ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ବଢୁଛି ହିଟ୍ ଆଣ୍ଡ ରନ୍ ମାମଲା । ବିଶେଷକରି ଲୋକଙ୍କୁ ଧକ୍କା ଦେଇ ଛୁ ମାରୁଛନ୍ତି ଅଜଣା ଗାଡି । ଯଦିଓ ସରକାର ସଡକ ଦୁର୍ଘଟଣା କମାଇବାକୁ ମାଳ ମାଳ ପଦକ୍ଷେପ ନେଉଛନ୍ତି ତଥାପି ଥମୁନାହିଁ ଦୁର୍ଘଟଣା । ଦୁର୍ଘଟଣାରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କୁ ଥାର୍ଡ ପାର୍ଟି ଇନସ୍ୟୁରାନ୍ସ ବଳରେ କ୍ଷତିପୂରଣ ମିଳିଥାଏ । କିନ୍ତୁ ଅଜଣା ଗାଡି ଦୁର୍ଘଟଣା କ୍ଷେତ୍ରରେ ଏହି ବୀମା ନାହିଁ । ଏପରିସ୍ଥଳେ ଅଜଣା ଗାଡି ଧକ୍କାରେ ଆଖି ବୁଜୁଥିବା ମୃତକଙ୍କୁ କ୍ଷତିପୂରଣ ଦେବା ଲାଗି ରହିଛି ସୋଲାସିୟମ ପାଣ୍ଠି ବ୍ୟବସ୍ଥା । ହେଲେ ଦୁଃଖର ବିଷୟ, ରାଜ୍ୟର ଅଧିକାଂଶ ଲୋକ ଏହି ବ୍ୟବସ୍ଥା ସହ ପରିଚିତ ନାହାନ୍ତି । ଏପରିକି ନାଁ ମଧ୍ୟ ଶୁଣି ନାହାନ୍ତି ।
ଅଜଣା ଗାଡି ଦ୍ବାରା ଦୁର୍ଘଟଣାଗ୍ରସ୍ତଙ୍କୁ କ୍ଷତିପୂରଣ ଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ 2018 ମସିହାରୁ ସବୁ ରାଜ୍ୟରେ ଗଠନ ହୋଇଛି ସୋଲାସିୟମ ପାଣ୍ଠି । ଏଥିରେ ଅଜଣା ଗାଡି ଧକ୍କାରେ ପ୍ରାଣ ହରାଉଥିବା ଲୋକଙ୍କ ପାଇଁ 2 ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ଏବଂ ଆହତଙ୍କ ପାଇଁ 50 ହଜାର ଟଙ୍କା ପ୍ରଦାନର ବ୍ୟବସ୍ଥା ରହିଛି । ଏହି ସହାୟତା ପାଇବା ପାଇଁ ପୂର୍ବରୁ ଦୁର୍ଘଟଣାର 6 ମାସ ମଧ୍ୟରେ ଆବେଦନ କରିବାକୁ ପଡୁଥିଲା । ହେଲେ ଏହି ଆବେଦନ ଅବଧିକୁ ଏବେ ବର୍ଷେକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଜଣେ ବ୍ୟକ୍ତି ଏନେଇ ଆରଟିଓରେ ଆବେଦନ କରିବା ପରେ ଆରଟିଓ ଦୁର୍ଘଟଣା ସମ୍ପର୍କରେ ଅନୁଧ୍ୟାନ କରିଥାଏ ଏବଂ ଏହା ଏକ ଅଜଣା ଗାଡି ଜନିତ ଦୁର୍ଘଟଣା ବୋଲି ସ୍ପଷ୍ଟୀକରଣ ଦେବା ପରେ ଉର୍ଦ୍ଧିଷ୍ଟ କ୍ଷତିପୂରଣ ଅର୍ଥରାଶି ମଞ୍ଜୁର କରିଥାନ୍ତି ଟ୍ରାନ୍ସପୋର୍ଟ କମିଶନର ।
ଓଡ଼ିଶାରେ ୨୦୧୮ ମସିହାରୁ ୧ କୋଟି ଟଙ୍କାର ସୋଲାସିୟମ ପାଣ୍ଠି କରାଯାଇଛି । ହେଲେ ପାଣ୍ଠି ସମ୍ପର୍କରେ ଲୋକେ ଅବଗତ ନଥିବାରୁ ଗତ 2-3 ବର୍ଷ ମଧ୍ୟରେ ମାତ୍ର 5 ପ୍ରତିଶତ ଲୋକ ଏହି ବ୍ୟବସ୍ଥାରେ ଉପକୃତ ହୋଇପାରିଛନ୍ତି । ଅର୍ଥାତ୍ ରାଜ୍ୟର 95 ପ୍ରତିଶତ ଲୋକେ ଏହି କ୍ଷତିପୂରଣ ରାଶିରୁ ବଞ୍ଚିତ ଅଛନ୍ତି । ତେଣୁ ସଡକ ସୁରକ୍ଷା ସପ୍ତାହ ଠାରୁ ଏ ସମ୍ପର୍କରେ ଲୋକଙ୍କୁ ସଚେତନତା କରିବାର ଯୋଜନା ରହିଛି । ରାଜ୍ୟର ସମସ୍ତ ପରିବହନ ଅଧିକାରୀଙ୍କୁ ଏବଂ ଏସପିଙ୍କୁ ସଚେତନତା କାର୍ଯ୍ୟକ୍ରମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଭୁବନେଶ୍ବରର ବିଭିନ୍ନ ଥାନା ଥାନାଧିକାରୀଙ୍କୁ ଏ ବିଷୟରେ ଜଣାଯାଇଥିବା କହିଛନ୍ତି ଡିସିପି ଉମାଶଙ୍କର ଦାସ । ଏଥିସହ ଦୁଇ ତିନି ବର୍ଷ ମଧ୍ୟରେ ହୋଇଥିବା ସମସ୍ତ ହିଟ୍ ଆଣ୍ଡ ରନ୍ ମାମଲାରେ ଲୋକଙ୍କ ସହ ଯୋଗାଯୋଗ କରି କ୍ଷତିପୂରଣ ରାଶି ପ୍ରଦାନ ଦିଗରେ କାର୍ଯ୍ୟ କରାଯିବ ବୋଲି ସେ ଜଣାଇଛନ୍ତି । ସେହିପରି ଗଣମାଧ୍ୟମ ଜରିଆରେ ଲୋକଙ୍କୁ ସୋଲାସିୟମ ପାଣ୍ଠି କ'ଣ ଏବଂ ଏହାର ଉପକାରିତା ସମ୍ବନ୍ଧରେ ଜଣାଇବା ଦିଗରେ ରାଜ୍ୟ ସରକାର ପ୍ରୟାସ କରନ୍ତୁ ବୋଲି ମତ ପ୍ରକାଶ ପାଇଛି ।
ଅନ୍ୟପଟେ ଭୁବନେଶ୍ବରରେ ଅଜଣା ଗାଡ଼ି ଦ୍ବାରା ଦୁର୍ଘଟଣାଗ୍ରସ୍ତଙ୍କୁ ଆପୋଲୋ, ଆମ୍ରି ଓ କଳିଙ୍ଗ ହସ୍ପିଟାଲରେ ଚିକିତ୍ସା ପାଇଁ ସୋଲାସିୟମ ପାଣ୍ଠିରୁ ଅର୍ଥ ଦିଆଯାଇଛି । ଏଥିରେ ପୀଡିତଙ୍କ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚ ହସ୍ପିଟାଲ ବହନ । ତେବେ ଯଦି ଜଣେ ବ୍ୟକ୍ତି କ୍ଷତିପୂରଣ ଅର୍ଥ ପାଇବା ପରେ ଦୁର୍ଘଟଣା ଘଟାଇଥିବା ଗାଡି ଚିହ୍ନଟ ହୁଏ, ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ସମସ୍ତ ଅର୍ଥ ଫେରସ୍ତ କରିବାକୁ ପଡିବ ।
ଲୋକଙ୍କ ସୁବିଧା ପାଇଁ ମାଳ ମାଳ ଯୋଜନା କରୁଛନ୍ତି ରାଜ୍ୟ ସରକାର । ହେଲେ ସଚେତନା ଅଭାବରୁ ଯୋଜନାରୁ ବଞ୍ଚିତ ହେଉଛନ୍ତି ହିତାଧିକାରୀ । ସୋଲାସିୟମ ପାଣ୍ଠି କ୍ଷେତ୍ରରେ ମଧ୍ୟ ସମାନ ସମସ୍ୟା ସୃଷ୍ଟି ହୋଇଛି । ତେଣୁ ଲୋକଙ୍କୁ ସୋଲାସିୟମ ପାଣ୍ଠି ପ୍ରତି ସଚେତନ କରିବାକୁ ରାଜ୍ୟର ସମସ୍ତ ପରିବହନ ଅଧିକାରୀ ଏବଂ ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି ସହାୟତା ପାଣ୍ଠିର ପ୍ରଚାର ପ୍ରସାର ହେଲେ ବହୁ ଲୋକେ ଏଥିରେ ଉପକୃତ ହୋଇପାରିବେ ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ