ଭୁବନେଶ୍ବର: କେନ୍ଦ୍ର ସରକାର ପେଗାସସ୍ କେଳେଙ୍କାରୀରୁ ଦୃଷ୍ଟି ଏଡ଼ାଇବା ଲକ୍ଷ୍ୟରେ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାରର ପୁନଃନାମକରଣ ନିଷ୍ପତ୍ତି ନେଇଛନ୍ତି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଧ୍ୟାନଚାନ୍ଦଙ୍କ ପ୍ରତି ଶ୍ରଦ୍ଧାରୁ ନୁହେଁ ରାଜୀବ ଗାନ୍ଧୀଙ୍କ ପ୍ରତି ଅଶ୍ରଦ୍ଧାରୁ ଏହି ନିଷ୍ପତ୍ତି ନିଆଯାଇଛି ।
ପ୍ରଧାନମନ୍ତ୍ରୀ କିମ୍ବଦନ୍ତୀ ହକି ରତ୍ନଙ୍କ ନାମରେ ଆଉ ଏକ ପୁରସ୍କାର ଘୋଷଣା କରିବାରେ ଅସୁବିଧା ନଥିଲା । ରୁଗ୍ଣ ମାନସିକତା ଓ ଅସହିଷ୍ଣୁତାର ଊର୍ଦ୍ଧ୍ବକୁ ଉଠିବା ଦରକାର । ଧ୍ୟାନଚାନ୍ଦ କେବଳ ହକି ପ୍ରେମୀ ନୁହନ୍ତି ସମସ୍ତ ଭାରତବାସୀଙ୍କ ପାଇଁ ଗର୍ବ । ତାଙ୍କ ପାଇଁ ବିଶ୍ୱ ଅଲମ୍ପିକ୍ରେ ଭାରତ ୧୯୩୨ ଓ ୧୯୩୬ରେ ଇତିହାସ ରଚିଥିଲା । ତାଙ୍କୁ ମରଣୋତ୍ତର ଭାରତରତ୍ନ ଦେବାକୁ କଂଗ୍ରେସ ଦାବି କରୁଛି ବୋଲି ପଟ୍ଟନାୟକ କହିଛନ୍ତି ।
ସେହିପରି ପିସିସି ମିଡିଆ ସେଲ ଅଧ୍ୟକ୍ଷ ଗଣେଶ୍ୱର ବେହେରା କହିଛନ୍ତି ରାଜୀବଗାନ୍ଧୀ ଖେଳରତ୍ନ ପୁରସ୍କାର ପୁନଃନାମକରଣ ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ। ଧ୍ୟାନଚାନ୍ଦ ଏକ କିମ୍ବଦନ୍ତୀ ପୁରୁଷ ,ତାଙ୍କ ପାଇଁ ଅନେକ କିଛି କରିପାରିଥାନ୍ତେ କେନ୍ଦ୍ର ସରକାର ହେଲେ, ରାଜୀବ ଗାନ୍ଧୀଙ୍କ ନାମ ହଟାଇବା ଏକ ହୀନମାନ୍ୟତାର ପରିଚୟ ଦେଉଛି ବୋଲି ସେ କହିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ