ଭୁବନେଶ୍ବର: ବିଧାନସଭାର ଦ୍ବିତୀୟ ଦିନର ମୁଲତବୀ ଆଲୋଚନାରେ ଅଂଶ ଗ୍ରହଣ କରି ଗର୍ଜିଲେ ବିରୋଧୀ । କୋଭିଡ ପରିଚାଳନାକୁ ନେଇ ଆସିଥିବା ମୁଲତବୀ ନୋଟିସର ଉତ୍ତର ରଖିଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ । ତେବେ ମନ୍ତ୍ରୀଙ୍କ ଉତ୍ତରରେ ଉଭୟ ବିଜେପି ଓ କଂଗ୍ରେସ ଏଥିରେ ଅସନ୍ତୋଷ ପ୍ରକାଶ କରିଛନ୍ତି ।
କଂଗ୍ରେସ ନେତା ନରସିଂହ ମିଶ୍ର ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ତଥ୍ୟକୁ ସମ୍ପୂର୍ଣ୍ଣ ଭୂଲ କହିଛନ୍ତି । ଫୋନ କଲେ ବି ରୋଗୀଙ୍କୁ ଚିକିତ୍ସା ମିଳୁନଥିବା କହିଛନ୍ତି । ସରକାର ଖାଲି ବାହା ବାହା ନେବାକୁ ଏଭଳି କହୁଛନ୍ତି । ରାଜ୍ୟରେ କୋରୋନା ସ୍ଥିତି ଗମ୍ଭୀର ରହିଛି । ମେଡିକାଲରେ କୋଭିଡ କଥା ଛାଡନ୍ତୁ ଅଣ କୋଭିଡଙ୍କୁ ମଧ୍ୟ ଅଣଦେଖା କରାଯାଉଛି । ମେଡିକାଲରେ ସିଟ ନଥିବାବେଳେ ଏପରି ସ୍ଥିତିରେ ସରକାର କୋମାରେ ରହିଛନ୍ତି କହି ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି ନରସିଂହ ।
ସେପଟେ ବିଜେପି ନେତା ଜୟନାରାୟଣ ମିଶ୍ର କହିଛନ୍ତି ଯେ, କେବଳ କୋଭିଡ ନୁହେଁ ସ୍ବାସ୍ଥ୍ୟ ଅବସ୍ଥା ସମ୍ପୂର୍ଣ ବିପର୍ଯ୍ୟସ୍ତ। ମନ୍ତ୍ରୀଙ୍କ ଉତ୍ତର ତଥ୍ୟଠୁ ବହୁତ ଦୂରରେ। ସରକାର ଶ୍ରେୟ ନେବାକୁ ଅନେକ କାମ କରିଛନ୍ତି। ସାମାନ୍ୟ ଲକ୍ଷଣ ଯୁକ୍ତ ଆକ୍ରାନ୍ତଙ୍କୁ ହସ୍ପିଟାଲ କର୍ତ୍ତୃପକ୍ଷ ଦୁଇ ଦିନରେ ଛାଡି ଦେଉଛନ୍ତି । ଅନ୍ୟାନ୍ୟ ରୋଗରେ ପୀଡିତ ସଂକ୍ରମିତଙ୍କୁ ଭର୍ତ୍ତି କଲେ ସମ୍ପର୍କୀୟଙ୍କୁ ଦେଖିବାକୁ ଅନୁମତି ଦିଆଯାଉନାହିଁ । ଆଉ ଏହା ପରେ ଜଣାପଡୁଛି ଆକ୍ରାନ୍ତଙ୍କ କୋରୋନାରେ ମୃତ୍ୟୁ ହୋଇଛି । ଜ୍ଵର ହେଉଛି, କୋଭିଡ ନଥିବା ରିପୋର୍ଟ ଅଛି କିନ୍ତୁ ହସ୍ପିଟାଲ ଆଡମିଟ କରୁନାହାଁନ୍ତି ବୋଲି ଜୟନାରାୟଣ କହିଛନ୍ତି ।
ଭୁବନେଶ୍ବରରୁ ତପନ ଦାସ , ଇଟିଭି ଭାରତ