ଭୁବନେଶ୍ବର: କୃଷି ଉତ୍ପାଦନ ବୃଦ୍ଧି ନିମନ୍ତେ ବ୍ୟାଙ୍କ ଗୁଡ଼ିକ ପକ୍ଷରୁ କୃଷି କ୍ଷେତ୍ରକୁ ଠିକ ସମୟରେ ଆବଶ୍ୟକୀୟ ଋଣ ଯୋଗାଇ ଦେବା ଆବଶ୍ୟକତା ରହିଛି । ଏହା ଉପରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ଗୁରୁତ୍ୱାରୋପ କରିଛନ୍ତି । ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ସବ କମିଟି ବୈଠକ ମଙ୍ଗଳବାର ଭିସି ଜରିଆରେ ଅନୁଷ୍ଠିତ ହୋଇଛି । ବୈଠକରେ ଅଧ୍ୟକ୍ଷତା କରିଛନ୍ତି ବିଭାଗୀୟ ପ୍ରମୁଖ ଶାସନ ସଚିବ ଅରବିନ୍ଦ ପାଢ଼ୀ । କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ବ୍ୟାଙ୍କଗୁଡ଼ିକ ପକ୍ଷରୁ ଋଣ ପ୍ରଦାନର ଅଗ୍ରଗତି ସଂପର୍କରେ ସେ ସମୀକ୍ଷା କରିଛନ୍ତି । ଏହି ଅବସରରେ କୃଷି କ୍ଷେତ୍ରକୁ ଅଗ୍ରାଧକାର ଭିଭିରେ ଫସଲ ଋଣ ଏବଂ ଅନ୍ୟାନ୍ୟ ଦୀର୍ଘ ମିଆଦି ଋଣ ଯୋଗାଇଦେବା ପାଇଁ ସେ କହିଛନ୍ତି । କୃଷିର ବିକାଶ ଓ କୃଷକମାନଙ୍କ ଆୟବୃଦ୍ଧି ଦିଗରେ ରାଜ୍ୟ ସରକାର ଅନେକଗୁଡ଼ିଏ ଯୋଜନା ପ୍ରଣୟନ କରିଛନ୍ତି ।
ଏହି ପରିପ୍ରେକ୍ଷୀରେ ଏଗୁଡ଼ିକର ସଫଳ ରୂପାୟନ ଦିଗରେ ବ୍ୟାଙ୍କଗୁଡ଼ିକ ପକ୍ଷରୁ ସୁବିଧାରେ ଋଣ ଯୋଗାଇଦେବାର ଆବଶ୍ୟକତା ରହିଛି ବୋଲି ପ୍ରମୁଖ ଶାସନ ସଚିବ କହିଛନ୍ତି । ବୈଠକରେ ବଳରାମ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ଏମ୍ଆଇଡିଏଚ୍ ସମେତ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ସଂପର୍କିତ ସ୍ଵତନ୍ତ୍ର ରଣ ଯୋଗାଣର ଧାର୍ଯ୍ୟ ଲକ୍ଷ୍ୟ ପୂରଣ ଦିଗରେ ଆଲୋଚନା କରାଯାଇଛି । ଏଥି ସହିତ ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରବର୍ତ୍ତିତ ୫ଟି ସୂତ୍ର ଅନୁପାଳନପୂର୍ବକ ଋଣ ପ୍ରଦାନରେ ସ୍ୱଚ୍ଛତା ଅବଲମ୍ବନ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଏହା ସହ ଚାଷୀମାନଙ୍କୁ ସୁବିଧାରେ ଋଣ ପ୍ରଦାନର ସ୍ଥିତି ସଂପର୍କରେ ଅବଗତ କରାଇବା ନିମନ୍ତେ କ୍ରେଡିଲ୍ ପୋର୍ଟାଲକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ବ୍ୟାଙ୍କ ତଥା ବିଭାଗୀୟ ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି ।
ବୈଠକରେ କୃଷି ଓ ଖାଦ୍ୟ ଉତ୍ପାଦନ, ଉଦ୍ୟାନ କୃଷି, ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ଏବଂ ମତ୍ସ୍ୟ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ, ଆପିକଲର ପରିଚାଳନା ନିର୍ଦ୍ଦେଶକ, ନାବାର୍ଡର ମୁଖ୍ୟ ପରିଚାଳକ, ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିର ଆବାହକ, ଅର୍ଥ ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ବରିଷ୍ଠ ଅଧିକାରୀଙ୍କ ସମେତ ରିଜର୍ଭ ବ୍ୟାଙ୍କ, ଷ୍ଟେଟବ୍ୟାଙ୍କ ଓ ଅନ୍ୟ ସମସ୍ତ ବ୍ୟାଙ୍କର ପ୍ରତିନିଧି ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଭୁବନେଶ୍ବର