ଭୁବନେଶ୍ବର: ଯୁକ୍ତ ଦୁଇ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କଲା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(CHSE) । ସେଲ୍ଫ ଫାଇନାନ୍ସ କଲେଜ ବ୍ୟତୀତ ରାଜ୍ୟର ସମସ୍ତ କଲେଜର ଅଧ୍ୟକ୍ଷ, ସୀକୃତିପ୍ରାପ୍ତ ଯୁକ୍ତ ଦୁଇ ସ୍କୁଲ୍ର ମୁଖ୍ୟଙ୍କୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଚିଠି । ପରୀକ୍ଷକ ତାଲିକା ପଠାଇବାକୁ ବୋର୍ଡ କର୍ତ୍ତୃପକ୍ଷ ଚିଠିରେ ଜଣାଇଛନ୍ତି । ଚଳିତ ମାସ ୧୯ ତାରିଖରୁ ନଭେମ୍ବର ୭ ତାରିଖରେ ମଧ୍ୟରେ ଅନଲାଇନ୍ ମାଧ୍ୟମରେ ପରୀକ୍ଷକଙ୍କ ତାଲିକା ପରିଷଦକୁ ଦେବାକୁ ଚିଠିରେ ଉଲ୍ଲେଖ ରହିଛି ।
ତେବେ ବାର୍ଷିକ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ 2023 ପରୀକ୍ଷାରେ ନିୟୋଜିତ ହେବାକୁ ଥିବା ପରୀକ୍ଷକ ଅତି କମ୍ରେ ଜୁନିୟର ଅଧ୍ୟାପକ ରାଙ୍କ୍ରୁ କମ ହୋଇନଥିବା ଆବଶ୍ୟକ ବୋଲି ମଧ୍ୟ ଚିଠିରେ ଦର୍ଶାଯାଇଛି । ସୂଚନା ଅନୁଯାୟୀ, ପରୀକ୍ଷା ପୂର୍ବରୁ ପରିଷଦକୁ ପରୀକ୍ଷକଙ୍କ ତାଲିକା ବିଳମ୍ବରେ ଆସିଥାଏ । ତେଣୁ ପରୀକ୍ଷା କ୍ଷେତ୍ରରେ ପରିଷଦକୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ପରୀକ୍ଷା ଆରମ୍ଭ ହେବା ଏବଂ ପରୀକ୍ଷା ଶେଷ ହେବାରେ ମଧ୍ୟ ବିଳମ୍ବ ହୋଇଥାଏ ।
ଏହାକୁ ବିଭିନ୍ନ ମହଲରେ ଅସନ୍ତୋଷ ଦେଖାଦିଏ, ଅନେକ ସମୟରେ ବୋର୍ଡ ଓ ସରକାର ସମାଲୋଚନାର ଶିକାର ମଧ୍ୟ ହୁଅନ୍ତି । କୋଭିଡ୍ କାରଣରୁ ବିଗତ କିଛି ବର୍ଷ ପରୀକ୍ଷା ପରିଚାଳନା ବୋର୍ଡ ପାଇଁ ଆହ୍ବାନପୂର୍ଣ୍ଣ ରହିଥିଲା । ତେବେ ଏଥର କୋରୋନାର ପ୍ରକୋପ କମ୍ ହୋଇସାରିଥିବାରୁ ଠିକ୍ ସମୟରେ ପରୀକ୍ଷା ପାଇଁ ଆଗୁଆ ପ୍ରସ୍ତୁତି କରୁଛି ବୋର୍ଡ ।
ତେଣୁ ଏନେଇ CHSE କଡାକଡି ଭାବରେ ରାଜ୍ୟର ସମସ୍ତ କଲେଜ ଅଧକ୍ଷଙ୍କୁ ସମୟ ପୂର୍ବରୁ ତାଲିକା ମଗାଯାଇଛି । ନଭେମ୍ବର ୭ ତାରିଖ ମଧ୍ୟରେ ଅନଲାଇନ୍ ମାଧ୍ୟମରେ ପରୀକ୍ଷକ ତାଲିକା ପରିଷଦକୁ ଦେବେ । ଯେଉଁମାନେ ଏଥିରେ ଖିଲାପ କରିବେ ସେମାନଙ୍କ କଲେଜକୁ ଆଡମିଟ୍ କାର୍ଡ ଦେବନି ପରିଷଦ । ଏହାସହ କାର୍ଯ୍ୟାନୁଷ୍ଠାନ ଲାଗି ସରକାରଙ୍କୁ ରିପୋର୍ଟ କରିବ CHSE।