ଭୁବନେଶ୍ବର: ସାଇବର ଠକେଇରୁ ଦୂରେଇ ରହିବାକୁ ସାବଧାନ କଲେ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ । ବୋକା ଲୋକଙ୍କୁ ଖୋଜୁଛନ୍ତି ସାଇବର ଠକ । ଆପଣ ବୋକା ବନନ୍ତୁ ନାହିଁ ଏବଂ କେହି ଟଙ୍କା ମାଗିଲେ ଆମକୁ ପଚାରନ୍ତୁ । ଏଭଳି କହି ସହରବାସୀଙ୍କୁ ସାଇବର ଠକଙ୍କ ଠାରୁ ସୁରକ୍ଷିତ ରହିବାକୁ ପରାମର୍ଶ ଦେଇଛନ୍ତି ପୋଲିସ କମିଶନର । ତେବେ ଏହି ବର୍ଷ ଟ୍ବିନସିଟିରେ 100ରୁ ଊର୍ଦ୍ଧ୍ବ ଠକେଇ ମାମଲା ପ୍ରକାଶ ପାଇଥିବା କମିଶନର ସୂଚନା ଦେଇଛନ୍ତି । ଶିକ୍ଷିତ ଲୋକେ ମଧ୍ୟ ଏହି ଠକାମିର ଶିକାର ହେଉଥିବା ଦେଖିବାକୁ ମିଳୁଛି ।
ସାଇବର ଠକମାନେ ଫୋନ ଜରିଆରେ ଲୋକଙ୍କ ସହ ଯୋଗାଯୋଗ କରି ବ୍ୟାଙ୍କ ଆକାଉଣ୍ଟ ବିବରଣୀ ସଂଗ୍ରହ କରୁଛନ୍ତି । ଏପରିକି ସପିଂ ଓ୍ବେବସାଇଟ ଓ ବ୍ୟାଙ୍କିଙ୍ଗ କାରବାର ଆପ ଜରିଆରେ ସେମାନେ ଆକାଉଣ୍ଟ ବିବରଣୀ ନେଉଛନ୍ତି । କ୍ବାର କୋର୍ଡ ମାଗୁଛନ୍ତି । ଯାହାର ଫାଇଦା ସେମାନେ ଇଣ୍ଟରନେଟରେ ନେଉଛନ୍ତି । ଏଭଳି ଅଧିକାଂଶ କାରବାର ରାତିରେ ହେଉଛି ।
ଜାମତରା ଗ୍ୟାଙ୍ଗ ଭଳି ରାଜ୍ୟ ବାହାରୁ ଠକମାନେ ସେମାନଙ୍କର ଠକାମର ଜାଲ ବିଛାଉଛନ୍ତି । ଭାରତର 80 ପ୍ରତିଶତ ଠକେଇ ଜାମତରା ଗ୍ୟାଙ୍ଗ କରୁଛନ୍ତି । ସବୁ ରାଜ୍ୟ ପୋଲିସ ଏବେ ସେମାନଙ୍କୁ ଖୋଜୁଛନ୍ତି । ଏହି ଗ୍ୟାଙ୍ଗ ଲୋକଙ୍କୁ ଠକିବାକୁ ନୂଆ ନୂଆ କୌଶଳ ବାହାର କରୁଛନ୍ତି । ଏଣୁ ସମସ୍ତଙ୍କୁ ସତର୍କ ରହିବାକୁ କମିଶନର ସୁଧାଂଶୁ ଷଡଙ୍ଗୀ ପରାମର୍ଶ ଦେଇଛନ୍ତି । ଫୋନରେ ଏଭଳି କଲ ଆସିଲେ ଆଦୌ କଥା ନ ହେବାକୁ ସେ କହିଛନ୍ତି । ଶହେ ଥର ଚେଷ୍ଟା କରିବା ପରେ ଯଦି ଏହି ଠକମାନେ ଗୋଟିଏରେ ବି ସଫଳ ହୁଅନ୍ତି, ତେବେ ସେମାନଙ୍କର କିଛି ଦିନର ରୋଜଗାର ହୋଇଯାଇଥାଏ ।
ଓଡିଶାରେ ଜାମତରା ଘଟଣା ଦେଖିବାକୁ ମିଳିନାହିଁ । "ଯଦି ରାଜ୍ୟରେ ଏଭଳି ଘଟଣା ପ୍ରକାଶ ପାଏ ସେଥିପ୍ରତି ଆମେ ଧ୍ୟାନ ଦେବୁ । ଯଦିଓ ଆମ କର୍ମଚାରୀ ଏ ଦିଗରେ କାମ କରୁଛନ୍ତି ତଥାପି ଆମକୁ ସତର୍କ ରହିବାକୁ ପଡିବ" ବୋଲି କମିଶନର ଜଣାଇଛନ୍ତି ।
ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ