ଭୁବନେଶ୍ବର: ଆଇନ ଆଗରେ ସମସ୍ତେ ସମାନ । ଗରିବ ଶ୍ରେଣୀର ଲୋକମାନେ ଏହାକୁ ଅନୁଭବ କରିବା ଉଚିତ । ଆମର ନ୍ୟାୟ ବିତରଣ ବ୍ୟବସ୍ଥା ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ରହିବା ଉଚିତ । ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବ ନିଯୁକ୍ତି ସହାୟକ ପବ୍ଲିକ ପ୍ରସିକ୍ୟୁଟରମାନଙ୍କ କାର୍ଯ୍ୟକ୍ରମରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ।
ଗରିବ ଲୋକ କିଭଳି ସ୍ୱଳ୍ପ ବା ବିନା ମୂଲ୍ୟରେ ନ୍ୟାୟ ପାଇବେ ସେନେଇ ରାଜ୍ୟ ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି । ଏନେଇ ରାଜ୍ୟ ସରକାର ନ୍ୟାୟ ବିତରଣ ବା ଗରିବ ଲୋକମାନେ କିଭଳି ଆଇନର ପରାମର୍ଶ ପାଇବେ ସେ ନେଇ 41 ଜଣ ସହାୟକ ପବ୍ଲିକ ପ୍ରସିକ୍ୟୁଟର ନିଯୁକ୍ତି ଦେଇଛନ୍ତି । ଏନେଇ ଆଜି ଲୋକସେବା ଭବନରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଭିସି ଜରିଆରେ ଯୋଗ ଦେଇଛନ୍ତି । ନିଯୁକ୍ତି ମିଳିଥିବା ସହାୟକ ପବ୍ଲିକ ପ୍ରସିକ୍ୟୁଟରମାନଙ୍କ ଉର୍ଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଲୋକଙ୍କ ସେବା ପାଇଁ ହୃଦୟରୁ ଉତ୍ସଗିକୃତ ଭାବେ କାର୍ଯ୍ୟ କରିବାର ସମୟ ଆସିଛି । ଏକ ନ୍ୟାୟପୂର୍ଣ୍ଣ ଓ ସମାନ ସମାଜ ଗଠନରେ ଅଗ୍ରଣୀ ଭୂମିକା ଗ୍ରହଣ କରିନ୍ତୁ ବୋଲି ସେ ଆହ୍ୱାନ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ନିଯୁକ୍ତି ହୋଇଥିବା ସହାୟକ ପବ୍ଲିକ ପ୍ରସିକ୍ୟୁଟରମାନଙ୍କର ରାଜ୍ୟର ବିଭିନ୍ନ ଅଦାଲତରେ କାମ କରିଥିବା ଅଭିଜ୍ଞ ରହିଛି । ଗରିବ ଲୋକଙ୍କ ପାଇଁ ନ୍ୟାୟ ବିତରଣ କ୍ଷେତ୍ରରେ ସେମାନେ ସର୍ବୋତ୍ତମ ପ୍ରୟାସ କରିବେ ବୋଲି ସେ ଆଶା ରଖିଛନ୍ତି । ଏହି ନିଯୁକ୍ତି ଦ୍ୱାରା ଓଡିଶାରେ ନ୍ୟାୟ ପାଇବାରୁ ବଞ୍ଚିତ ହେଉଥିବା ଲୋକଙ୍କୁ ନ୍ୟାୟ ପ୍ରଦାନ କ୍ଷେତ୍ରରେ ଉନ୍ନତି ଆସିବ । ଏହା ସହ ଶୀଘ ଓ ସ୍ୱଚ୍ଛ ଢଙ୍ଗରେ ନ୍ୟାୟ ପ୍ରଦାନ ଦିଗରେ ଏହି ସହାୟକ ପବ୍ଲିକ ପ୍ରସିକ୍ୟୁଟରମାନେ ସହାୟକ ହେବେ । ବୈଷୟିକ କୌଶଳ ବ୍ୟବହାରରେ ଦଣ୍ଡହାର ବୃଦ୍ଧି ପାଇବ ବୋଲି ସେ ଆଶା ରଖିଛନ୍ତି । ନୂତନ ଭାବେ ନିଯୁକ୍ତ ସହାୟକ ପବ୍ଲିକ ପ୍ରସିକ୍ୟୁଟର ଲୋକମାନଙ୍କୁ ସଚ୍ଚୋଟତା ଓ ସ୍ୱଚ୍ଛତା ସହ ପରାମର୍ଶ ଦେବାକୁ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ପରାମର୍ଶ ଦେଇଛନ୍ତି । ଏହା ସହ ନ୍ୟାୟର ଶୀଘ୍ର ବିତରଣ ପାଇଁ ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ସେ ପ୍ରଶଂସା କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ୫ଟି ସଚିବ ଭିକେ ପାଣ୍ଡିଆନ ପ୍ରମୁଖ ଯୋଗ ଦେଇଥିଲେ । ତୃଣମୂଳରେ ଥିବା ଜନସାଧାରଣ ସହାୟକ ପବ୍ଲିକ ପ୍ରସିକ୍ୟୁଟରଙ୍କ ଦ୍ଵାରା ଉପକୃତ ହେବେ । ସହାୟକ ପବ୍ଲିକ ପ୍ରସିକ୍ୟୁଟରମାନେ ଲୋକଙ୍କ ହୃଦୟ ଜିଣିବାରେ ସଫଳ ମଧ୍ୟ ହେବେ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା 5ଟି ସଚିବ ଭି କେ ପାଣ୍ଡିଆନ କାର୍ଯ୍ୟକ୍ରମକୁ ପରିଚାଳନା କରିଛନ୍ତି । ଗୃହ ବିଭାଗର ଅତିରିକ୍ତ ଶାସନ ସଚିବ ସ୍ୱାଗତ ଭାଷଣ ଦେଇଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର