ଭୁବନେଶ୍ବର: ଆଜି(ଶୁକ୍ରବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୧ ବର୍ଷ ବୟସରେ ପାଦ ଥାପିଛନ୍ତି । ତେବେ ଦଳର ମୁଖିଆଙ୍କ ସ୍ବତନ୍ତ୍ର ଦିବସକୁ ଧୁମଧାମରେ ପାଳନ କରିବା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି ବିଜେପି । ଏହି କ୍ରମରେ ଦଳ ଆଜିଠାରୁ ଆସନ୍ତା ଅକ୍ଟୋବର ୭ ତାରିଖ ପର୍ଯ୍ୟନ୍ତ ସେବା ଓ ସମର୍ପଣ ଅଭିଯାନ ଜାରି ରଖିବ ।
ଦେଶ ସେବା ପାଇଁ ନିଜକୁ ସମର୍ପଣ କରିଥିବା ଏହି ମହାନ ଦେଶ ଭକ୍ତ ଦେଶର ଗରିବ ଜନତାଙ୍କ ଅନୁଭବ ଓ ଅନୁଭୁତିର ପ୍ରତିଛବି । ତାଙ୍କର ବିଭିନ୍ନ ଯୋଜନା ଲୋକଙ୍କୁ ଆର୍ଥିକ ସ୍ଵଚ୍ଛଳ କରିବାରେ ସାହାଯ୍ୟ କରିଛି । ତାଙ୍କର ଗରିବ କଲ୍ୟାଣ ଯୋଜନା ଆଜି ଅବହେଳିତ, ନିଷ୍ପେଷିତଙ୍କ ହୃଦୟକୁ ସ୍ପର୍ଶ କରିଛି ବୋଲି କହିଛନ୍ତି ବିଜେପି ସାଂସଦ ଜୁଏଲ ଓରାମ । ମୋଦିଙ୍କ ଜନ୍ମଦିନରେ ଅଭାବୀ ଲୋକଙ୍କୁ ସହାୟତା ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଛନ୍ତି ।
କୋରୋନା କାଳ ଭିତରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଅନେକ ମୁକାବିଲା ଭାରତକୁ ଅନେକ ବିପଦରୁ ଦୂର କରିଛି । ଏହାସହିତ ମୋଦିଙ୍କ ଦକ୍ଷତା ବିଶ୍ଵ ଆଗରେ ଭାରତକୁ ଗର୍ବିତ କରିଛି । ଏହି ଅବସରରେ ମୋଦିଙ୍କୁ ସାରାବିଶ୍ଵରୁ ଶୁଭେଚ୍ଛାର ସୁଅ ଛୁଟୁଥିବା ଦେଖିବାକୁ ମିଳିଛି । ଏହି ଦିବସକୁ ନିଆରା ଢଙ୍ଗରେ ପାଳିବା ପାଇଁ ବିଜେପି କାର୍ଯ୍ୟାଳୟରେ ରକ୍ତଦାନ ଶିବିର ଆୟୋଜନ କରାଯାଇଛି । ଏହାସହିତ ବିଭିନ୍ନ ସେବା କାର୍ଯ୍ୟ ମଧ୍ୟ କରୁଛି ବିଜେପି ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ