ଭୁବନେଶ୍ବର: ଦେଶରେ ହାହାକାର ରଚିଛି କୋରୋନା ମହାମାରୀ । ମହାମାରୀକୁ ରୋକିବା ସହ ମୁକାବିଲା କରିବା ପାଇଁ ପିଏମ କେୟାର ପାଣ୍ଠିର ସମୀକ୍ଷା ପାଇଁ ସଂସଦର ପବ୍ଲିକ ଆକାଉଣ୍ଟସ କମିଟି (ପିଏସି) ପ୍ରୟାସକୁ ବିଜେପି ଅଟକାଇବାରେ ସଫଳ ହୋଇଛି । ତାହା ଯେତିକି ଆଶ୍ଚର୍ଯ୍ୟ ଜନକ ଘଟଣା ନୁହେଁ, ତାଠାରୁ ଅଧିକ ଆଶ୍ଚର୍ଯ୍ୟଜନକ ଘଟଣା ହେଉଛି ସ୍ବଚ୍ଛ ଶାସନର ଡେଙ୍ଗୁରା ପିଟୁଥିବା ବିଜୁ ଜନତା ଦଳର ପ୍ରତିନିଧି ପିଏମ କେୟାର ପାଣ୍ଠିକୁ ପିଏସି ଦ୍ବାରା ସମୀକ୍ଷା କରିବା ପ୍ରସ୍ତାବକୁ ବିରୋଧ କରିବା। ଆଜି ଏକ ପ୍ରେସବାର୍ତ୍ତା ମାଧ୍ୟମରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଏହା କହିଛନ୍ତି ।
ଆଗରୁ ବାରମ୍ବାର ବିଜେପି ଓ ବିଜେଡ଼ିର ଏହି ସମ୍ପର୍କକୁ କଂଗ୍ରେସ ସାଧାରଣ ଲୋକଲୋଚନକୁ ଆଣିଛି । ଏବେ ପୁଣି ବିଜେପି ବିଜେଡ଼ି ସମ୍ପର୍କ ଯେ ରାଜ୍ୟରେ କଳି ଏବଂ ଦିଲ୍ଲୀରେ କୋଳା କୋଳି ବୋଲି ପ୍ରମାଣିତ କରିଛି ପିଏମ କେୟାର ପାଣ୍ଠି ନେଣ ଦେଣ । ଏହାକୁ ସମୀକ୍ଷା ନକରିବା କେଉଁ ଜନସ୍ବାର୍ଥ ସମ୍ବଳିତ ବୋଲି ପିସିସି ସଭାପତି ପ୍ରଶ୍ନ କରିଛନ୍ତି ।
ବିଜେଡ଼ି ଏହି ପ୍ରସଙ୍ଗରେ ବିଜେପି ସହିତ ମିଶି ପିଏମ କେୟାର ପାଣ୍ଠିର ପ୍ଲବିକ୍ ଆକାଉଣ୍ଟସ କମିଟି (ପିଏସି) ଦ୍ବାରା ସମୀକ୍ଷାକୁ ବିରୋଧ କରିଛି । ଏବଂ ପବ୍ଲିକ ଆକାଉଣ୍ଟସ କମିଟି (ପିଏସି)ରେ ଥିବା ବିଜୁ ଜନତା ଦଳର ସାଂସଦ, ପିଏସିର ଅଧ୍ୟକ୍ଷ କଂଗ୍ରେସର ସାଂସଦ ସୁଧିର ରଞ୍ଜନ ଚୌଧୁରୀ ପି.ଏମ କେୟାର ପାଣ୍ଠିକୁ ପିଏସି ଦ୍ବାରା ସମୀକ୍ଷା କରିବା ପାଇଁ ଆଣିଥିବା ପ୍ରସ୍ତାବକୁ ସିଧାସଳଖ ଭାବେ ବିରୋଧ କରିଥିଲେ ।
ଶୁଣାଯାଏ ଚିନ୍ ଦେଶର ବହୁ କମ୍ପାନୀ ପି.ଏମ କେୟାର ପାଣ୍ଠିକୁ ମୋଟା ଧରଣର ଚାନ୍ଦା ଦେଇଛନ୍ତି । ପି.ଏମ କେୟାର ଫଣ୍ଡ ଜନସାଧାରଣଙ୍କ ଟଙ୍କା, ଏହା କେଉଁଠାରୁ ଆସିଲା କିପରି ଖର୍ଚ୍ଚହେଲା ଏବଂ କେଉଁ ଭୟରେ ବିଜେଡି ଓ ବିଜେପି ଏହାକୁ ବିରୋଧ କରୁଛନ୍ତି ତାହା ଜନସାଧାରଣଙ୍କ ଜାଣିବାର ଅଧିକାର ଅଛି ।
ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ରାଜ୍ୟରେ ବିଜେଡ଼ି ସରକାର କେବଳ ସ୍ବଚ୍ଛତାର ନାରା ଦେଉଛି ଏବଂ ଜନସ୍ବାର୍ଥର ଦ୍ବାହି ଦେଇ ରାଜ୍ୟବାସୀଙ୍କ ସହ ଛଳନା କରିଚାଲିଛି । ୫T ନାରା ଦେଉଥିବା ବିଜେଡ଼ି ସରକାର କଣ ପାଇଁ ଏଭଳି ଜନସ୍ବାର୍ଥ ପ୍ରସଙ୍ଗ ଅର୍ଥାତ ପି.ଏମ କେୟାର ପାଣ୍ଠିକୁ ପିଏସି ଦ୍ବାରା ସମୀକ୍ଷା ପ୍ରସ୍ତାବକୁ ବିରୋଧ କଲା ତାର ଉତ୍ତର ବିଜୁ ଜନତାଦଳ ଏବଂ ବିଜେପି ଓଡ଼ିଶା ବାସୀଙ୍କୁ ଅବଗତ କରନ୍ତୁ ବୋଲି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ