ଭୁବନେଶ୍ବର: ସ୍ମାର୍ଟସିଟି ଭୁବନେଶ୍ୱରରେ ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏପରିକି ବର୍ତ୍ତମାନ ଅଧିକ ଲକ୍ଷଣହୀନ କୋରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ଦେଖିବାକୁ ମିଳୁଛି । ଏପରି ସ୍ଥିତିରେ ଅଧିକ କ୍ବାରେଣ୍ଟାଇନ ସେଣ୍ଟରର ଆବଶ୍ୟକତା ଥିବାରୁ ଓୟୋ ହୋଟେଲରେ ପେଡ କ୍ବାରେଣ୍ଟାଇନରେ ରହିପାରିବେ ବୋଲି ବିଏମସି ପକ୍ଷରୁ ନିର୍ଦ୍ଦେଶାନାମା ଜାରି କରାଯାଇଛି ।
![ଓୟୋ ହୋଟେଲରେ ପେଡ ସଙ୍ଗରୋଧ ବ୍ୟବସ୍ଥା, ନିର୍ଦ୍ଦେଶନାମା ଜାରିକଲା ବିଏମସି](https://etvbharatimages.akamaized.net/etvbharat/prod-images/8482183_20_8482183_1597853380488.png)
ରାଜଧାନୀରେ ଲକ୍ଷଣହୀନ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ସେପରି କ୍ଷେତ୍ରରେ ସେମାନେ ଭଡା ଦେଇ ଓୟୋ ହୋଟେଲରେ ୧୦ ଦିନ ପର୍ଯ୍ୟନ୍ତ ସଙ୍ଗରୋଧରେ ରହିପାରିବେ। ବିଏମସି ପକ୍ଷରୁ ବୁଧବାର ଏନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି । ଲକ୍ଷଣହୀନ କୋରୋନା ରୋଗୀଙ୍କ ପାଇଁ ହୋମ ଆଇସୋଲେସନ ବ୍ୟବସ୍ଥା ଥିବା ବେଳେ ବିଏମସି ପକ୍ଷରୁ ଏହି ବିକଳ୍ପ ବ୍ୟବସ୍ଥା କରାଯାଇଛି । ଯେଉଁ ଲକ୍ଷଣହୀନ କୋରୋନା ରୋଗୀଙ୍କର ଘରେ ସଙ୍ଗରୋଧ ସୁବିଧା ନାହିଁ ସେମାନେ ଓୟୋ ହୋଟେଲରେ ଭଡା ଦେଇ ରହିପାରିବେ ।
![ଓୟୋ ହୋଟେଲରେ ପେଡ ସଙ୍ଗରୋଧ ବ୍ୟବସ୍ଥା, ନିର୍ଦ୍ଦେଶନାମା ଜାରିକଲା ବିଏମସି](https://etvbharatimages.akamaized.net/etvbharat/prod-images/8482183_282_8482183_1597853464337.png)
ପ୍ରତ୍ୟେକ ଲକ୍ଷଣ ବିହୀନ ରୋଗୀ ସର୍ବନିମ୍ନ ୧୦ ଦିନ ହୋଟେଲ ସଙ୍ଗରୋଧରେ ରହିବାପରେ ଘରକୁ ଫେରି ସର୍ବନିମ୍ନ ୭ ଦିନ ସଙ୍ଗରୋଧରେ ରହିବା ବାଧ୍ୟତାମୂଳକ ବୋଲି ବିଏମସି ପକ୍ଷରୁ କୁହାଯାଇଛି । ହୋଟେଲରେ ଭଡା ସୂତ୍ରରେ ଦିନକୁ ୨ ଲିଟର ପାଣି ସହ ବ୍ରେକଫାଷ୍ଟ , ଲଞ୍ଚ ଓ ଡିନର ବ୍ୟବସ୍ଥା ରହିବ। ହୋଟେଲରେ ରହିବା ବେଳେ ଅଗ୍ରୀମ ୫୦ ପ୍ରତିଶତ ଭଡା ଦେବାକୁ ପଡିବ ବୋଲି କୁହାଯାଇଛି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ