ଭୁବନେଶ୍ବର: ଷୋଡଶ ବିଧାନସଭା ନବମ ଅଧିବେଶନ (sixteenth assembly ninth session) ର ଆଜି ଥିଲା ଦ୍ବିତୀୟ ଦିବସ । ଗୃହ ପ୍ରାରମ୍ଭରୁ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ସ୍ଥିତି ନେଇ ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ସରକାରଙ୍କ ଉପରେ ଭାରି ପଡିଥିଲେ ।
ଏହାସହ ବାଚସ୍ପତିଙ୍କ ଆଭିମୁଖ୍ୟରେ ବିରୋଧୀ ଗୃହରେ ଆହୁରି ହଙ୍ଗାମା କରିଥିଲେ । ଫଳରେ ପ୍ରଶ୍ନକାଳ ପରି ଶୂନ୍ୟକାଳ ମଧ୍ୟ ଏକଦମ ଠପ ହୋଇଯାଇଥିଲା । ଏହାକୁ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ (Chief Whip of Opposition Mohan Majhi) କହିଛନ୍ତି ରାଜ୍ୟରେ କାହିଁକି ରାଜନୈତିକ ହିଂସା କାଣ୍ଡ ଘଟୁଛି ? ପିପିଲି, ବାଣପୁର, କେନ୍ଦୁଝର ଭଳି ଅନ୍ୟାନ୍ୟ ସ୍ଥାନରେ କାହିଁକି ରାଜନୈତିକ ଗଣ୍ଡଗୋଳ ହୋଇଛି ? ଓଡିଶା ଭଳି ଶାନ୍ତ ସରଳ ରାଜ୍ୟ, ଜଗନ୍ନାଥଙ୍କ ମାଟିରେ ଏଭଳି ବିଶୃଙ୍ଖଳା କାହିଁକି ?
ମୋହନ ମାଝୀ ଅଭିଯୋଗ କରି ଆହୁରି କହିଛନ୍ତି ସମ୍ପୂର୍ଣ୍ଣ ଭାବରେ ବିରୋଧୀ ଦଳକୁ ନିଶ୍ଚିହ୍ନ କରିବାକୁ ପ୍ରୟାସ କରୁଛି ଶାସକ ଦଳ। ପ୍ରମିଳା ମଲ୍ଲିକ ଖୋଲାଖୋଲି ଭାବେ ହିତାଧିକାରୀ ଭୋଟ ନଦେଲେ ରାସନ ମିଳିବ ନାହିଁ ବୋଲି କହିଲେ । ଏହା କଣ ଉତ୍ତରଦାୟିତ୍ବ ବୋଲି ପ୍ରଶ୍ନ କରିଛନ୍ତି ମୋହନ ।
ବିଜେଡିକୁ ଘେରି ମୋହନ କହିଛନ୍ତି ବନ୍ଧା ହୋଇ ଜେଲରେ ଥିବା ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ପାଇଁ ବିଜେଡି ଦାୟୀ ହେବ ତ ? ଏହି ସମସ୍ତ ପ୍ରସଙ୍ଗକୁ ବିରୋଧୀ ଗୃହରେ ଉପସ୍ଥାପନା କରୁଥିବା ବେଳେ ବାଚସ୍ପତି ଶୂନ୍ୟକାଳ ଶେଷ କରିବା ସହ ଗୃହ ମୁଲତବୀ କରିଦେଇଥିବା ଅଭିଯୋଗ କରିଛନ୍ତି ମୋହନ ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ