ଭୁବନେଶ୍ବର: ଗୋପ ବ୍ଲକ ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟଣାକୁ ନେଇ ରାଜନୀତି ଜୋରଦାର । (Dharmendra Sahoo Death Case) । ଧର୍ମେନ୍ଦ୍ରଙ୍କ ମୃତ୍ୟୁ କାରଣକୁ ନେଇ ତେଜିବାରେ ଲାଗିଛି ରାଜନୀତି । ଧର୍ମେନ୍ଦ୍ରଙ୍କ ମୃତ୍ୟୁ ପଛରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ହାତ ଥିବା ଅଭିଯୋଗ ଆଣି ଉଭୟ କଂଗ୍ରେସ ଓ ବିଜେପି କର୍ମୀ ଧାରଣା ଦେବା ସହ ମନ୍ତ୍ରୀ ବିରୋଧରେ ନାରାବାଜି କରିଛନ୍ତି । ଭୁବନେଶ୍ବରରେ ଥିବା ମନ୍ତ୍ରୀଙ୍କ ୟୁନିଟ ୬ ସ୍ଥିତ ବାସଭବନ ଘର ଉପରକୁ ଛାତ୍ର କଂଗ୍ରେସ କର୍ମୀ ଟମାଟୋ ମାଡ କରିଥିବାବେଳେ ବିଜେପି ସାମ୍ବାଦିକ ସମ୍ମିଳନୀ କରି ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲା ।
ଏହା ମଧ୍ୟ ପଢନ୍ତୁ-ସରିଲା ମାଗଣା ଟିକା ଡେଡଲାଇନ, ମହଜୁଦ ଥିବା ଟିକା ଦିଆଯିବ
ସେହିପରି ଆଜି(ଶନିବାର) ମଧ୍ୟ ଧର୍ମେନ୍ଦ୍ରଙ୍କ ମୃତ୍ୟୁକୁ ନେଇ ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର ଓ ଗିରଫ ଦାବିରେ ରାସ୍ତାକୁ ଓହ୍ଲାଇଥିଲା ପୁରୀ ଜିଲ୍ଲା ବିଜେପି । ଏନେଇ ଭୁବନେଶ୍ବରରେ ପୁରୀ ଜିଲ୍ଲା ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା(Puri Bjp Workers Protest), ପୁରୀ ଜିଲ୍ଲା ବିଜେପି ନେତ୍ରୀ ପ୍ରଭାତୀ ପରିଡାଙ୍କ ନେତୃତ୍ଵରେ ରାଜ୍ୟ ବିଜେପି କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରାରେ ବିଜେପି କର୍ମୀ ବାହାରି ଡିସିପି ଅଫିସ ସମ୍ମୁଖରେ ଧାରଣା ଦେଇଥିଲେ ।
ଡିସିପି ଅଫିସକୁ ଧସେଇ ପଶିବାକୁ ବିଜେପି କର୍ମୀ ଉଦ୍ୟମ କରୁଥିବା ବେଳେ ପୋଲିସ ସହତ ଧସ୍ତାଧସ୍ତି ହୋଇଥିଲା । ଏହି ବିକ୍ଷୋଭରେ ଭୁବନେଶ୍ଵର ଜିଲ୍ଲା ସଭାପତି ବାବୁ ସିଂ, ଜଗନ୍ନାଥ ପ୍ରଧାନ ମଧ୍ୟ ଯୋଗ ଦେଇଥିଲେ । ତେବେ ଧର୍ମେନ୍ଦ୍ରଙ୍କ ମୃତ୍ୟୁ ପୂର୍ବର ଭିଡିଓ ନେଇ ବିବାଦ ଲାଗି ରହିଥିବାବେଳେ ବୁଧବାର ସାମ୍ନାକୁ ଆସିଥିଲା ଏକ ଫୋନ କଲ ରେକର୍ଡ଼ିଂ। ଯେଉଁଥିରେ କି ଯଦି ତାଙ୍କର ମୃତ୍ୟୁ ହୁଏ, ସେଥିପାଇଁ ମନ୍ତ୍ରୀ ସମୀର ଦାଶ ଦାୟୀ ରହିବେ ବୋଲି ସେ ସାମ୍ବାଦିକ ଅକ୍ଷୟ ନାୟକଙ୍କୁ କହୁଥିବା ଶୁଣିବାକୁ ମିଳିଛି ।
ସମୀର ଦାଶ ଏବଂ ଅନ୍ୟ ୪ଜଣ ତାଙ୍କ ମୃତ୍ୟୁ ପାଇଁ ଦାୟୀ ରହିବେ ବୋଲି ଖୋଲାଖୋଲି ଧର୍ମେନ୍ଦ୍ର କହିଛନ୍ତି । ଏହି ଖବରକୁ ଲୋକଲୋଚନକୁ ଆଣିବାକୁ ସେ ବାରମ୍ବାର କହୁଛନ୍ତି । ଏହାକୁ ନେଇ ବିଜେପି ନେତା ପ୍ରଦୀପ ପୁରୋହିତ ବୁଧବାର ସାମ୍ବାଦିକ ସମ୍ମିଳନୀ କରି କହିଥିଲେ ଯେ, ''ଭାଇରାଲ ହେଉଥିବା ଅଡିଓ ଟେପରୁ ଜଣାପଡୁଛି ଧର୍ମେନ୍ଦ୍ର ମନ୍ତ୍ରୀଙ୍କ ନାଁ ନେଇଛନ୍ତି । କେଉଁଠି ନା କେଉଁଠି ଏହି ପୁରା ଘଟଣାରେ ମନ୍ତ୍ରୀ ସମୀର ଦାଶଙ୍କ ସମ୍ପୃକ୍ତି ରହିଛି । ଓଡ଼ିଶାବାସୀ ମଧ୍ୟ ଜାଣି ସାରିଲେଣି ଏଥିରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସମ୍ପୃକ୍ତି ରହିଛି । ତେଣୁ ତୁରନ୍ତ ମନ୍ତ୍ରୀଙ୍କୁ ଗିରଫ କରାଯାଉ ।''
ସେହିପରି ଗତ ବୁଧବାର ଭାଇରାଲ ଅଡିଓକୁ ଛାତ୍ର କଂଗ୍ରେସ ପକ୍ଷରୁ ମନ୍ତ୍ରୀଙ୍କ ଗିରଫ ଦାବିରେ ବିରୋଧ ପ୍ରଦର୍ଶନ କରାଯାଇଥିଲା । ମନ୍ତ୍ରୀଙ୍କ ଘର ଉପରକୁ ଅଣ୍ଡା ଓ ଟମାଟୋ ମାଡ କରି ପ୍ରତିବାଦ କରିବା ସମୟରେ ପୋଲିସ ସହିତ ଛାତ୍ର କଂଗ୍ରେସ କର୍ମୀଙ୍କ ଧସ୍ତାଧସ୍ତି ହୋଇଥିଲା ।