ଭୁବନେଶ୍ବର: ଇଞ୍ଚେ ଗଡିବ ନାହିଁ ଘରୋଇ ବସ । ପୁରା ଅଖ ଚକ ଜାମ୍ ହେବ । ଜୁନ 30 ତାରିଖ ମଧ୍ୟରାତ୍ରୀ ସୁଦ୍ଧା 9 ଦଫା ଦାବି ପୂରଣ କର । ନହେଲେ ବାଧ୍ୟ ହୋଇ ଏ ଭଳି ପଦକ୍ଷେପ ନେବୁ । ଏମିତି କଡା ଭାଷାରେ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛି ରାଜ୍ୟ ବସ ମାଲିକ ସଂଘ ।
ରାଜ୍ୟ ଘରୋଇ ବସ ମାଲିକ ସଂଘର ଆଜି ବସିଛି କାର୍ଯ୍ୟକାରିଣୀ ବୈଠକ । ବୈଠକ ପରେ ଏଭଳି କଡା ଚେତାବନୀ ଦେଇଛନ୍ତି ସଂଘର ସଭାପତି । 9 ଦଫା ଦାବିକୁ ଅବିଳମ୍ବେ ପୂରଣ କରିବାକୁ ସଂଘ ଏମିତି ଧମକ ଦେଇଛି । ପୂର୍ବରୁ ସରକାରଙ୍କ ସହ ଏକାଧିକ ଥର ସଂଘ ଆଲୋଚନା କରିଛି । ପରିବହନ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା ହୋଇଛି । ପ୍ରତିଶ୍ରୁତି ମିଳିଛି ହେଲେ ଏ ଯାଏଁ ପୂରଣ ହୋଇନାହିଁ । ଯଦି ରାଜ୍ୟ ସରକାର ଜୁନ୍ 30 ତାରିଖ ମଧ୍ୟରାତ୍ର ସୁଦ୍ଧା ଏ ସମସ୍ତ ଦାବୀ ପୂରଣ ନକରନ୍ତି, ତେବେ ଜୁଲାଇ 1 ରୁ ଅଖଚକ ବନ୍ଦ । ରାଜ୍ୟର 14 ହଜାର ଘରୋଇ ବସର ଚାଳଚଳ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହିବ ।
ବସର ପରମିଟ୍ ତୃତୀୟ ପକ୍ଷଙ୍କୁ ହସ୍ତାନ୍ତର କରିବା ନିଷ୍ପତ୍ତି କାର୍ଯ୍ୟକାରୀ ନହେବା, ବସ୍ ଗୁଡିକୁ ସ୍ଥାୟୀ ପରମିଟ୍ ନଦେବା, ମଙ୍ଗୁଳି ଠାରୁ ସମ୍ବଲପୁର ପର୍ଯ୍ୟନ୍ତ ଜାତୀୟ ରାଜପଥ ୫୫ର ନିର୍ମାଣ କାର୍ଯ୍ୟରେ ବିଳମ୍ବ ହେବା, ଯାତ୍ରୀବାହୀ ବସ୍ ଗୁଡିକୁ ଜାତୀୟ ରାଜପଥ ଉପରେ ଯାତ୍ରୀ ଓହ୍ଲାଇବା ଏବଂ ଚଢାଇବା ପାଇଁ ସରକାର କୌଣସି ଯାଗା ନଦେବା, କୋଭିଡ୍ ସମୟରେ ବସ୍ ଗୁଡିକକୁ ଋଣ ଯୋଗାଇ ଦେବା ପାଇଁ ସରକାର ଦେଇଥିବା ପ୍ରତିଶ୍ରୁତି କାର୍ଯ୍ୟକାରୀ ନକରିବା ଏବଂ ଯାତ୍ରୀବାହୀ ବସ୍ ଗୁଡିକରେ ହାଇସ୍ୟୁକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା ନିଷ୍ପତ୍ତି ପ୍ରତ୍ୟାହାର କରିବା ଦାବି ରଖିଛି ସଂଘ ।
ଇଟିଭି ଭାରତ, ଭୁବନେଶ୍ବର