ହାଇଦ୍ରାବାଦ: ସାମ୍ଭାବ୍ୟ ବନ୍ୟା ପରିପ୍ରେକ୍ଷିରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ମାନଙ୍କ ସହ ସମୀକ୍ଷା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଯାଜପୁର, ବାଲେଶ୍ୱର, ଭଦ୍ରକ, ପୁରୀ, ଗଂଜାମ, ଖୋର୍ଦ୍ଧା, ଢେଙ୍କନାଳ ଏବଂ ମୟୂରଭଞ୍ଜ ଜିଲ୍ଲାର ଜିଲ୍ଲାପାଳଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନଙ୍କ ସହିତ ଫୋନ ଯୋଗେ ସ୍ଥିତି ସମୀକ୍ଷା କରିଥିବା ନେଇ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି ।
ବିଶେଷ ଭାବେ ଯାଜପୁର ଜିଲ୍ଲା ଅନ୍ତର୍ଗତ ବରୀ ଅଞ୍ଚଳର ବନ୍ୟା ପରିସ୍ଥିତି ଏବଂ କ୍ଷୟକ୍ଷତି ନେଇ ସ୍ଥାନୀୟ ପ୍ରଶାସନ ସହ ସ୍ବତନ୍ତ୍ର ଆଲୋଚନା ଏବଂ ସେମାନଙ୍କୁ ଯୁଦ୍ଧ କାଳୀନ ପରିସ୍ଥିତିରେ ସ୍ଥାନୀୟ ସମସ୍ଯାର ସମାଧାନ ପାଇଁ ଅବଗତ କରାଇଛନ୍ତି କେନ୍ଦ୍ରମନ୍ତ୍ରୀ । ସେହିପରି ବନ୍ୟା ପୂର୍ବରୁ ଜିଲ୍ଲା ପ୍ରସାଶନ ତରଫରୁ ଲୋକମାନଙ୍କ ସମେତ ଗୃହପାଳିତ ପଶୁ ବିଶେଷକରି ଗାଈଗୋରୁ ମାନଙ୍କୁ କିପରି ଯୁଦ୍ଧକାଳୀନ ଭିତ୍ତିରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ ସେନେଇ ଵିଶେଷ ଆଲୋଚନା କରିଛନ୍ତି ।
ବନ୍ୟା ପ୍ରଭାବିତ ତଥା ସମ୍ବେଦନଶୀଳ ଅଂଚଳରେ କିପରି ପର୍ଯ୍ୟାପ୍ତ ପରିମାଣରେ ରିଲିଫ ସାମଗ୍ରୀ ମହଜୁଦ ରହିବା ସହ ଆବଶ୍ୟକ ପଡ଼ିଲେ ଶୁଖିଲା ଓ ରନ୍ଧା ଖାଦ୍ୟ ଯୋଗାଇଦେବା , ଆଗାମୀ ୩୦ ଦିନ ପର୍ଯ୍ୟନ୍ତ ସ୍ଥିତି ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ ଆବଶ୍ୟକ ସ୍ଥଳେ ପ୍ରଭାବିତ ଅଂଚଳରେ କିପରି ଉତ୍ତମ ସ୍ୱାସ୍ଥ୍ୟସେବା ସହ ଆବଶ୍ୟକୀୟ ଔଷଧ ପ୍ରଚୁର ମହଜୁଦ ରହିବ ସେନେଇ ମଧ୍ୟ ଗୁରୁତ୍ୱପୂର୍ଣ ଆଲୋଚନା କରିଛନ୍ତି ।
ସେହିପରି ରାଜ୍ୟ ଏବଂ ଜିଲ୍ଲା ପ୍ରସାଶନକୁ ତତ୍ପରତା ଓ ଆଗୁଆ ପଦକ୍ଷେପ ଦ୍ୱାରା ସମ୍ଭାବ୍ୟ ବନ୍ୟା ପ୍ରଭାବିତ ଜନିତ ସମସ୍ୟ ଏବଂ କ୍ଷୟକ୍ଷତିକୁ ଏଡାଇ ଦିଆଯାଇ ପାରିବ ବୋଲି ନିବେଦନ କରିଛନ୍ତି । ଏହିସବୁ ଜିଲ୍ଲା ମାନଙ୍କରେ ଥିବା ବନ୍ୟା ଆଶ୍ରୟସ୍ଥଳୀର ସ୍ଥିତି ଏବଂ ଗୁଣବତ୍ତାର ଆଗୁଆ ମାନ ଯାଞ୍ଚ ନିମନ୍ତେ ମଧ୍ୟ ଅବଗତ କରାଇଥିବୂା ଉଲ୍ଲେଖ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ।