ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ନେଇ କେନ୍ଦ୍ରସରକାରଙ୍କ ଉପରେ ବର୍ଷିଛି ବିଜେଡି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ କମ୍ପାନୀ ମାନେ ଲାଭବାନ ହେଉଥିବା ବେଳେ, ଚାଷୀ ହଇରାଣ ହେଉଥିବା ଅଭିଯୋଗ କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ଦେଶରେ ଏହି ବୀମା ଯୋଜନାରେ ୧ ଲକ୍ଷ ୨୬ ହଜାର କୋଟି ଟଙ୍କା ବୀମା କମ୍ପାନୀଙ୍କୁ ଦିଆଯାଇଛି । କିନ୍ତୁ, ଚାଷୀ ପାଇଛନ୍ତି ମାତ୍ର ୮୭ ହଜାର କୋଟି ଟଙ୍କା । ବାକି ୪୦ ହଜାର କୋଟି ଟଙ୍କା ବୀମା କମ୍ପାନୀ ରଖିଛନ୍ତି, ଚାଷୀ ପାଇନାହାନ୍ତି । ହେଲେ ଚାଷୀଙ୍କୁ ଓଡ଼ିଶା ସରକାର ୩୫୦୦ କୋଟି ଟଙ୍କା ଦେଇଥିବା କହିଛନ୍ତି ସସ୍ମିତ ।
ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀଙ୍କୁ ଅବହେଳା କରାଯାଉଥିବା ଅଭିଯୋଗ ଆଣିଲା ବିଜେଡି । ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ରାଜ୍ୟ ସରକାର ୩୨୫୦ କୋଟି ଟଙ୍କା ବୀମା କମ୍ପାନୀକୁ ଦେଇଛନ୍ତି । ଓଡ଼ିଶାର ଚାଷୀ ହଜାରେ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବୀମା କମ୍ପାନୀକୁ ଦେଇଛନ୍ତି । ୨୦୨୦ ସୁଦ୍ଧା ବୀମା କମ୍ପାନୀକୁ ସମୁଦାୟ ୬୧୬୩ କୋଟି ଟଙ୍କା ଦିଆଯାଇଥିବାବେଳେ ଚାଷୀଙ୍କୁ ବୀମା କମ୍ପାନୀ ଦେଇଛି ୫୦୯୮ କୋଟି ଟଙ୍କା । ଫଳରେ ବୀମା କମ୍ପାନୀ ହଜାରେ କୋଟି ଟଙ୍କାରୁ ଅଧିକ ଲାଭ କରିଛି । ୨୦୧୮ ରୁ ୨୦୨୦ ଭିତରେ ଓଡ଼ିଶାର ଚାଷୀ ମାନେ ୨୦୯୦ କୋଟି ଟଙ୍କାର ବୀମା ଦାବି କରିଥିଲେ । କିନ୍ତୁ ବୀମା କମ୍ପାନୀ ୫୦ ପ୍ରତିଶତ ଲୋକଙ୍କୁ ୨୦୨୬ କୋଟି ଟଙ୍କାର ବୀମା ଦେଇଛି । ଓଡ଼ିଶାର ଚାଷୀ ମାନେ ବୀମା ଆକଳନକୁ ନେଇ ବାରମ୍ବାର ନିର୍ଯାତିତ ହେଉଛନ୍ତି ବୋଲି ସସ୍ମିତ ଅଭିଯୋଗ କରିଛନ୍ତି ।
ରାଜ୍ୟର ବରଗଡ଼, ସମ୍ବଲପୁର, ସୋନପୁର, ଦେବଗଡ଼, ବଲାଙ୍ଗୀର, ନୂଆପଡା, କଳାହାଣ୍ଡି ଜିଲ୍ଲାର ଲକ୍ଷାଧିକ ଚାଷୀ ଫସଲବୀମା ଯୋଜନା ଦ୍ବାରା ପ୍ରଭାବିତ ହୋଇଛନ୍ତି । ଦେଶର ୬ଟି ରାଜ୍ୟ ଫସଲ ବୀମା ଯୋଜନାରୁ ଓହରି ଗଲେଣି । ଆନ୍ଧ୍ର, ବିହାର, ଗୁରାରାଟ, ଝାଡ଼ଖଣ୍ଡ, ତେଲେଙ୍ଗାନା, ଛତିଶଗଡ଼ ଏହି ଫସଲ ବୀମା ଯୋଜନାରୁ ଓହରି ଗଲେଣି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଏହି ରାଜ୍ୟ ଗୁଡ଼ିକ ସେମାନଙ୍କ ଉପଯୁକ୍ତ ପ୍ରାପ୍ୟ ପାଇପାରିନାହାନ୍ତି ବୋଲି ଓହରିଯାଇଛନ୍ତି । ଏବେ ସମୟ ଆସିଛି କେନ୍ଦ୍ର ସରକାର ଏସବୁ ଦିଗ ଉପରେ ଦୄଷ୍ଟି ଦେଇ ଚାଷୀଙ୍କ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନିଅନ୍ତୁ । ଚାଷୀଙ୍କୁ ଆଉ କଷ୍ଟ ଦିଅନ୍ତୁନି, ଚାଷୀଙ୍କୁ ନାର୍ଯ୍ୟ ଦାବି ମିଳୁ ବୋଲି ସସ୍ମିତ କହିଛନ୍ତି। ଚାଷୀଙ୍କ ହକ୍ ପାଇଁ ବିଜେଡି ଥିଲା, ରହିଛି ଓ ରହିବ । ଚାଷୀଙ୍କ ହକ ପାଇଁ ଆମେ ଆମର ଲଢେ଼ଇ ଜାରି ରଖିବୁ ବୋଲି ସସ୍ମିତ କହିଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ