ଭୁବନେଶ୍ବର: ଏ କଣ? ସେ କଣ ? ମୁଁ କିଏ ? ମୋ ନାଁ କଣ ? ଏମିତି ଗୁଣୁଗୁଣୁ କରି କଥା କହି ଯାଉଛି ସେ । ବାଟ, ଅବାଟ ବିଷୟରେ ସେ ସମ୍ପୂର୍ଣ୍ଣ ଅଜ୍ଞ । ବଞ୍ଚିବାର ଅର୍ଥ କଣ ସେ ବୁଝିନି । ମୁଣ୍ଡ ଗୁଞ୍ଜିବା ପାଇଁ ଜଗା ଟିକିଏ ନାହିଁ । କେତେବେଳେ ରାସ୍ତା କଡ଼ ତ ଆଉ କେତେ ବେଳେ ଷ୍ଟେସନ । ସାଜିଥାଏ ତାର ଠିକଣା । ଏ କେବଳ ଜଣଙ୍କର କାହାଣୀ ନୁହେଁ ଏମିତି ଅଛନ୍ତି ଅନେକ । ରାତି ପାହିଲେ କେଉଁଠି ନା କେଉଁଠି ଆପଣଙ୍କର ଏମାନଙ୍କ ସହ ଭେଟ ହେଉଥିବ ନିଶ୍ଚୟ । କିନ୍ତୁ କେବେ ଅଟକି ଏମାନଙ୍କ ହାଲଚାଲ ପଚାରିବା ପାଇଁ କାହା ପାଖରେ ସମୟ ନଥାଏ ।
ଆମେ କହୁଛୁ ସେମାନଙ୍କ କଥା ଯେଉଁମାନଙ୍କୁ ଆମେ ସାଧାରଣତଃ କହିଥାଉ ପାଗଳ । ଆଉ ମାର୍ଜିତ ଭାଷାରେ କହିଲେ ଏମାନେ ମାନସିକ ରୋଗୀ । ଏମାନଙ୍କ ପ୍ରକୃତ ଅବସ୍ଥାର ଚିତ୍ର ଆପଣ ସ୍ମାର୍ଟ ସିଟିରେ ଦେଖିପାରିବେ । ରାଜଧାନୀକୁ ସ୍ମାର୍ଟ ସିଟି କରିବା ପାଇଁ ସରକାରଙ୍କର ଯୋଜନା ପ୍ରଶଂସନୀୟ ନିଶ୍ଚୟ । କିନ୍ତୁ ଏମାନେ ହୁଏତ ସରକାରଙ୍କ ପାଇଁ ସ୍ମାର୍ଟ ନୁହଁନ୍ତି । ସେଥିପାଇଁ ବୋଧ ହୁଏ ଏମାନେ ଆଜି ସମାଜର ମୁଖ୍ୟସ୍ରୋତରୁ ସମ୍ପୂର୍ଣ୍ଣ ଅଲଗା । ଏମାନଙ୍କ ପାଖରେ ଫେଲ ସରକାରୀ ଯୋଜନା । ତାଙ୍କ ପାଇଁ ନାହିଁ ଥଇଥାନର ବ୍ୟବସ୍ଥା ।
ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ଏକ ସୁଖମୟ ଜୀବନ ଜିଇଁବାକୁ କିଏ ବା ଭଲ ନପାଏ । କିନ୍ତୁ ଏହା ଏମାନଙ୍କ ପାଇଁ ସାତ ସ୍ବପ୍ନ । ଏଠାରେ ପ୍ରଶ୍ନ ଉଠୁଛି ମାନସିକ ରୋଗୀ କଣ ମଣିଷ ନୁହନ୍ତି ? ସେମାନଙ୍କୁ କଣ ସମାଜରେ ବଞ୍ଚିବାର ଅଧିକାର ନାହିଁ ? ସମାଜ ଓ ସରକାରୀ କଳ ଏହି ଲୋକଙ୍କ ପାଇଁ କାହିଁକି ବିମୁଖ ?
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ