ଭୁବନେଶ୍ବର: ସର୍ବନିମ୍ନ ସହାୟକ ମୂଲ୍ୟ (MSP) 72 ଟଙ୍କା ବୃଦ୍ଧି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ଉଭୟ ବିରୋଧୀ ବିଜେଡି ଓ କଂଗ୍ରେସ । ବିରୋଧୀଙ୍କ ସମାଲୋଚନା ପରେ ପ୍ରତିକ୍ରିୟା ରଖିଛି ରାଜ୍ୟ ବିଜେପି । ବିଜେପି ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି ଏମଏସପି ବୃଦ୍ଧି ପ୍ରସଙ୍ଗରେ ବିରୋଧୀ ଦଳମାନେ କେବଳ ରାଜନୈତିକ ବୟାନବାଜୀ କରୁଛନ୍ତି ।
ମୋହନ କହିଛନ୍ତି, କେନ୍ଦ୍ର ସରକାରଙ୍କ ବୈଷୟିକ ଟିମ ବିଭିନ୍ନ ଦିଗକୁ ବିଚାରକୁ ନେଲା ପରେ MSP ସ୍ଥିର କରିଛନ୍ତି । ରାଜ୍ୟ ଯାହା କେନ୍ଦ୍ରକୁ କହିବ, ତାକୁ କେନ୍ଦ୍ର ତାହା ଗ୍ରହଣ କରିବ ବୋଲି କିଛି ବାଧ୍ୟବାଧକତା ନାହିଁ। ଗୋଟିଏ ଗାଇଡଲାଇନ ଅନୁସାରେ MSP ବୃଦ୍ଧି କରାଯାଏ,ତାକୁ ବାଦ ଦେଇ MSP ବୃଦ୍ଧି ହୋଇପାରିବ ନାହିଁ । ପେଟ୍ରୋଲ ଓ ଡିଜେଲ ଦର ଅନ୍ତର୍ଜାତୀୟ ବଜାରରେ ବଢ଼ିଛି । ତେଣୁ ଏହାକୁ GST ପରିସରକୁ ଆଣିବା ପାଇଁ ବିଚାର କରାଯାଉଛି ।
ସେ ସମୟରେ ପୁଣି ସବୁ ଠିକ ହୋଇଯିବ । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତ ଦର ବୃଦ୍ଧି କଥା ସ୍ଵୀକାର ମଧ୍ୟ କରିଥିବା ମୋହନ କହିଛନ୍ତି । ଅନ୍ୟପଟେ ରାଜ୍ୟରେ ଧାନ ମଣ୍ଡିରେ କାହିଁକି ଧାନ ପଡି ରହିଛି ବୋଲି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ମୋହନ। ତେଣୁ କଂଗ୍ରେସ ଓ ବିଜେଡି କେବଳ ରାଜନୈତିକ ବୟାନବାଜୀ କରୁଛନ୍ତି ବୋଲି ସେ ପାଲଟା ଅଭିଯୋଗ କରିଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ