ଗପଜତି: ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ (Panchayat Election) ପ୍ରକ୍ରିୟା ଜାରି ରହିଛି । ଫେବୃୟାରୀ 16 ରୁ 24 ମଧ୍ୟରେ ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ପାଇଁ ପଡିବ ଭୋଟ । 26 ରୁ 28 ଯାଏଁ 3 ଦିନ ଧରି ବ୍ଲକ ମୁଖ୍ୟାଳୟରେ ଗଣତି ହେବ ଭୋଟ । ୱାର୍ଡ ମେମ୍ବର, ପଞ୍ଚାୟତ ସମିତି, ଜିଲ୍ଲା ପରିଷଦ ସମେତ ସରପଞ୍ଚ ପଦବୀ ପାଇଁ ଏବେ ସରଗରମ ଗାଁ ରାଜନୀତି । ଗାଁ ଗାଁରେ ବସୁଛି ରାଜନୈତିକ ଦଳଙ୍କ ସଭାସମିତି । ପଡୁଛି ପ୍ରତିଶୃତିର ବର୍ଷା । ଗାଁ ମୁଖିଆ ପାଲଟିଛନ୍ତି ସର୍ବେସର୍ବା । ପଞ୍ଚାୟତର ବିକାଶ ପାଇଁ ଚାଲିଛି ଅଙ୍କକଷା । ଜିଲ୍ଲା ପରିଷଦ ଜୋନ ବିଜୟ ପାଇଁ ନେତା ରଚୁଛନ୍ତି ରଣନୀତି । ପୁଣି ବ୍ଲକ ଅଧ୍ୟକ୍ଷ କେମିତି ହାତେଇବେ ପ୍ରସ୍ତୁତ ହେଉଛି ପ୍ରୟାସ । ସେପଟେ ମତଦାନ ପୂର୍ବରୁ ମତଦାତା ପରଖୁଛନ୍ତି ନେତାଙ୍କ ପ୍ରତିଶୃତି । ଭୋଟ ପାଇଁ ସାରା ରାଜ୍ୟରେ ଜିଲ୍ଲାୱାରୀ ହେଉଛି ସମୀକ୍ଷା । 2017 ରେ କଣ ଥିଲା କେଉଁ ଜିଲ୍ଲାରେ ସ୍ଥିତି । କେଉଁ ଦଳ କରିଥିଲା ବାଜିମାତ, କିଏ ହୋଇଥିଲା ଚିତପଟାଙ୍ଗ... ଏହାକୁ ନେଇ ଆଜି ଆମର ସ୍ବତନ୍ତ୍ର ସେଗମେଣ୍ଟ ‘ପଞ୍ଚାୟତ ଟକ୍କର’ ରେ ଦେଖନ୍ତୁ ଗଜପତି ଜିଲ୍ଲାର ସ୍ଥିତି ।
ଗଜପତି ଅବସ୍ଥିତି...

ରାଜ୍ୟ ରାଜଧାନୀ ଭୁବନେଶ୍ବର ଠାରୁ ପ୍ରାୟ 280 କିମି ଦୂର ଦକ୍ଷିଣ ଓଡିଶାର ଏକ ସ୍ବତନ୍ତ୍ର ଜିଲ୍ଲା ହେଉଛି ଗଜପତି । ଓଡିଶା ପ୍ରଦେଶ ଗଠନ ଓ ଓଡିଆ ଭାଷା ସାହିତ୍ୟର ସୁରକ୍ଷା ଦିଗରେ ଏହି ଜିଲ୍ଲାର ଅବଦାନ ଅତୁଳନୀୟ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଗଜପତି ଜିଲ୍ଲାର ଦକ୍ଷିଣରେ ପଡୋଶୀ ଆନ୍ଧ୍ର ପ୍ରଦେଶ, ପୂର୍ବରେ ଗଞ୍ଜାମ, ପଶ୍ଚିମରେ ରାୟଗଡା ଓ ଉତ୍ତର ପାର୍ଶ୍ବରେ କନ୍ଧମାଳ ଜିଲ୍ଲା ଅବସ୍ଥିତ ।
ଭିତ୍ତିଭୂମି ପର୍ଯ୍ୟଟନ...
ଏହି ଆଦିବାସୀ ବହୁଳ ଜିଲ୍ଲାରେ ପର୍ଯ୍ୟଟନ କ୍ଷେତ୍ର ଭରପୂର ରହିଛି । ମୋହନା ବ୍ଲକ ଜିରାଙ୍ଗର ପ୍ରସିଦ୍ଧ ବୌଦ୍ଧ ମନ୍ଦିର। ତିବ୍ଦତୀୟ ସଂସ୍କୃତିର କଳାକୃତି ସହ ମନ୍ଦିର କାରୁକାର୍ଯ୍ୟ ବେଶ ବିମୋହିତ କରେ ପର୍ଯ୍ୟଟକଙ୍କୁ। ତାସହ ବୁଦ୍ଧଙ୍କ ବିରାଟ ପ୍ରତିମୂର୍ତ୍ତି ବେଶ ଆକର୍ଷଣୀୟ କରୁଛି। ଦକ୍ଷିଣ ଏସିଆର ଦ୍ବିତୀୟ ବୃହତ୍ତମ ବୌଦ୍ଧ ମନ୍ଦିର ଓଡିଶାର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ଭାବେ ପରିଚିତ ଜିରାଙ୍ଗର। ଏହାସହ ମହେନ୍ଦ୍ରଗିରି ପର୍ବତମାଳା, ଏକାଧିକ ପ୍ରାକତିକ ଝରଣା, ମହାରାଜା ଗଜପତି କୃଷ୍ଣ ଚନ୍ଦ୍ର ଗଜପତିଙ୍କ ରାଜବାଟୀ ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନ କ୍ଷେତ୍ର ଭାବେ ପ୍ରସିଦ୍ଧି ଲାଭ କରିଛି ।
ରାଜ୍ୟ ରାଜନୀତିରେ ପ୍ରଭାବ...
ନିଜର ମୂଳ ଜିଲ୍ଲା ଗଞ୍ଜାମରୁ ଅଲଗା ହୋଇ 1992 ମସିହାରେ ଗଠିତ ହୋଇଥିବା ଗଜପତି ଜିଲ୍ଲା ରାଜ୍ୟ ରାଜନୀତିରେ ମଧ୍ୟ ନିଜସ୍ବ ସ୍ଥାନ ବଜାୟ ରଖିଛି । ପାରଳା ମହାରାଜ ଗଜପତି କୃଷ୍ଣଚନ୍ଦ୍ର ଦେବଙ୍କ ସମୟରୁ ଏହି ଜିଲ୍ଲା ରାଜ୍ୟ ରାଜନୀତିରେ ବେଶ ପ୍ରଭାବ ରଖିଥିଲା । ଯଦିଓ ବର୍ତ୍ତମାନ ଜିଲ୍ଲାର ମାତ୍ର 2 ଟି ବିଧାନସଭା କ୍ଷେତ୍ର ରହିଛି । ତଥାପି ସମସ୍ତ ରାଜନୈତିକ ଦଳଙ୍କ ପାଇଁ ଗଜପତି ଜିଲ୍ଲା ଅଗ୍ରାଧିକାର ରହିଆସିଛି ।
ବର୍ତ୍ତମାନର ସ୍ଥିତି...
ବର୍ତ୍ତମାନ ଗଜପତି ଜିଲ୍ଲାରେ ରହିଛି ମୋଟ 7 ଟି ବ୍ଲକ... ଗୁମ୍ମା, ନୂଆଗଡ, ପାରଳାଖେମୁଣ୍ଡି, ମୋହନା ଆର. ଉଦୟଗିରି, କାଶୀନଗର ଓ ରାୟଗଡା । 2 ଟି ବିଧାନସଭା ଆସନ ଥିବା ବେଳେ, ମୋହନାରୁ ବିଧାୟକ ଅଛନ୍ତି କଂଗ୍ରେସର ଦାଶରଥୀ ଗମାଙ୍ଗ । ପାରଳାଖେମୁଣ୍ଡିରୁ ବିଧାୟକ ଅଛନ୍ତି ବିଜେପି ର କେ ନାରାୟଣ ରାଓ । ଜିଲ୍ଲାରେ 14 ଟି ଜିଲ୍ଲା ପରିଷଦ ଜୋନ ରହିଥିବା ବେଳେ, 149 ଟି ଗ୍ରାମ ପଞ୍ଚାୟତ 149 ଟି ସମିତି ସଭ୍ୟ ରହିଛନ୍ତି । ଏହାସହ ମୋଟ 3 ଲକ୍ଷ 70 ହାଜରରୁ ଅଧିକ ଭୋଟର ରହିଛନ୍ତି ।
କଣ ଥିଲା ସତରର’ସ୍ଥିତି...

ଗତ 2017 ପଞ୍ଚାୟତ ନିର୍ବାଚନରେ ଜିଲ୍ଲାବାସୀ ଦେଖିଥିଲେ ଏକ ଭିନ୍ନ ସମୀକରଣ । ମୋଟ 14 ଜିଲ୍ଲା ପରିଷଦ ଜୋନ ପାଇଁ ମୈଦାନକୁ ଓହ୍ଲାଇଥିଲେ 64 ଜଣ ପ୍ରାର୍ଥୀ । ତେବେ 14 ଟି ଆସନରୁ ବିଜେଡି 5 , ବିଜେପି 3 ଓ କଂଗ୍ରେସ 6 ଟି ଆସନରେ ବିଜୟୀ ହୋଇଥିଲେ । ଗୁମ୍ମା ବ୍ଲକର 2 ଟି ଜୋନରୁ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଥିଲେ । କାଶୀନଗର ବ୍ଲକରୁ 2 ଟି ଜୋନରୁ ଗୋଟିଏ ବିଜେଡି ଗୋଟିଏ କଂଗ୍ରେସ ଜିତିଥିଲେ । ନୂଆଗଡ ବ୍ଲକରେ ଗୋଟିଏ ଜୋନ ଜିଲ୍ଲା ପରିଷଦ ଥବା ବେଳେ ତାକୁ କଂଗ୍ରେସ ଜିତିଥିଲା । ମୋହନାରେ ଥିବା 3 ଟି ଜୋନକୁ 3 ଦଳ ଭାଗ କରିନେଇଥିଲେ । ପାରାଳାଖେମୁଣ୍ଡିର 2 ଟି ଜୋନକୁ ବିଜେଡି ଜିତିଥିଲା । ଆର. ଉଦୟଗିରି ରେ ଥିବା 2 ଟି ଜୋନକୁ ଗୋଟିଏ ବିଜେଡି ଗୋଟିଏ କଂଗ୍ରେସ ବିଜୟୀ ହୋଇଥିଲେ । ରାୟଗଡର 2 ଟି ଜୋନରୁ ଗୋଟିଏ ବିଜେପି ଗୋଟିଏ ବିଜେଡି ଜିତିଥିଲେ । ତେବେ କଂଗ୍ରେସ ସର୍ବାଧିକ ଜିଲ୍ଲା ପରିଷଦ ଜିତିଥିଲେ ମଧ୍ୟ ବିଜେଡି ବିଜେପିର ମିଳିତ ଉଦ୍ୟମରେ କଂଗ୍ରେସ ଆଶା ଧୂଳିସାତ ହୋଇଯାଇଥିଲା ।
ଜିଲ୍ଲାରେ ଶାସକ ଦଳର ସ୍ଥିତି ଟଳମଳ...
ଦିନେ ଗଜପତି ଜିଲ୍ଲା କଂଗ୍ରେସର ଗଡ ଥିବାବାଳେ, ଏବେ ସ୍ଥିତି ବଦଳି ଯାଇଛି । କଂଗ୍ରେସ ନିଜ ଅସ୍ଥିତ୍ବ ହରାଉ ଥିବାବେଳ, ଶାସକ ବିଜେଡି ନିଜ ମୂଳଦୂଆ ସୁଦୃଢ କରୁଛି । ତଥାପି ଆଜି ଯାଏଁ ବିଜେଡି କେବଳ 2009 ରେ ପାରଳାଖେମୁଣ୍ଡି ବିଧାନସଭାରୁ ଜିତିଥିଲା । ଗତ 2019 ନିର୍ବାଚନରେ ବିଜେଡ ପ୍ରାର୍ଥୀ କରିଥିବା ପାରଳା ରାଜଜେମା କଲ୍ୟାଣୀ ଗଜପତି ମଧ୍ୟ ବିଜୟୀ ହୋଇପାରନଥିଲେ । ଏହି ଆସନ ଏବେ ବିଜେପି ହାତରେ । ସେହିପରି ମୋହନାକୁ ଦଖଲ କରି କଂଗ୍ରେସ ଏବେ ବି ଜିଲ୍ଲାରେ ନିଜ ଉପସ୍ଥିତି ବଜାୟ ରଖିଛି ।
କଣ ହୋଇପାରେ ପଞ୍ଚାୟତ ନିର୍ବାଚନ...
ଶାସକ ବିଜେଡି ଜିଲ୍ଲାରେ ସେତେ ଦୂର୍ବଳ ନଥିଲେ ମଧ୍ୟ ଦଳ ପଞ୍ଚାୟତ ନିର୍ବାଚନରେ ବିଜୀୟ ହେବାକୁ ବେଶ ଆଶାବାଦୀ । କାରଣ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଜନ କଲ୍ୟାଣକାରୀ ଯୋଜନା, ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଭାବମୂର୍ତ୍ତୀକୁ ଦଳ ପାଥେୟ କରି ମୈଦାନକୁ ଓହ୍ଲାଇଛି । ସେହିପରି ବିଜେପି ମଧ୍ୟ ପାରଳାଖେମୁଣ୍ଡିରେ ପଦ୍ମ ଫୁଟାଇଥିବାରୁ ପଞ୍ଚାୟତ ନିର୍ବାଚନରେ ମଧ୍ୟ ଭଲ ପ୍ରଦର୍ଶନ କରିବାକୁ ଆଶାବାନ୍ଧିଛି । ଅନ୍ୟପଟେ କଂଗ୍ରେସ ନିଜ ଦୁର୍ଗକୁ ପୁନଃ ବଜାୟ ରଖିବା ସହ ଦଳ ଗତ ନିର୍ବାଚନର ଭୁଲ ସୁଧାରି ଏଥର ଜିଲ୍ଲା ପରିଷଦ ଦଖଲ କରିବ ବୋଲି ଯୋଜନା କରିଛି ।
ତେବେ କେଉଁ ଦଳ ଜିଲ୍ଲା ପରିଷଦ ଦଖଲ କରୁଛି ତାହା ଆସନ୍ତା ମାସ 28 ସୁଦ୍ଧା ସ୍ପଷ୍ଟ ହୋଇଯିବ ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ