ଭୁବନେଶ୍ବର: ଆସନ୍ତା ରାଜ୍ୟସଭା ନିର୍ବାଚନ ଲାଗି ସରଗରମ ହେଲାଣି ରାଜ୍ୟ ରାଜନୀତି । ଖାଲି ହେଉଥିବା 4 ଆସନ ଲାଗି ହେବ ନିର୍ବାଚନ । ଏହି 4 ଆସନ ଲାଗି ରାଜ୍ୟସଭା କିଏ ଯିବେ ? ସେ ନେଇ ଆରମ୍ଭ ହୋଇଛି ଅଙ୍କକଷା । ଆସନ 4 ଥିବାବେଳେ ଆଶାୟୀଙ୍କ ସଂଖ୍ୟା 4 ଗୁଣା ହେଲାଣି । 2024 ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରାର୍ଥୀ ଚୟନରେ ଦଳ ସନ୍ତୁଳନ ରଖିବାକୁ ଚେଷ୍ଟା କରିବ ବୋଲି ରାଜନୈତିକ ସମୀକ୍ଷକ ମତ ଦେଇଛନ୍ତି ।
ରାଜ୍ୟସଭାର 3ଟି ପୂର୍ଣ୍ଣକାଳୀନ ଆସନ ଖାଲି ହେଉଛି । କାରଣ ଜୁଲାଇ ପହିଲାରୁ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ଏନ.ଭାସ୍କର ରାଓ ଓ ସସ୍ମିତ ପାତ୍ରଙ୍କ କାର୍ଯ୍ୟକାଳ ଶେଷ ହେଉଛି । ଅନ୍ୟପଟେ ସୁବାସ ସିଂ କଟକ ମେୟର ଦାୟିତ୍ବ ନେବା ପରେ ତାଙ୍କ ଆସନ ମଧ୍ୟ ଖାଲି ହୋଇଛି । ଏହି ଆସନ ପାଇଁ ଉପ ନିର୍ବାଚନ ହେବ । 4 ଆସନ ଲାଗି ଆଶାୟୀଙ୍କ ସଂଖ୍ୟା ବେଶ ଲମ୍ବା । ଅତୀତରେ ପ୍ରାର୍ଥୀ ଚୟନରେ ରାଜନୈତିକ ବାର୍ତ୍ତା ଦେଉଥିବା ନବୀନ ଏଥିର ଚୟନରେ କଣ ରଖିବେ ମାପଦଣ୍ଡ ? ସାଧାରଣ ନିର୍ବାଚନ ଥିବାରୁ ପ୍ରାର୍ଥୀ ଚୟନ ସମୟରେ ଚାପରେ ରହିବେ କି ବିଜେଡି ସୁପ୍ରିମୋ ? ଯୁବ, ମହିଳାଙ୍କୁ ଗୁରୁତ୍ବ ଦେବେ ନା ପ୍ରତିଶୃତି ପୂରା କରିବେ ତାହା ଉପରେ ସମସ୍ତଙ୍କର ନଜର ।
ରିପିଟ ହେବେ ସସ୍ମିତ ଓ ପ୍ରସନ୍ନ !
ମାତ୍ର ତିନି ବର୍ଷ ପାଇଁ ଏମପି ହୋଇଥିବା ସସ୍ମିତ ରାଜ୍ୟସଭାରେ ଓଡିଶାର ପ୍ରସଙ୍ଗ ଉଠାଇ ଚର୍ଚ୍ଚାରେ ରହିଆସିଛନ୍ତି । ଦକ୍ଷତା ଓ ସଫଳତାର ସହ କାର୍ଯ୍ୟ କରିଥିବାରୁ ସସ୍ମିତଙ୍କୁ ଦଳ ଗୁରୁତ୍ବ ଦେଇପାରେ ବୋଲି ଚର୍ଚ୍ଚା ହେଉଛି । ଦଳର ରାଷ୍ଟ୍ରୀୟ ମୁଖପାତ୍ର ଥିବାରୁ ସସ୍ମିତଙ୍କ ପାଇଁ ଦଳ ଉଦାର ହେବ ବୋଲି ଚର୍ଚ୍ଚା ଜୋରଧରିଛି । ତେଣୁ ତାଙ୍କୁ ଦଳ ରିପିଟ କରିବା ନେଇ ଆଲୋଚନା ହେଉଛି । ଅନ୍ୟପଟେ ପଶ୍ଚିମ ଓଡିଶାରୁ ପ୍ରତିନିଧିତ୍ବ କରୁଛନ୍ତି ପ୍ରସନ୍ନ ଆଚାର୍ଯ୍ୟ । ତାଙ୍କ ପ୍ରଦର୍ଶନ ମଧ୍ୟ ରାଜ୍ୟସଭାରେ ଉତ୍ସାହଜନକ ରହିଛି । ପଶ୍ଚିମ ଓଡିଶାରୁ ପ୍ରସନ୍ନ ଆଚାର୍ଯ୍ୟଙ୍କ ପରେ ଓଟିଡିସି ଅଧ୍ୟକ୍ଷା ଶ୍ରିମୟୀ ମିଶ୍ରଙ୍କୁ ଦଳ ବାଛିପାରେ ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ପ୍ରସନ୍ନଙ୍କ ନିର୍ବିବାଦୀୟ ଛବି ଓ ପ୍ରଦର୍ଶନ ଆଧାରରେ ସେ ରିପିଟ ହେବା ନେଇ ଆକଳନ କରାଯାଉଛି ।
ରେସରେ ଆଗରେ ପ୍ରଦୀପ ମାଝୀ !
ପଞ୍ଚାୟତ ନିର୍ବାଚନ ପୂର୍ବରୁ ହାତ ଛାଡି ଶଙ୍ଖ ଫୁଙ୍କି ଥିବା ପ୍ରଦୀପ ମାଝୀଙ୍କୁ ମିଳିପାରେ ରାଜ୍ୟସଭା ଟିକେଟ । ଯୁବ ଓ ଦକ୍ଷ ସଂଗଠକ ଭାବେ ପ୍ରଦୀପଙ୍କ ପରିଚୟ । ପଞ୍ଚାୟତ ଭୋଟରେ ନବରଙ୍ଗପୁରରେ ଦଳ ଏକତରଫା ବିଜୟ ପାଇଛି । ତେଣୁ ପ୍ରଦୀପ ରାଜ୍ୟସଭା ଯିବା ଏକରକମ ନିଶ୍ଚିନ୍ତ ବୋଲି କୁହାଯାଉଛି । ରାଜ୍ୟ ଅପେକ୍ଷା ରାଷ୍ଟ୍ରୀୟ ରାଜନୀତିରେ ପ୍ରଦୀପ ଅଧିକ ରୁଚି ରଖନ୍ତି ବୋଲି ଚର୍ଚ୍ଚା ହୁଏ । ତେଣୁ ଦକ୍ଷିଣ ଓଡିଶା ରାଜନୀତି ପାଇଁ ପ୍ରଦୀପଙ୍କୁ ଦଳ ରାଜ୍ୟସଭା ପଠାଇପାରେ । କାରଣ ଏନ ଭାସ୍କର ରାଓ ଦକ୍ଷିଣରୁ ପ୍ରତିନିଧିତ୍ବ କରୁଛନ୍ତି । ଏହା ସହ ଦକ୍ଷିଣରୁ ମୁନ୍ନା ଖାଁ ମଧ୍ୟ ରହିଛନ୍ତି ।
ଚର୍ଚ୍ଚାରେ ତଥାଗତ, ମାନସ ଓ ସୁଦର୍ଶନ !
ଟ୍ରାକକୁ ଫେରିବେ ପୂର୍ବତନ ସାଂସଦ ତଥାଗତ ଶତପଥୀ । ତଥାଗତଙ୍କୁ ରାଜ୍ୟସଭା ପଠାଯିବ ବୋଲି ଚର୍ଚ୍ଚା ଜୋର ଧରିଛି । 2019 ସାଧାରଣ ନିର୍ବାଚନରେ ଟିକେଟ କଟିବା ଆଶଙ୍କା କରି ଦୂରେଇ ଯାଇଥିଲେ ତଥାଗତ । ଦଳରୁ ଇସ୍ତଫା ଦେଇନଥିଲେ ବି କୌଣସି ଦଳୀୟ କାର୍ଯ୍ୟକ୍ରମରେ ସେ ସାମିଲ ହେଉନଥିଲେ । କିମ୍ବା ଦଳ ବିରୋଧୀ ମନ୍ତବ୍ୟ, ନିଜ ସମ୍ପାଦିତ ଖବରକାଗଜରେ ସରକାର ବିରୋଧୀ ଆଭିମୁଖ୍ୟରୁ ନିଜକୁ ଦୂରେଇ ରଖିଥିଲେ । ଅନ୍ୟପଟେ ବିଧାୟକ ଥାଇ ମଧ୍ୟ ନିଜ ଆର୍ଟିକିଲରେ ସରକାରଙ୍କୁ ଘାଇଲା କରୁଛନ୍ତି ସୌମ୍ୟ ରଂଜନ ପଟ୍ଟନାୟକ । ତଥାଗତଙ୍କ ଖବରକାଗଜ କାର୍ଯ୍ୟକ୍ରମରେ ସାମିଲ ହେଉନଥିବା ନବୀନ କିଛିଦିନ ତଳେ ପୁନର୍ବାର ଯୋଗ ଦେଇଥିଲେ । ତେଣୁ ପୁନର୍ବାର ତଥାଗତଙ୍କୁ ଦଳ ଗୁରୁତ୍ବ ଦେବା ଆରମ୍ଭ କରିଥିବା ଚର୍ଚ୍ଚା ହେଉଛି । ଏହା ସହ ରାଜ୍ୟସଭା ଯିବା ଲାଗି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶ ମାନସ ମଙ୍ଗରାଜ ନାଁ ମଧ୍ୟ ଚର୍ଚ୍ଚା ହେଉଛି ।
ସରପ୍ରାଇଜ କାର୍ଡ ଖେଳିବେ କି ନବୀନ ?
ଲୋକସଭା ନିର୍ବାଚନ ବେଳେ ପ୍ରମିଳା ବିଶୋୟୀଙ୍କୁ ଟିକେଟ ଦେଇ ସାରା ଦେଶର ଧ୍ୟାନ ଆକର୍ଷଣ କରିଥିବା ନବୀନ ଏଥର କିଛି କରିସ୍ମା ଦେଖିପାରନ୍ତି । ପ୍ରତିଷ୍ଠିତ ଲେଖିକା ଡ. ପ୍ରତିଭା ରାୟ, ସୁସ୍ମିତା ବାଗଚି, ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ, ଗୀତିକବି ହଳଧର ନାଗଙ୍କୁ କଳାକ୍ଷେତ୍ରରେ ରାଜ୍ୟସଭା ପଠାଇବା ସମ୍ଭାବନାକୁ ଏଡାଇ ଦିଆଯାଇନପାରେ । ସବୁ ପରେ ବି ନବୀନ ପ୍ରତ୍ୟେକ ନିର୍ବାଚନରେ କିଛି ନା କିଛି ସରପ୍ରାଇଜ ଦେଉଥିବାରୁ ସବୁ ଆକଳନ ବି ଭୁଲ ହୋଇପାରେ । ବିଲକୁଲ ରେସରେ ନଥିବା ସୁଲୋଚନା ଦାସଙ୍କୁ ଭୁବନେଶ୍ବର ମେୟର ଟିକେଟ ଦେଇଥିବା ବିଜେଡି ରାଜ୍ୟସଭାକୁ କାହାକୁ ପଠାଇବ ତା ଉପରେ ସମସ୍ତଙ୍କ ନଜର ରହିଛି ।
ପ୍ରତିଶ୍ରୁତି ରଖିବେ କି ବିଜେଡି ସୁପ୍ରିମୋ ?
ରାଜ୍ୟସଭାର 4ଟି ଆସନରେ କାହାକୁ ପ୍ରାର୍ଥୀ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପୁରୁଖା ନେତା ଯେଉଁମାନଙ୍କୁ ନବୀନ ରାଜ୍ୟସଭା ଯିବାର ପ୍ରତିଶୃତି ଦେଇଥିଲେ ସେହି ପ୍ରତିଶୃତିକୁ ସେ ପୂରଣ କରିବେ କି ? ରାଜ୍ୟସଭାରେ ଭଲ ପ୍ରଦର୍ଶନ କରିଥିବା ନେତାଙ୍କୁ ନବୀନ ରିପିଟ କରିବେ କି ? ନା ନୂଆ ଚେହେରା ଦେଇ ରାଜନୈତିକ ବାର୍ତ୍ତା ଦେବାକୁ ଚେଷ୍ଟା କରିବେ ନବୀନ । ଯେଉଁମାନଙ୍କ ନାମ ପ୍ରତିଶୃତିକୁ ନେଇ ଚର୍ଚ୍ଚା ଭିତରକୁ ଆସୁଛି ସେମାନେ ହେଲେ ଭୁବନେଶ୍ଵରର ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ ଏବଂ ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ।
ଭୁବନେଶ୍ବର ସଂସଦୀୟ କ୍ଷେତ୍ରରୁ ଲଗାତାର 5 ଥର ନିର୍ବାଚିତ ପ୍ରସନ୍ନଙ୍କୁ କାଟି 2019 ନିର୍ବାଚନରେ ଦଳ ଅରୂପ ପଟ୍ଟନାୟକଙ୍କୁ ଟିକେଟ ଦେଇଥିଲା । ଏହି ସମୟରେ ପ୍ରସନ୍ନଙ୍କୁ ବୁଝାଇବା ପାଇଁ ରାଜ୍ୟସଭା ଯିବାର ପ୍ରତିଶୃତି ଦେଇଥିଲେ ନବୀନ । ସେହିପରି 1995ରୁ 5 ଥର କ୍ରମାଗତ ବ୍ରହ୍ମପୁର ବିଧାୟକ ଥିବା ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କୁ 2019ରେ ଟିକେଟ ଦେଇନଥିଲେ ନବୀନ । ତାଙ୍କ ସ୍ଥାନରେ ବିକ୍ରମ ପଣ୍ଡାଙ୍କୁ ଟିକେଟ ମିଳିଥିଲା । ଆଉ ହିଞ୍ଜିଳିରେ ନିଜ ପ୍ରାର୍ଥୀପତ୍ର ଦାଖଲ ସମୟରେ ନବୀନ ଚ୍ୟାଉଙ୍କୁ ରାଜ୍ୟସଭା ପଠାଇବା କଥା କହିଥିଲେ ।
କିଏ ହେବେ ଡାର୍କ ହର୍ଷ ?
ଯାହା କେବେ ହୋଇନଥିଲା, ତାହା ହୋଇଥିଲା । ସଂଖ୍ୟା ନଥିବା ବିଜେପି ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବଙ୍କୁ ସମର୍ଥନ ଦେଇଥିଲା ବିଜେଡି । ଏଥର ବି ସମାନ ଚିତ୍ରକୁ ଏଡାଇ ଦିଆଯାଇନପାରେ । ବିଜେଡି କୌଣସି ପ୍ରସଙ୍ଗରେ ବି ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କୁ ଅଡୁଆରେ ପକାଇବା ଭଳି କାର୍ଯ୍ୟ କରିନି । ଓଲଟା ସରକାରଙ୍କୁ ସହଯୋଗର ହାତ ବଢାଇଛି । ତେଣୁ ବିଜେପିର ଜାତୀୟ ନେତୃତ୍ବ ଓଡିଶାରେ ସେଭଳି ରାଜନୈତିକ ଗୋଟି ଚାଳନା ନକରି ବିଜେଡିଠୁ କିଭଳି ଅଧିକ ଫାଇଦା ନେବ ସେ ଚକରରେ ରହିଥିବା ଭଳି ଜଣାପଡୁଛି । ଆଗକୁ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡିର ସମର୍ଥନ ଜରୁରୀ । ତେଣୁ ଓଡିଶାରେ ବିଜେପି ବେଶ ମାପିଚୁପି ନିଜର ରାଜନୈତିକ ଗୋଟି ଚାଳନା କରୁଛି । ସମ୍ଭବତଃ ବିଜେପି ମଧ୍ୟ 2019 ମସିହା ଭଳି ବିଜେଡି ସହଯୋଗରେ ଓଡିଶାରୁ ଆଉ କାହାକୁ ରାଜ୍ୟସଭା ପାଇଁ ଦଳୀୟ ପ୍ରାର୍ଥୀ କରିବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ ।
କଣ କହୁଛନ୍ତି ରାଜନୈତିକ ଦଳ?
ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ସାଂସଦ ମୁନ୍ନା ଖାଁ । ଠିକ ସମୟରେ ଠିକ ନିଷ୍ପତ୍ତି ନେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅତୀତରେ ଏହା ସମସ୍ତେ ଦେଖିଛନ୍ତି । ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରି ମୁଖ୍ୟମନ୍ତ୍ରୀ ରାଜ୍ୟସଭା ପଠାଇବେ ବୋଲି ସେ କହିଛନ୍ତି । ଅନ୍ୟପଟେ ରାଜ୍ୟସଭା ନିର୍ବାଚନ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ଓବିସି ମୋର୍ଚ୍ଚାର ସଭାପତି ସୁରଥ ବିଶ୍ଵାଳ । ସୁରଥ କହିଛନ୍ତି ଯେ, ଜଣଙ୍କୁ ରାଜ୍ୟସଭା ପଠାଇବା ପାଇଁ ଦଳ ପାଖରେ ଆବଶ୍ୟକୀୟ ସଂଖ୍ୟା ନାହିଁ । ଦଳର ଯେତିକି ବିଧାୟକ ଅଛନ୍ତି ଯାଇପାରିବେ ନାହିଁ । ପରବର୍ତ୍ତୀ ଅବସ୍ଥାରେ ଯଦି କେହି ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଲାଗି ପ୍ରସ୍ତାବ ଆସେ ତାହେଲେ ବିଚାର କରିବୁ ।
କଣ କହୁଛନ୍ତି ସମୀକ୍ଷକ?
ରାଜନୀତି ସମୀକ୍ଷକ ପ୍ରଫେସର ଅମରେଶ୍ବର ମିଶ୍ରଙ୍କ କହିବା ଅନୁସାରେ 147 x100 । ଖାଲି ପଡିଥିବା ସିଟ % 4 +1 +1। 3600 ଭୋଟ ପାଇଲେ ଜଣେ ରାଜ୍ୟସଭା ସାଂସଦ ଜିତିପାରିବେ । 147ରୁ ବିଜେଡି 114,ବିଜେପି 22 ଏବଂ କଂଗ୍ରେସର 9 ସଭ୍ୟ ରହିଛନ୍ତି । ରାଜ୍ୟରେ ବିଧାନସଭା ସିଟ ଦେଖିଲେ ବିଜୁ ଜନତା ଦଳ ପକ୍ଷରେ ପ୍ରଥମ 3 ଟି ସିଟ ଯିବ। ଚତୁର୍ଥ ସିଟକୁ ନେଇ କିଏ ମାରିବ ବାଜି ତା ଉପରେ ସମସ୍ତଙ୍କ ନଜର । ଜଣେ ବିଧାୟକ ଯେତୋଟି ପ୍ରାର୍ଥୀ ସେତିକି ପସନ୍ଦ କରିପାରିବେ । କେତେଜଣ ପ୍ରାର୍ଥୀ ନିର୍ବାଚନରେ ରହିଛନ୍ତି । ଏକ ଚତୁର୍ଥାଂଶ ଭୋଟ ପାଇଲେ ଜଣେ ପ୍ରାର୍ଥୀ ଜିତିବ । ଯଦି କଂଗ୍ରେସ ଭୋଟ ଦାନରୁ ବିରତ ରୁହେ , ତେବେ ଚତୁର୍ଥ ପ୍ରାର୍ଥୀ ଜିତିବାରେ ବିଜେପିର ଭୋଟ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିବ। ଯଦି ଏକ କମନ ପ୍ରାର୍ଥୀ ରୁହେ ତେବେ ସେ ଜିତିବାରେ ସହଜ ହେବ କାରଣ ସବୁ ଦଳ ତାକୁ ସମର୍ଥନ କରିବେ ବୋଲି କହିଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ସଞ୍ଜୀବ ରୟ ଓ ମନୋରଞ୍ଜନ ଶଙ୍ଖୁଆ , ଇଟିଭି ଭାରତ