ଭୁବନେଶ୍ବର: ନଭେମ୍ବର 5ରୁ ଆରମ୍ଭ ହେବ ଯୁକ୍ତ 2 ବିକଳ୍ପ ପରୀକ୍ଷା । ଲଗାତାର 3 ଦିନ ଧରି ଚାଲିବ ଏହି ପରୀକ୍ଷା । ଏନେଇ ଆଜି ଓଡିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶ ପାଇଛି ପରୀକ୍ଷା ସୂଚୀ । କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷା ପାଇଁ ହେବ ଏହି ପରୀକ୍ଷା । ଉକ୍ତ ଶିକ୍ଷାର ଯେଉଁ ବିଷୟ ଗୁଡ଼ିକର ପରୀକ୍ଷା ଅନୁଷ୍ଠିତ ହୋଇନାହିଁ ଏବଂ ଗ୍ରେସ୍ ମାର୍କ ଦିଆଯାଇଛି, ସେସବୁ ବିଷୟରେ ପରୀକ୍ଷା ହେବ ।
ରାଜ୍ୟର ୫୬ଟି ପରୀକ୍ଷା ପରିଚାଳନା କେନ୍ଦ୍ରରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ଏହାସହ ଜିଲ୍ଲାର ନୋଡାଲ କଲେଜରେ ମଧ୍ୟ ପରୀକ୍ଷା ଦେଇପାରିବେ । ଚଳିତ ବର୍ଷ ସାଢ଼େ 3 ଲକ୍ଷ ଛାତ୍ରଛାତ୍ରୀ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାରେ ପରୀକ୍ଷା ଦେଇଥିଲେ । ମାର୍ଚ୍ଚ ୩ରୁ ୨୮ ଯାଏଁ ପରୀକ୍ଷା ଲାଗି ନିଷ୍ପତ୍ତି ହୋଇଥିଲା । ମାତ୍ର ମହାମାରୀ ପାଇଁ ୨୩ରୁ ୨୮ ମାର୍ଚ୍ଚ ଯାଏଁ ପରୀକ୍ଷା ହୋଇପାରିନଥିଲା । ଛାତ୍ରଛାତ୍ରୀଙ୍କୁ ଏସବୁ ବିଷୟରେ ଗ୍ରେସ ମାର୍କ ଦିଆଯାଇଥିଲା । ସ୍ଥିତି ସୁଧୁରିଲେ ଛାତ୍ରଛାତ୍ରୀଙ୍କ ଲାଗି ପରୀକ୍ଷା କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହାରି ଆଧାରରେ ପରୀକ୍ଷା କରିବାକୁ ବର୍ତ୍ତମାନ ସିଏଚଏସଇ ନିଷ୍ପତ୍ତି ନେଇଛି ।
ତେବେ ପରୀକ୍ଷା ସମୟରେ କୋଭିଡ ଗାଇଡଲାଇନ ସମ୍ପୂର୍ଣ୍ଣ ଭାବେ ପାଳନ କରାଯିବା ନେଇ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । ବିନା ମାସ୍କରେ ପରୀକ୍ଷା ଗୃହକୁ ପ୍ରବେଶ ଅନୁମତି ମିଳିବ ନାହିଁ । ଏହାସହ ଛାତ୍ରଛାତ୍ରୀ ନିଜ ସହ ଆଡମିଟ କାର୍ଡ, କଲେଜ ପକ୍ଷରୁ ଜାରି ଫଟୋ ଆଇକାର୍ଡ ନେଇ ଗୃହରେ ପ୍ରବେଶ କରିବାକୁ ବାଧ୍ୟତାମୂଳକ ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ