ଭୁବନେଶ୍ବର: ବାଙ୍କି ଡବଲ ମର୍ଡର ଘଟଣାରେ ଶାସକ ଦଳକୁ ରାଜ୍ୟ କଂଗ୍ରେସର ଟାର୍ଗେଟ । ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଛନ୍ତି ବିଜେଡି ଦଳର ଲୋକ । ମୁଖ୍ୟମନ୍ତ୍ରୀ ଅହିଂସାର ନାରା ଦେଉଥିବା ବେଳେ ତାଙ୍କ ଦଳ ଲୋକ ହିଂସାକୁ ଆପଣେଇଛନ୍ତି । ଏଭଳି କହି ବିଜେଡି ଉପରେ ଜୋରଦାର ବର୍ଷିଛନ୍ତି ପିସିସି ମୁଖିଆ ନିରଞ୍ଜନ ପଟ୍ଟନାୟକ ।
ଏକ ସାମ୍ବାଦିକ ସମ୍ମିଳନୀରେ ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ବାଙ୍କି ହତ୍ୟାକାଣ୍ଡକୁ ଆମେ ତୀବ୍ର ନିନ୍ଦା କରୁଛୁ । ଏହି ଘଟଣାର କ୍ରାଇମ ବ୍ରାଞ୍ଚ ତଦନ୍ତ ପାଇଁ ଦଳ ଦାବି କରିଛି । ଆଗାମୀ ଦିନରେ ସରକାର ଯଦି ଏହି ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ନ ନିଅନ୍ତି ତେବେ ବାଧ୍ୟ ହୋଇ ରାଜରାସ୍ତାକୁ କଂଗ୍ରେସ ଓହ୍ଲାଇବ ବୋଲି ନିରଞ୍ଜନ କହିଛନ୍ତି ।
ଭଗବାନ ସ୍ବାଇଁ ଓ ଆଦିତ୍ୟ ରଣସିଂହଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ଭଗବାନ ସ୍ବାଇଁ ନିଜ ମୃତ୍ୟୁକାଳୀନ ଜମାନ ବନ୍ଦୀରେ ଅଭିଯୁକ୍ତଙ୍କ ନାଁ କହିଛନ୍ତି । ହେଲେ ସଠିକ ଭାବେ ତଦନ୍ତ ହେଉନାହିଁ । ଏଥିରେ ଶାସକ ଦଳର ନେତାଙ୍କର ସମ୍ପୃକ୍ତି ରହିଛି । ତେଣୁ ଏହି ଘଟଣାର କ୍ରାଇମ ବ୍ରାଞ୍ଚ ତଦନ୍ତ ଦାବି ସେ କରିଛନ୍ତି । ତେବେ ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା 2ଜଣଙ୍କୁ ଗିରଫ କରିଛି ପୋଲିସ ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ