ଭୁବନେଶ୍ବର: ମହାମାରୀ କୋରୋନାରୁ ବର୍ତ୍ତିବାକୁ ସାରା ଦେଶ ଏବେ ଲକଡାଉନ । ସମସ୍ତେ ସରକାରଙ୍କ ଲକଡାଉନ ନିଷ୍ପତିକୁ ମାନି ଘରେ ତାଲା ମାରି ବନ୍ଦ ରହିଛନ୍ତି । ଆଉ ଏଭଳି ସଙ୍କଟ ସ୍ଥିତିରେ ଭୋକିଲାଙ୍କ ଅନ୍ନଦାତା ସାଜିଛନ୍ତି ରାଜଧାନୀର କିଛି ଯୁବକ ଯୁବତୀ ସମେତ ସ୍ଵେଚ୍ଛାସେବୀ ସଙ୍ଗଠନ । ରାସ୍ତା କଡରେ ଥିବା ବୁଲା କୁକୁର,ଗାଈଗୋରୁ ଜୀବଜନ୍ତୁ ଠାରୁ ଆରମ୍ଭ କରି ଭୋକିଲା ଅସହାୟ ଗରିବ ଖାଦ୍ୟ ପାଇଁ ଡହଳ ବିକଳ ହେଉଛନ୍ତି । ଆଉ ଏଭଳି ଘଡିସନ୍ଦି ମୂହର୍ତ୍ତରେ ଭୋକିଲା ପେଟକୁ ଆହାର ଦେଇ ମାନବିକତା ଦେଖାଇଛନ୍ତି ଏହି ସହୃଦୟ ବ୍ୟକ୍ତିମାନେ । ଯାହା କଏଦ ହୋଇଥିଲା ଆମ ଇଟିଭି ଭାରତର କ୍ୟାମେରା ଲେନସରେ ।
ରାଜଧାନୀ ଭୁବନେଶ୍ବରର ଲକ ଡାଉନ୍ ସମୟରେ ତିନୋଟି ଦୃଶ୍ୟ ବୟାନ କରୁଛି ମାନବିକତାର ନିଦର୍ଶନ ।
ଲକଡାଉନ ପରେ ରାଜଧାନୀର ଜନଗହଳିପୁର୍ଣ୍ଣ ରହୁଥିବା ରାମ ମନ୍ଦିର ହୋଇପଡିଛି ଖାଁ ଖାଁ । ମନ୍ଦିରକୁ ଆସୁଥିବା ଭକ୍ତ ଶ୍ରଦ୍ଧାଳୁ କୋରୋନା ଡର ଓ ସରକାରଙ୍କ କଟକଣା ଫଳରେ ଘରୁ ବାହାରୁ ନଥିବାରୁ ମନ୍ଦିର ସାମ୍ନାରେ ବସୁଥିବା ବାସହରାମାନେ ଭୋକ ଉପାସରେ ବସିଛନ୍ତି । ଯାହାଙ୍କ ଦୁଃଖ ବୁଝିଛନ୍ତି ଶାନ୍ତିନଗର ବସ୍ତିର ସୁଲୁ ବରାଳ ।
ସେହିପରି ଲକଡାଉନ ପରେ ସମଗ୍ର ସହର ବଜାର ବନ୍ଦ ରହିଛି । ଯେଉଁଥିପାଇଁ ବୁଲା କୁକୁର ,ଷଣ୍ଢ ଗାଇଗୋରୁ ମାଙ୍କଡ଼ ମାନଙ୍କ ଅନ୍ନଦାତା ସାଜିଛନ୍ତି ପିପୁଲ୍ସ ଫର ଆନିମାଲର ସଦସ୍ୟ ମାନେ । ଏହାସହ ସମସ୍ତ ବ୍ୟକ୍ତିଙ୍କୁ ଦିନକୁ ଥରୁଟିଏ ଏମାନଙ୍କୁ ଖାଇବାକୁ ଦେବାକୁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।
ଅନ୍ୟପଟେ ଲୋକଙ୍କ ସୁରକ୍ଷା ଓ ଶୃଙ୍ଖଳା ପାଇଁ ଅନବରତ ଦିନ ରାତି ଏକ କରି ନିଜ କର୍ତ୍ତବ୍ୟ କରୁଥିବା ପୋଲିସ ବାବୁଙ୍କୁ ଖରାରେ ଲେମ୍ବୁ ପାଣି ପିଆଇଛନ୍ତି ସଞ୍ଜୟ ଅଗ୍ରଓ୍ଵାଲ ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ