ଭୁବନେଶ୍ବର: ମୋଦି ସରକାର ନିଜର ଦ୍ବିତୀୟ କାର୍ଯ୍ୟକାଳର ଏକ ବର୍ଷ ପୂରଣ କରିବାକୁ ଯାଉଛି। କୋରୋନା ସଂକଟ ସମୟରେ ଭାରତୀୟ ଜନତା ପାର୍ଟି ଏଥି ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଏକ ବର୍ଷ ପୂର୍ତ୍ତି ଅବସରରେ ବିଜେପି ୧୦୦୦ ଭର୍ଚୁଆଲ ସାମ୍ବାଦିକ ସମ୍ମିଳନୀ କରିବ। ବିଜେପି ତରଫରୁ ଜାରି ହୋଇଥିବା ଏକ ବୟାନରେ କୁହାଯାଇଛି ଯେ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନିର୍ଦ୍ଦେଶରେ ପ୍ରେସ କନଫରେନ୍ସ ଓ ଭର୍ଚୁଆଲ ରାଲି କରିବ ଦଳ ।
ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଲିଖିତ ଏକ ପତ୍ରରେ ଆତ୍ମନିର୍ଭରଶୀଳ ଭାରତର ସଂକଳ୍ପ, ବିଶ୍ବ କଲ୍ୟାଣ ପାଇଁ ଭାରତର ଭୂମିକା ଓ କୋଭିଡ-୧୯ ନେଇ ସତର୍କତା ଏବଂ ସୁସ୍ଥ ରହିବା ପାଇଁ ଭଲ ଅଭ୍ୟାସ ସଂକଳ୍ପର ଆହ୍ବାନକୁ ଦେଶର ୧୦ କୋଟି ଘରକୁ ପହଞ୍ଚାଯିବା ପାଇଁ ଦଳ ପକ୍ଷରୁ ଯୋଜନା କରାଯାଇଛି । ଓଡ଼ିଶାରେ ମଧ୍ୟ ଦଳ ପକ୍ଷରୁ ଲକ୍ଷାଧିକ କର୍ମୀଙ୍କ ପାଖରେ ପହଞ୍ଚିବା ପାଇଁ ଦଳପକ୍ଷରୁ ଯୋଜନା କରାଯାଉଛି ବୋଲି କହିଛନ୍ତି ବିଜେପି ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ।
କୋରୋନାର ସମସ୍ତ ଗାଇଡଲାଇନକୁ ପାଳନ କରି ୧୦୦୦ ଭର୍ଚୁଆଲ ପ୍ରେସ କନଫରେନ୍ସ ସହ ୭୫୦ ଭର୍ଚୁଆଲ ରାଲିର ଆୟୋଜନ ପାଇଁ ନିଷ୍ପତ୍ତି ହୋଇଛି । ଏହାସହ ମାସ୍କ ଓ ସାନିଟାଇଜର୍ ବାଣ୍ଟିବା ର କାର୍ଯ୍ୟକ୍ରମ ମଧ୍ୟ ରହିଛି । ଯାହାକୁ ନେଇ ବିରୋଧୀ କେନ୍ଦ୍ର ସରକାରଙ୍କୁ ନିଶାନା କରିଛିନ୍ତି । ଯେତେବେଳେ ସମଗ୍ର ଦେଶ କୋରୋନାର କବଳିତ । କେନ୍ଦ୍ର ସରକାରଙ୍କ ବିଫଳତା ପାଇଁ ଦେଶରେ କୋରନା ବଢିଚାଲିଛି । ତରବରିଆ ଲକଡାଉନ ଫଳରେ ପ୍ରବାସୀ ଶ୍ରମିକ ମାନେ ରାସ୍ତାରେ ହନ୍ତସନ୍ତ ହେଉଛନ୍ତି । ଅର୍ଥନୀତି ରସାତଳକୁ ଯାଇଛି । ସେଇ ସମୟରେ ନିଜ ଦଳର ପ୍ରଚାରରେ ମାତିଛନ୍ତି ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। କେବଳ ପ୍ରଚାର ସର୍ବସ୍ଵ ସରକାର ବୋଲି ସେ କହିଛନ୍ତି ।
ଏହାସହ କେନ୍ଦ୍ରର ବିଫଳତା କୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଦଳ ମଧ୍ୟ ଅଣ୍ଟା ଭିଡୁଥିବା ସେ କହିଛନ୍ତି । ବିଜେଡି ମଧ୍ୟ ତେରେଛା ବାଣ ମାରିଛି । ଦଳର ବରିଷ୍ଠ ନେତା ଦେବୀ ମିଶ୍ର କହିଛନ୍ତି ଯେ, କେନ୍ଦ୍ର ସରକାର ନିଜର ସଫଳତା କହିବା ସହ ବିଫଳତା ଲୋକଙ୍କୁ କୁହନ୍ତୁ ବୋଲି ସେ କହିଛନ୍ତି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ