷା କରିଥାନ୍ତି ଏହି ପର୍ବକୁ ।
ଓଡିଶା ସଂସ୍କୃତିକୁ ବଜାୟ ରଖିବା ପାଇଁ ଭଳିକି ଭଳି ଶାଢୀ ଓ ପାରମ୍ପରିକ ପୋଷାକରେ ନିଜକୁ ସଜାଇଥାନ୍ତି ଯୁବତୀମାନେ । ଏହି ପର୍ବରେ ଝିଅଙ୍କୁ ଘରର କାମ କରିବା ପାଇଁ ପଡିନଥାଏ । ତେଣୁ ଖୁବ ମଜା କରିଥାନ୍ତି ଘରର ଲକ୍ଷ୍ମୀ । ତିନି ଦିନ ଧରି ପାଳନ ହେବ ଏହି ପର୍ବ । ଆସନ୍ତା କାଲି ରଜ ସଂକ୍ରାନ୍ତି ପର୍ବର ଦ୍ବିତୀୟ ଦିନ । ଆଜି ଭଳି କାଲି ମଧ୍ୟ ସବୁ ସ୍ଥାନରେ ଅତି ଆନନ୍ଦର ସହ ରଜ ପାଳିବ ସାରା ଓଡିଶା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ