ଭୁବନେଶ୍ବର: ଦୁଇଦିନିଆ ଓଡିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଭୁବନେଶ୍ବରର ବିମାନ ବନ୍ଦରରୁ ବାୟୁସେନାର ସ୍ବତନ୍ତ୍ର ବିମାନ ରାଜଦୂତରେ ରାଷ୍ଟ୍ରପତି ଏବଂ ତାଙ୍କ ସହଧର୍ମିଣୀ ସବିତା କୋବିନ୍ଦ ଫେରି ଯାଇଛନ୍ତି।
ରାଷ୍ଟ୍ରପତିଙ୍କୁ ବିମାନ ବନ୍ଦରରେ ବିଦାୟ ଦେଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଡଙ୍ଗୀ, ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ, ରାଜ୍ୟ ପୋଲିସର ଅନ୍ତରୀଣ ମହାନିର୍ଦ୍ଦେଶକ ସତ୍ୟଜିତ ମହାନ୍ତି ଓ ମୁଖ୍ୟ ଶାସନ ସଚିବ ଅସିତ ତ୍ରୀପାଠୀ ଓ ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ର ପ୍ରମୁଖ ବିଦାୟ ଦେଇଛନ୍ତି।
ରବିବାର ସଂଧ୍ୟାରେ ରାଷ୍ଟ୍ରପତି ଭୁବନେଶ୍ବର ଆସି ଆଜି ଦୁଇଟି ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ପ୍ରଥମେ ଖୋର୍ଦ୍ଧା ବରୁଣେଇ ପାହାଡ ପାଦଦେଶରେ ପ୍ରତିଷ୍ଠା ହେବାକୁ ଥିବା ପାଇକ ସ୍ମାରକୀର ଶିଳାନ୍ୟାସ କରିଥିଲେ ରାଷ୍ଟ୍ରପତି । ପରେ ଉତ୍କଳ ବିଶ୍ବ ବିଦ୍ୟାଳୟରେ କିଛି ପ୍ରକଳ୍ପର ଉଦଘାଟନ କରିବା ସହ ବିଶ୍ବବିଦ୍ୟାଳୟର ପ୍ଲାଟିନମ ଜୁବୁଲି ଉଦଯାପନୀ ଉତ୍ସବରେ ଯୋଗ ଦେଇଥିଲେ। ଏହି ଦୁଇଟି କାର୍ଯ୍ୟକ୍ରମ ଶେଷ ହେବା ପରେ ରାଜଭବନ ଆସି କିଛି ସମୟ ବିଶ୍ରାମ ନେବାପରେ ସଂଧ୍ୟା 5.30ରେ ନୂଆଦିଲ୍ଲୀ ଫେରିଯାଇଛନ୍ତି।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ