ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ(Panchayat Election) ନେଇ ପ୍ରସ୍ତୁତ ଜୋରଦାର କରିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ(State Election Commission) । ଆଜି(ସୋମବାର) ପୂର୍ବାହ୍ନ 11.30ରେ ନିର୍ବାଚନ ଆୟୋଗଙ୍କ ଅଧ୍ୟକ୍ଷତାରେ ବସିଛି ସର୍ବଦଳୀୟ ବୈଠକ(all-party meeting) । ଏନେଇ ସମସ୍ତ ରାଜନୈତିକ ଦଳର ସଭାପତି, ସାଧାରଣ ସମ୍ପାଦକଙ୍କୁ ଚିଠି ଲେଖିଥିଲେ ନିର୍ବାଚନ ଆୟୋଗଙ୍କ ସଚିବ ରବୀନ୍ଦ୍ର ସାହୁ ।
ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନ ଆଦିତ୍ୟ ପାଢ଼ୀଙ୍କ ଅଧକ୍ଷତାରେ ବସିଛି ବୈଠକ । ବୈଠକରେ ଉପସ୍ଥିତ ଅଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ, କଂଗ୍ରେସର ଗଣେଶ୍ୱର ବେହେରା ଏବଂ ଶିବାନନ୍ଦ ରାୟ, ବିଜେପିର ବିଧାୟକ ମୋହନ ମାଝୀ ଏବଂ ପଞ୍ଚାୟତ କମିଟି ଆବାହକ ଶଙ୍କର୍ଷଣ ପରିଡାଙ୍କ ସହିତ ୪ ଜଣିଆ ଟିମ ଏବଂ ସିପିଆଇ, ସିପିଆଇ(M)ର ସମେତ ଅନ୍ୟାନ୍ୟ ରାଜନୈତିକ ଦଳର ପ୍ରତିନିଧି ମାନେ ଯୋଗ ଦେଇଛନ୍ତି । କୋଭିଡ ସଂକ୍ରମଣ ଭିତରେ କିଭଳି ନିର୍ବାଚନ ହେବ, ନିର୍ବାଚନ ନେଇ କଣ ଗାଇଡ଼ ଲାଇନ ରହିବ ସେ ନେଇ ଆଲୋଚନା ହେଉଛି ।
ସମସ୍ତ ଦଳ ମାନଙ୍କ ପରାମର୍ଶ ନିଆଯିବା ସହିତ ନିର୍ବାଚନ ନେଇ କମିଶନ କଣ ପ୍ରସ୍ତୁତି କରିଛନ୍ତି ସେ ବିଷୟରେ ଆଲୋଚନା ହେବ । ତେବେ ଜିଲ୍ଲା ପରିଷଦଗୁଡିକର କାର୍ଯ୍ୟକାଳ 2022 ମାର୍ଚ୍ଚ ମାସ ଦ୍ବିତୀୟ ସପ୍ତାହ ସୁଦ୍ଧା ଶେଷ ହେବ । ନିୟମାନୁସାରେ କାର୍ଯ୍ୟକାଳ 5 ବର୍ଷ ଶେଷ ହେବା ପୂର୍ବରୁ ସାଧାରଣ ନିର୍ବାଚନ ହେବା ଆବଶ୍ୟକ । ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ରାଜନୈତିକ ଦଳମାନଙ୍କ ସହିତ ବିଚାରବିମର୍ଷ କରିବେ ନିର୍ବାଚନ କମିଶନର ।
ଗୀତ ଗୋବିନ୍ଦ ସଦନ ସଭାଗୃହରେ 11.30 ରେ ଏନେଇ ବୈଠକ ଅନୁଷ୍ଠିତ ହେବ । ଦଳ ଦ୍ବାରା ପ୍ରାଧିକୃତ ପ୍ରତିନିଧି ବୈଠକରେ ଯୋଗ ଦେବେ । ସବୁ ଦଳର ପ୍ରତିନିଧିଙ୍କ ସହ ଆଲୋଚନା ପରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି ନିର୍ବାଚନ ଆୟୋଗ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ