ଭୁବନେଶ୍ବର: ରାଜ୍ୟରେ ସୂର୍ଯ୍ୟମୁଖୀ ଓ ସୋରିଷ ଭଳି ତୈଳବୀଜ ସହିତ ଡାଲିଜାତୀୟ ଶସ୍ୟ ଉତ୍ପାଦନ ବୃଦ୍ଧି କରାଯିବ । ଏଥି ପାଇଁ କେତେକ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଓଡ଼ିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟକୁ ଦାୟିତ୍ୱ ଦିଆଯାଇଛି । ଏଗ୍ରି-କନ୍କ୍ଲେଭ୍ରୁ ମିଳିଥିବା ମତାମତ ଓ ସୁପାରିଶ ଉପରେ ତର୍ଜମା ନିମନ୍ତେ ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ କୁମାର ତ୍ରିପାଠୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।
ବୈଠକରେ ଅଂଶଗ୍ରହଣ କରିଥିବା ବିଭାଗଗୁଡ଼ିକ କନ୍କ୍ଲେଭ୍ରୁ ପାଇଥିବା ଅଭିଜ୍ଞତା, ଦେଶର ଅନ୍ୟାନ୍ୟ ସ୍ଥାନରୁ ଆସିଥିବା ବଡ଼ କମ୍ପାନୀଗୁଡ଼ିକ ରଖିଥିବା ମତାମତ ଏବଂ ସେ ଦିଗରେ ଆଗେଇବା ନିମନ୍ତେ ସମ୍ପୃକ୍ତ ବିଭାଗ ଦ୍ୱାରା ସ୍ଥିର କରାଯାଇଥିବା ପଦକ୍ଷେପ ଗୁଡ଼ିକୁ ଉପସ୍ଥାପନ କରିବାକୁ କୁହାଯାଇଛି । ବିଶେଷ ଭାବେ ରାଜ୍ୟରେ ଉତ୍ପାଦିତ କୃଷି ସାମଗ୍ରୀର ସଠିକ୍ ବଜାର ସୃଷ୍ଟିର ଅଭାବ ପରିଲକ୍ଷିତ ହେଉଥିବା କନ୍କ୍ଲେଭ୍ରେ ଦର୍ଶାଯାଇଥିବା ହେତୁ ସେ ଦିଗରେ କିପରି ଦୃଢ଼ ପଦକ୍ଷେପ ନିଆଯିବ ତା’ଉପରେ ଆଲୋଚନାରେ ଦୃଷ୍ଟି କେନ୍ଦ୍ରୀତ କରାଯାଇଛି ।
ଜୈବିକ ଚାଷର ପ୍ରମାଣ ପତ୍ର ପ୍ରକ୍ରିୟା ପାଇଁ ଚାଷୀମାନଙ୍କୁ ସଚେତନ କରାଯିବ । ଫଳରେ ଘରୋଇ କ୍ରେତା ତଥା ଭାରତୀୟ ପ୍ରୟୋଗଶାଳା ଚାହୁଁଥିବା ପ୍ରମାଣନ ପତ୍ର ପ୍ରଦାନ ସହଜ ହେବ । ଏଥି ସହିତ ଆପିକଲ୍ ବର୍ତ୍ତମାନ ପରାମର୍ଶ ପ୍ରଦାନ ନିମନ୍ତେ ପ୍ରକଳ୍ପ ପରିଚାଳନା ୟୁନିଟ୍ ନିୟୋଜିତ କରିବାକୁ କୁହାଯାଇଛି । ଉଦ୍ୟାନ କୃଷି ବିଭାଗ ଆମ୍ବ, ଲେମ୍ବୁ, ଲଙ୍କା ଓ ହଳଦୀ ପ୍ରଭୃତିର ଚାହିଦା ରହିଥିବା କନ୍କ୍ଲେଭ୍ର ମତାମତରୁ ଜଣାପଡ଼ିଥିବା ଦର୍ଶାଇ ଏହାର ବିକ୍ରୟ ସ୍ଥଳ, କ୍ରେତାଙ୍କ ନାମ ସହିତ କେତେ ପରିମାଣ ଓ କେଉଁପ୍ରକାରର ଶୀତଳଭଣ୍ଡାର ଆବଶ୍ୟକ ତା’ଉପରେ କାର୍ଯ୍ୟ କରିବାକୁ କହିଥିଲେ ।
ବୈଠକରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ବୀରବିକ୍ରମ ଯାଦବ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଜି. ରଘୁ ପ୍ରସାଦ, କୃଷି ଓ କୃଷକ ସଶକ୍ତିକରଣ ବିଭାଗର କମିଶନର ତଥା ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, ଓସ୍ମା ବୋର୍ଡର ସଦସ୍ୟସଚିବ ବିଶ୍ୱରଞ୍ଜନ ସାସମଲ, କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ. ଏମ୍. ମୁଥୁକୁମାର, ଓଏଲ୍ଏମ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମାନସୀ ନିମ୍ବାଲ, ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ ଲେଙ୍କା, ପଶୁପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶକ ଡ. ୟେଦ୍ଦୁଲା ବିଜୟ, କୃଷି ଓ କୃଷକ ସଶକ୍ତିକରଣ ବିଭାଗର ସ୍ୱତନ୍ତ୍ର ସଚିବ ମନ୍ମଥ କୁମାର ପାଣି, ଆପିକଲ୍ର ପରିଚାଳନା ନିର୍ଦ୍ଦେଶକ ଡ. ପ୍ରଭାତ କୁମାର ରାଉଳ ପ୍ରମୁଖ ଉପସ୍ଥିତ ଥିଲେ ।
ଭୁବନେଶ୍ବରରୁ ଭାବାନୀ ଶଙ୍କର ଦାସ, ଇଟିଭି ଭାରତ