ଭୁବନେଶ୍ବର: ଆଜି ହେଉଛି ପବିତ୍ର ଦୀପାବଳି ଅମାବାସ୍ୟା। ଏହି ଦିନ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଅର୍ପଣ କରିବା ସହିତ ବଡ ବଡୁଆ ବା ପୂର୍ବ ପୁରୁଷଙ୍କୁ ସ୍ମରଣ କରାଯାଏ। ଯେଉଁମାନେ କୌଣସି କାରଣରୁ ଏହା କରି ପାରି ନଥାନ୍ତି, ଏହି ପିତୃପକ୍ଷରେ ତାହା ସମ୍ପାଦନ କରାଇଥାନ୍ତି । ଏହି ଦିନ ବିନ୍ଦୁ ସାଗର କୂଳରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ହୋଇଥାଏ । ତେବେ ଚଳିତ ବର୍ଷ ସରକାରଙ୍କ କଟକଣା ଫଳରେ ଲୋକେ ଏହି ପରମ୍ପରାକୁ ବଜାୟ ରଖିବା ଉଦେଶ୍ୟରେ ଆସୁଥିବାବେଳେ ସ୍ଥାନୀୟ ପ୍ରଶାସନ ଓ ପୋଲିସ ପକ୍ଷରୁ ଏହା ନ କରିବା ପାଇଁ କୁହାଯାଇଛି ।
ଏପରିକି ଯେଉଁ କିଛି ଶ୍ରଦ୍ଧାଳୁ ଆସୁଛନ୍ତି ତାଙ୍କୁ ଅଧିକାରୀମାନେ ହଟାଇ ଦେଉଥିବା ଦେଖିବାକୁ ମିଳିଛି । ଏନେଇ ଅଧିକାରୀଙ୍କ ଠାରୁ ଉତ୍ତର ଚାହିଁବାରୁ ସେମାନେ ସରକାରଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରୁଥିବା କହିଛନ୍ତି । ଶ୍ରଦ୍ଧାଳୁ, ଶ୍ରାଦ୍ଧ ଦେଇ ନ ପାରି ଫେରି ଯାଉଛନ୍ତି । ସେହିପରି ଏହି ସମୟରେ କିଛି ଉପାର୍ଜନର ସୁଯୋଗ ପାଉ ନଥିବା ବ୍ରାହ୍ମଣମାନେ ମଧ୍ୟ ସରକାରଙ୍କ ନିର୍ଦ୍ଦେଶକୁ ବିରୋଧ କରୁଛନ୍ତି।
ସରକାର ଅନ୍ୟ ସ୍ଥାନମାନଙ୍କରେ କଟକଣା କୋହଳ କରୁଥିବାବେଳେ ବର୍ଷ ବର୍ଷ ଧରି ଚାଲିଆସୁଥିବା ପରମ୍ପରାକୁ କଟକଣା ମଧ୍ୟରେ କରିବାର ବ୍ୟବସ୍ଥା କରି ପାରିଥାନ୍ତେ ବୋଲି କହିଛନ୍ତି କିନ୍ତୁ ସେଭଳି ନ କରି ଯେଉଁକିଛି ଲୋକ ଆସିଛନ୍ତି ସେମାନଙ୍କୁ ଘଉଡ଼ାଇ ଦେବା ମଧ୍ୟ ଠିକ ନୁହେଁ ବୋଲି ସେମାନେ ଯୁକ୍ତି କରିଛନ୍ତି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ