ଭୁବନେଶ୍ବର: ପ୍ରଫେସର ଅମର କୁମାର ମହାନ୍ତିଙ୍କୁ ‘ବିଜୁ ପଟ୍ଟନାୟକ ବୈଜ୍ଞାନିକ ଉତ୍କର୍ଷ’ ପୁରସ୍କାରରେ ସମ୍ମାନୀତ କରାଯାଇଛି । ବିଜ୍ଞାନ ଓ ବୈଷୟିକ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ବିଭାଗୀୟ ଶାସନ ସଚିବ ମନୋଜ ମିଶ୍ର ପ୍ରଫେସର ଅମର କୁମାର ମହାନ୍ତିଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ପୁରସ୍କାର ବାବଦକୁ ତାଙ୍କୁ ଦୁଇଲକ୍ଷ ଟଙ୍କାର ଅର୍ଥରାଶି ସହ ପ୍ରଶସ୍ତିପତ୍ର, ଉପଢୌକନ ଓ ପଦକ ପ୍ରଦାନ କରାଯାଇଛି ।
ଅନୁରୂପ ଭାବରେ ପ୍ରଫେସର ମୃତ୍ୟୁଞ୍ଜୟ ସୁଆର, ପ୍ରଫେସର ସୁଶାନ୍ତ କୁମାର ସାହୁ, ପ୍ରଫେସର ଗୋପବନ୍ଧୁ ଜେନାଙ୍କୁ ‘ସାମନ୍ତ ଚନ୍ଦ୍ରଶେଖର' ସ୍ମୃତି ପୁରସ୍କାର ସ୍ୱରୂପ ପ୍ରଦାନ କରାଯାଇଛି । ପ୍ରତ୍ୟେକଙ୍କୁ ଏକ ଲକ୍ଷ ଟଙ୍କାର ଅର୍ଥରାଶି, ପ୍ରଶସ୍ତିପତ୍ର, ଉପଢୌକନ ଓ ପଦକ ପ୍ରଦାନ କରାଯାଇଛି । ତା ସହିତ ଯୁବବୈଜ୍ଞାନିକ ଭାବରେ ଡକ୍ଟର ନମ୍ରତା ମିଶ୍ର, ଡକ୍ଟର ମନସ୍ଵିନୀ ବେହେରା ଓ ଡ. ସୁନୀଲ ମନୋହର ଦାଶଙ୍କୁ ପୁରସ୍କୃତ କରାଯାଇ ପ୍ରତ୍ୟେକଙ୍କୁ ୨୫ ହଜାର ଟଙ୍କାର ଅର୍ଥରାଶି, ପ୍ରଶସ୍ତିପତ୍ର ଓ ଉପଢୌକନ ପ୍ରଦାନ କରାଯାଇଛି । ଲୋକପ୍ରିୟ ବିଜ୍ଞାନ ପୁସ୍ତକ ରଚନା କରିଥିବା ଦୃଷ୍ଟିରୁ ଡା. ଦ୍ଵିଜେଶ କୁମାର ପଣ୍ଡାଙ୍କୁ ‘ପ୍ରାଣକୃଷ୍ଣ ପରିଜା’ ପୁରସ୍କାରରେ ସମ୍ମାନୀତ କରାଯାଇଛି । ଏ ବାବଦରେ ୨୫ ହଜାର ଟଙ୍କାର ଅର୍ଥରାଶି, ପ୍ରଶସ୍ତିପତ୍ର ଓ ଉପଢୌକନ ପ୍ରଦାନ କରାଯାଇଛି ।
ବିିଭିନ୍ନ କ୍ଷେତ୍ରରେ ଅଜ୍ଞତା ଦୂର କରିବା ସହିତ ବିଜ୍ଞାନ ମାନବସମାଜର ପ୍ରଚୁର ହିତସାଧନ କରୁଛି ବିଜ୍ଞାନ । ବିଜ୍ଞାନକୁ ଲୋକାଭିମୁଖୀ ଓ ଜନପ୍ରିୟ କରିବା ଦିଗରେ ବିଜ୍ଞାନ ଏକାଡେମୀ ପରି ଅନୁଷ୍ଠାନଗୁଡ଼ିକ ଉତ୍ସାହଜନକ କାର୍ଯ୍ୟ କରୁଛନ୍ତି । ବିଜ୍ଞାନ ଶିକ୍ଷାର ପ୍ରସାର ସାଙ୍ଗକୁ ବ୍ୟାପକ ସଚେତନତା ସୃଷ୍ଟି ହେବା ଉପରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଗୁରୁତ୍ୱାରୋପ କରିଛନ୍ତି । ୨୦୧୯ ମସିହା ପାଇଁ ଓଡ଼ିଶା ବିଜ୍ଞାନ ଏକାଡେମୀ ପକ୍ଷରୁ ବୈଜ୍ଞାନିକ ସମ୍ବର୍ଦ୍ଧନା ଓ ପୁରସ୍କାର ପ୍ରଦାନ ଉତ୍ସବ ଆୟୋଜିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗଦେଇ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କରିଛନ୍ତି ।
ଆୟୋଜିତ କାର୍ଯ୍ୟକ୍ରମରେ ବିଜ୍ଞାନ ଓ ବୈଷୟିକ ବିଭାଗର ଶାସନ ସଚିବ ମନୋଜ କୁମାର ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ବିଜ୍ଞାନ କ୍ଷେତ୍ରରେ ଭାରତର ସଫଳତା ବିଶ୍ଵର ଦୃଷ୍ଟି ଆକର୍ଷଣ କରିଛି । ଓଡ଼ିଶାରେ ବିଭିନ୍ନ ଟିକାର ଉତ୍ପାଦନ କୌଣସି କୃତିତ୍ତ୍ବରୁ କମ୍ ନୁହେଁ । ବିଜ୍ଞାନ କ୍ଷେତ୍ରରେ ଅଧିକ ସଫଳତା ପାଇଁ ଓଡ଼ିଶାର ବୈଜ୍ଞାନିକମାନେ ଉଦ୍ୟମ ଜାରି ରଖିବେ ବୋଲି କହିଛନ୍ତି ବିଜ୍ଞାନ ଓ ବୈଷୟିକ ବିଭାଗ ଶାସନ ସଚିବ ମନୋଜ କୁମାର ମିଶ୍ର । ଏକାଡେମୀର ସଭାପତି ପ୍ରଫେସର ବିଭୂତିଭୂଷଣ ମିଶ୍ର କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିଲେ । ଏଥିରେ ପ୍ରଫେସର ମମତା ଶତପଥୀ, ପ୍ରଫେସର ବିଷ୍ଣୁଚରଣାରବିନ୍ଦ ମହାନ୍ତି, ପ୍ରଫେସର ନିରଞ୍ଜନ ବାରିକ, ପ୍ରଫେସର ହେମନ୍ତ କୁମାର ପାତ୍ର ଓ ଡକ୍ଟର ଚିତ୍ତରଞ୍ଜନ ମିଶ୍ରଙ୍କୁ ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ ହୋଇଥିଲେ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ